ଭଞ୍ଜନଗର,୧୯।୧୦(ନିଲୁ ବିଷୋୟୀ):ଭାଷା ଓ ଭାବକୁ ନେଇ ସଂପ୍ରତି ସ୍ଥିତିରେ ସାହିତ୍ୟ ସୃଷ୍ଟି କରିବା ଆବଶ୍ୟକ। ଭାଷା ବଞ୍ଚିଲେ ଆମ ପରିଚୟ ବଞ୍ଚିବ ଆଉ ଆମେ ଓଡିଆ ବୋଲି ଗର୍ବ କରି ପାରିବା ବୋଲି ଭଞ୍ଜନଗର ସମ୍ବାଦ ସାହିତ୍ୟ ଘରର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ। ସେହିପରି ଜୀବନରେ ୫ଟି ‘ମ’ ଅର୍ଥାତ ମାଟି ଓ ମାତୃଭାଷାକୁ ଭଲ ପାଇବା, ମୋବାଇଲ୍ର ଠିକ୍ ଉପଯୋଗ, ମଦ ଠାରୁ ଦୂରେଇ ରହିବା ଏବଂ ୫ଟି ‘ନ’ ନିରୋଗ, ନିରହଂକାରୀ, ନିରାଡମ୍ବର ଜୀବନଯାପନ, ନିଡର ହେବା ଓ ନିଶାମୁକ୍ତ ସମାଜ ଗଠନରେ ଭୂମିକା ନିର୍ବାହ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି। ଉଦ୍ଘାଟକ ଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗ ଦେଇ ଘୁୁମୁସର ମାଟିର ଗୌରବ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ବିପ୍ଳବୀ ବୀର ଚକରା ବିଷୋୟୀଙ୍କ ଜୀବନୀ ଏବଂ କୃତିତ୍ବକୁ ସାରା ଭାରତରେ ପ୍ରଚାରପ୍ରସାର ପାଇଁ ଉଦ୍ୟମ ହେଉଥିବା ପ୍ରକାଶ କରିଥିଲେ। ‘ସମ୍ବାଦ’ ପକ୍ଷରୁ ସାହିତ୍ୟଘର ଠାରୁ ଆରମ୍ଭ କରି ରକ୍ତଦାନ ଶିବିର ଓ ଚାରାରୋପଣ ପର୍ଯ୍ୟନ୍ତ ବିଭିନ୍ନ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ।ସମ୍ମାନିତ ଅତିଥି ଭାବେ ସାହିତ୍ୟଘର ରାଜ୍ୟ ସଂଯୋଜିକା ଡ.ଶୁଭଶ୍ରୀ ଲେଙ୍କା ଯୋଗ ଦେଇ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ କହିଥିଲେ। ଏଥିସହ ନିରନ୍ତର ସାହିତ୍ୟ ଲେଖନୀ ଜାରି ରଖିବାକୁ କହିଥିଲେ। ସଭାପତି କୃତ୍ତିବାସ ବିଶ୍ବାଳଙ୍କ ପୌରୋହିତ୍ୟରେ ସମ୍ପାଦକ ସନ୍ତୋଷ ଜେନା ବାର୍ଷିକ ବିବରଣୀ ପାଠ, ବରିଷ୍ଠ ସଦସ୍ୟା ସୁଜାତା ସିଂ ଅତିଥି ପରିଚୟ ପ୍ରଦାନ ଏବଂ ଉପଦେଷ୍ଟା ଶୂଳପାଣି ଶତପଥୀ ସଂଯୋଜନା କରିଥିଲେ। ଅତିରିକ୍ତ ଏସପି ରଞ୍ଜନ କୁମାର ଦେ, ପୌରାଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଓ ବ୍ରହ୍ମାକୁମାରୀ ସନ୍ତୋଷିନୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଏହି ଅବସରରେ ବାର୍ଷିକ ‘ଘୁମୁସର’ ପତ୍ରିକା ସମେତ ନେତାଜୀ ବିଷୋୟୀଙ୍କ ‘ସରଳ ଶିଶୁ ଗପ’ ବହି ଅତିଥିଗଣଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ଭଞ୍ଜନଗର ଜିଲ୍ଲା ପ୍ରତିନିଧି ବିଶ୍ବମ୍ବର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

