ଚିକିଟି,୧୦।୭(ନିଗମାନନ୍ଦ ପଣ୍ଡା):ବନ ମହୋତ୍ସବ ଅବସରରେ ଚିକିଟିର ଅଗ୍ରଣୀ ସେବାମୂଳକ ସଂଗଠନ ଶ୍ରୀହରି ଟ୍ରଷ୍ଟ ପକ୍ଷରୁ ପରିବେଶ ସୁରକ୍ଷା ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ସମାଜସେବୀ ସୁଦର୍ଶନ ପାଣିଗ୍ରାହୀଙ୍କ ନେତୃତ୍ୱରେ ୫ ହଜାରରୁ ଅଧିକ ଚାରା ରୋପଣ କରାଯାଇଛି।ବାହୁଦା ଓ ବଗୀ ନଦୀକୂଳ, ବାରାହୀ ମନ୍ଦିର ପରିସର ଏବଂ କେନାଲ ହିଡ଼ ଅଞ୍ଚଳରେ ଏହି ଚାରାଗୁଡ଼ିକ ରୋପଣ କରାଯାଇଥିଲା। ସବୁଜ ପରିବେଶ ସୃଷ୍ଟି ସହ ନଦୀକୂଳର ସୁରକ୍ଷା ଏବଂ ପରିବେଶ ସନ୍ତୁଳନ ରକ୍ଷା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ କୋଟଲିଙ୍ଗିର ପୂର୍ବତନ ସରପଞ୍ଚ, ଚିକିଟି ବନପାଳ, ବନ ବିଭାଗର କର୍ମଚାରୀ, ଟ୍ରଷ୍ଟର ସଦସ୍ୟା ପ୍ରମିତା ପାତ୍ରଙ୍କ ସମେତ ଅନ୍ୟ ସଦସ୍ୟମାନେ ଯୋଗଦେଇଥିଲେ।ସମାଜସେବୀ ସୁଦର୍ଶନ ପାଣିଗ୍ରାହୀ କହିଥିଲେ ଯେ, ଦିନକୁ ଦିନ ବଢ଼ୁଥିବା ପରିବେଶ ପ୍ରଦୂଷଣର ମୁକାବିଲା ପାଇଁ ବୃକ୍ଷରୋପଣ ହିଁ ସବୁଠାରୁ ପ୍ରଭାବଶାଳୀ ଉପାୟ। ଏହାକୁ ହୃଦୟଙ୍ଗମ କରି ଶ୍ରୀହରି ଟ୍ରଷ୍ଟ ପକ୍ଷରୁ ଆଗାମୀ ଦିନରେ ଅଧିକରୁ ଅଧିକ ବୃକ୍ଷରୋପଣ କରି ବ୍ୟାପକ ସବୁଜ ବଳୟ ସୃଷ୍ଟି କରିବାକୁ ସଂକଳ୍ପ ନିଆଯାଇଛି।

