ନୂଆପଡ଼ା, ୨୪/୦୩:(ପରମେଶ୍ୱର ମେହେର)କଳା ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ଏକ ସୁପରିଚିତ ନାମ ହେଲେ ମୁରଲୀଧର ପଟେଲ । ଏକ ସାଧାରଣ ପରିବାରରେ ଜନ୍ମ ହେଲେ ମଧ୍ୟ ତାଙ୍କର ଅସାଧାରଣ ପ୍ରତିଭା, ପରିଶ୍ରମ ଓ ନିଷ୍ଠା ତାଙ୍କୁ ଆଜି ଏକ ଉଚ୍ଚ ସ୍ଥାନକୁ ନେଇଛି। ମୁରଲୀଧର ପଟେଲଙ୍କ ଜନ୍ମ ୦୫ ଏପ୍ରିଲ ୧୯୭୯ରେ ପିତା ମଦନ ପଟେଲ ଓ ମାତା ଦୁସିଲା ପଟେଲଙ୍କ ଘରେ ହୋଇଥିଲା। ଛୋଟବେଳୁ ହିଁ ସେ କଳା ପ୍ରତି ଆକର୍ଷିତ ଥିଲେ । ସେହି ଆକର୍ଷଣ ତାଙ୍କ ଜୀବନର ଦିଗ ନିଷ୍କ୍ରିୟ କରି ଦେଇଥିଲା । ୧୯୯୭ମସିହାରେ, ଯେତେବେଳେ ନୂଆପଡ଼ା ଜିଲ୍ଲାରେ କଳାକାରଙ୍କ ସଂଖ୍ୟା ବହୁତ କମ୍ ଥୁଲା, ସେହି ସମୟରେ ମୁରଲୀଧର ସଙ୍ଗୀତ ଜଗତରେ ପ୍ରବେଶ କରିଥିଲେ । ସେ ସୁରଝଙ୍କାର ସଙ୍ଗୀତ ମହାବିଦ୍ୟାଳୟରେ ଗୁରୁ ଧଲେନ୍ଦ୍ର ବାରିକ ଓ ଘାସିରାମ ମିଶ୍ରଙ୍କ ନିକଟରେ ତବଲା ଶିକ୍ଷା ଗ୍ରହଣ କରିଥିଲେ।
ତବଲା ସହିତ ସେ ନୃତ୍ୟରେ ମଧ୍ୟ ପାରଦର୍ଶୀ ହୋଇଯାଇଥିଲେ, ଯାହା ତାଙ୍କ କଳାଜୀବନକୁ ଅଧୁକ ସମୃଦ୍ଧ କରିଥିଲା। ଶିକ୍ଷା ଶେଷ କରିବା ପରେ ମୁରଲୀଧର ରାଜ୍ୟ ଓ ରାଜ୍ୟ ବାହାରେ ଅନେକ ମଞ୍ଚରେ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ । ସେ କେବଳ ଏକ ଶିଳ୍ପୀ ହିସାବରେ ନୁହେଁ, ଏକସୃଜନଶୀଳ ନୃତ୍ୟ ନିର୍ଦ୍ଦେଶକ ଭାବେ ମଧ୍ୟ ପରିଚିତ ହୋଇଥିଲେ। ପଞ୍ଚରସି,ସାତବହିନୀ,କୁନାବାରି,ତିହାର,ଝି,ଗୋଡଲେହୁଟେନ୍, ରାଧା-କୃଷ୍ଣ ଭେଟ ଭଳି ଅନେକ ନୃତ୍ୟନାଟ୍ୟରେ ସେ ନିର୍ଦ୍ଦେଶନା ଦେଇଦର୍ଶକମାନଙ୍କ ମନ ଜିତିଥିଲେ । ତାଙ୍କର ବିଶେଷତା ହେଉଛି, ସେ କେବଳ ତବଲାରେ ନୁହେଁ, ବିଭିନ୍ନ ବାଦ୍ୟଯନ୍ତ୍ରରେ ମଧ୍ୟ ପାରଙ୍ଗମ । ତବଲା, ଢୋଲକ, ପଖାଉଜ, ମୃଦଙ୍ଗ, ଢୋଲ ଇତ୍ୟାଦିରେ ସେ ନିଜ ଦକ୍ଷତା ପ୍ରମାଣ କରିଛନ୍ତି । ବିଶେଷ କଥା ହେଉଛି, ନୂଆପଡ଼ା ଜିଲ୍ଲାରେ ପ୍ରଥମେ ଓକ୍ଟୋପ୍ୟାଡ୍ ବାଜାଇବାରେ ସେ ଅଗ୍ରଗାମୀ ଥିଲେ | ତାଙ୍କ ଦକ୍ଷତା ଓ ପ୍ରତିଭା ତାଙ୍କୁ ଅନେକ ପ୍ରସିଦ୍ଧ ଗାୟକ ଓ ଗାୟିକାଙ୍କ ସହିତ କାମ କରିବାର ସୁଯୋଗ ଦେଇଥିଲା । ରୁକୁ ସୁନା, ଉମାକାନ୍ତ ଶତ୍ରୁଘ୍ନ ଲୋହାର, ପଙ୍କଜ ଜାଲ,ଶାନ୍ତନୁସାହୁ,ଜିତେନ୍ଦ୍ରହରିପାଳ ଭଳି ପ୍ରତିଷ୍ଠିତ ଶିଳ୍ପୀମାନଙ୍କ ସହିତ ମଞ୍ଚ ଭାଗ କରି ସେ ନିଜ କଳାକୁ ପ୍ରଦର୍ଶନ କରିଛନ୍ତି । ଏଭଳିଅନବରତ ପରିଶ୍ରମ ଓ ନିଷ୍ଠାର ଫଳରେ ମୁରଲୀଧର ପଟେଲ ଆଜି ଓଡ଼ି ଶାର କୋଣାକୋଣରେ ଏକ ପରିଚିତ କଳାକାର ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି । ତଥାପି, ଜୀବନର ଏକ ନୂତନ ଅଧ୍ୟାୟରେ ସେ ଏବେ “ଆଲ୍ଟୋସ” ନାମକ ଗୋଟିଏ କମ୍ପାନୀ ସହିତ ଜଡିତ ଅଛନ୍ତି । ଏଠାରେ ସେ ମନୁଷ୍ୟ ସେବାରେ ନିୟୋଜିତ ହୋଇ ଅନେକ ଲୋକଙ୍କୁ ସ୍ୱାସ୍ଥ୍ୟ ସଚେତନତା ଓ ସେବା ପ୍ରଦାନ କରୁଛନ୍ତି । ତାଙ୍କ ଉଦ୍ୟମ ଓ ସେବାଭାବ ଦ୍ଵାରା ଅନେକ ଲୋକ ଲାଭାନ୍ବିତ ହେଉଛନ୍ତି ଓ ତାଙ୍କ ଉପରେ ଗଭୀର ଭରସା ରଖୁଛନ୍ତି। ମୁରଲୀଧର ପଟେଲଙ୍କ ଜୀବନ ଆମକୁ ଏହି ଶିକ୍ଷା ଦେଇଥାଏ ଯେ, ପ୍ରତିଭା ସହିତ ଯଦି ପରିଶ୍ରମ ଓ ନିଷ୍ଠା ଯୋଗ ହୋଇଥାଏ, ତେବେ ମଣିଷ କେବଳ ନିଜ ପରିଚୟ ନୁହେଁ, ସମାଜ ପାଇଁ ମଧ୍ୟ କିଛି କରିପାରେ। କଳାରୁ ଆରମ୍ଭ କରି ସେବା ପର୍ଯ୍ୟନ୍ତ ତାଙ୍କର ଏହି ଯାତ୍ରା ନିଶ୍ଚୟ ଭାବେ ପ୍ରେରଣାଦାୟକ।

