ବ୍ରହ୍ମପୁର,୭।୮(ହିମାଂଶୁ ଶେଖର ସାବତ):ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ରେଞ୍ଜ ଅଧୀନ କବିସୂର୍ଯ୍ୟନଗର ବ୍ଲକ ଜରଡ଼ ଛକ ନିକଟରେ ଏକ ବିରଳ କଲରାପତରିଆ ବାଘ ଶିକାରୀଙ୍କ ଫାସରେ ପଡ଼ି ମୃତ୍ୟୁବରଣ କରିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମଙ୍ଗଳବାର ସକାଳେ ଏକ ନିମ୍ବ ଗଛରେ ବାଘଟିର ମୃତଦେହ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ।ସୂଚନା ଅନୁସାରେ, ବାଘ ଶିକାର ପାଇଁ ଗାଡ଼ିର କ୍ଲଚ କେବୁଲ ତାରରେ ଫାସ ପ୍ରସ୍ତୁତ କରାଯାଇଥିଲା। ତାହା ସହ ଏକ ଭାରୀ ପଥର ବାନ୍ଧି ରଖାଯାଇଥିଲା, ଯାହାଦ୍ୱାରା ଫାସରେ ପଡ଼ିଥିବା ପଶୁ ଖସି ପଳାଇ ପାରିବ ନାହିଁ। ଅନୁମାନ କରାଯାଉଛି ଯେ, ଫାସରେ ପଡ଼ିବା ପରେ ଜୀବନ ବଞ୍ଚାଇବାକୁ ବାଘଟି ଗଛ ଉପରକୁ ଚଢ଼ିଥିଲେ ମଧ୍ୟ ଶେଷରେ ତାହାର ମୃତ୍ୟୁ ଘଟିଥିଲା।କ୍ରସର ନିକଟରେ କୁକୁରମାନେ ଭୁକିବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଗଛରେ ବାଘ ଝୁଲୁଥିବା ଦେଖିଥିଲେ। ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ବହୁ ଲୋକଙ୍କ ଭିଡ଼ ଜମିଥିଲା।ଖବର ପାଇ ଖଲ୍ଲିକୋଟ ବନବିଭାଗର କର୍ମଚାରୀମାନେ ପହଞ୍ଚିଥିଲେ। ପରେ ଅଧିକାରୀଙ୍କ ଉପସ୍ଥିତିରେ ଅଗ୍ନିଶମ ବାହିନୀ ସହାୟତାରେ ବାଘର ମୃତଦେହକୁ ଗଛରୁ ତଳକୁ ଅଣାଯାଇ ବ୍ୟବଛେଦ ପାଇଁ ପଠାଯାଇଛି। ବ୍ୟବଛେଦ ରିପୋର୍ଟ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ବନବିଭାଗ କହିଛି।ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଜରଡ଼ ପଞ୍ଚାୟତ ସମିତି ସଭ୍ୟଙ୍କ ଅଭିଯୋଗ ଅନୁଯାୟୀ, ଏହି ଅଞ୍ଚଳରେ ବାଘର ଗତିବିଧି ସମ୍ପର୍କରେ ସାଧାରଣ ଲୋକଙ୍କୁ କେବେ ବନବିଭାଗ ପକ୍ଷରୁ ସଚେତନ କରାଯାଇନଥିଲା। ଫଳରେ ଏଭଳି ଘଟଣା ଘଟିଥିବା ଅଭିଯୋଗ ଉଠିଛି।ଅନ୍ୟପକ୍ଷରେ, ବ୍ରହ୍ମପୁର ଡିଏଫଓ କହିଛନ୍ତି ଯେ, ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଛି। ତଦନ୍ତ ଶେଷ ହେବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ଏବଂ ଦୋଷୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯିବ।ତେବେ ଏହି ଘଟଣା ପରେ ବନବିଭାଗର କାର୍ଯ୍ୟକଳାପକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଅଞ୍ଚଳରେ ବାଘର ଗତିବିଧି ଥିଲେ ମଧ୍ୟ କାହିଁକି ସଚେତନତା କାର୍ଯ୍ୟକ୍ରମ କରାଯାଇନଥିଲା? ଶିକାରୀଙ୍କୁ କେବେ ଗିରଫ କରାଯିବ? ପୂର୍ବରୁ ବନ୍ୟଜନ୍ତୁ ଶିକାର ପାଇଁ ଫାସ ପଡ଼ୁଥିବା ସତ୍ତ୍ୱେ ବନବିଭାଗ କିପରି ଏହାର ସନ୍ଧାନ ପାଇପାରିଲା ନାହିଁ? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

