ବୋଲଗଡ଼,୧୦।୧୦(ସୁଶାନ୍ତ କୁମାର ପ୍ରଧାନ):ଆଜି ପିତୃପକ୍ଷର ଶେଷ ଦିନ, ମହାଳୟା ଅମାବାସ୍ୟା। ପିତୃ ପୁରୁଷଙ୍କୁ ପିଣ୍ଡଦାନ କରିବାର ସର୍ବଶ୍ରେଷ୍ଠ ପର୍ବ। ଶାସ୍ତ୍ରରେ କୁହାଯାଏ ଏହି ୧୫ ଦିନ ପିତୃମାନେ ଧରାକୁ ଓହ୍ଲାଇ ଆସନ୍ତି ଆଉ ପୁଅର ହାତରୁ ଟୋପାଏ ତିଳ-ଜଳକୁ ଚାତକ ପରି ଚାହିଁ ରହିଥାନ୍ତି।ଶାସ୍ତ୍ର ସ୍ପଷ୍ଟ କହୁଛି – ଶ୍ରଦ୍ଧା ଶବ୍ଦରୁ ହିଁ ଶ୍ରାଦ୍ଧ। ଯେଉଁ ପୁଅ ବାପା ଜୀବିତ ଥିବା ବେଳେ ଗୁଣ୍ଡାଏ ଭାତ, ଖଣ୍ଡେ ବସ୍ତ୍ର, ଅସୁସ୍ଥ ବେଳେ ଔଷଧଟିଏ ଦେଇପାରିଲା ନାହିଁ, ସେ ଆଜି ଲୋକ ଦେଖାଣିଆ ଭୋଜିଭାତ, ବଡ଼ ବ୍ରାହ୍ମଣ, ଫଟୋ ଉଠା ଶ୍ରାଦ୍ଧ କଲେ ପିତୃ ଆତ୍ମା କେବେ ତୃପ୍ତ ହେବ ନାହିଁ।ସେ ପୁଅ ଆଜି ଯାହା କଲା, କାଲି ତା ପୁଅ ତାକୁ ସେଇଆ କରିବ। ଏହା ହେଉଛି ପ୍ରକୃତିର ନିୟମ।ତେଣୁ ଆଡମ୍ବର ନୁହେଁ, ଅନ୍ତରରୁ ଡାକନ୍ତୁ ‘ପିତୃଦେବାୟ ନମୋ ନମଃ’। ନିର୍ମଳ ହୃଦୟରେ ଟୋପାଏ ଜଳ ଦେଲେ ସବୁ ପିତୃ ଦୋଷ ଖଣ୍ଡନ ହୋଇ ସବୁ ବିପଦ ଟଳିଯିବ ବୋଲି ଶାସ୍ତ୍ର କହେ।କାରଣ ବାପା ହେଉଛନ୍ତି ଚଲାମାନ ଭଗବାନ। ତାଙ୍କ ଆଶୀର୍ବାଦ ଥିଲେ ଦୁଃଖ ସାମ୍ନାରେ ଲଢିବାକୁ ସାହସ ମିଳେ। ଜୀବନ ଥିବା ବେଳେ ଯତ୍ନ ନିଅ, ମଲା ପରେ କାନ୍ଦିଲେ କିଛି ଲାଭ ନାହିଁ।

