ବୁଗୁଡ଼ା,୦୨/୧୧(ପୂର୍ଣ୍ଣଚନ୍ଦ୍ର ବାରିକ):ସମ୍ଭାବ୍ୟ ବାତ୍ୟା ‘ମୁରାସୁ’ ଏବଂ ଭୀଷଣ ବର୍ଷାକୁ ନେଇ ଚିନ୍ତାରେ ଅଞ୍ଚଳବାସୀ। ଏଭଳି ସ୍ଥିତିରେ ଯେକୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତିର ମୁକାବିଲା କରିବା ସହ ଜନସାଧାରଣଙ୍କ ଧନଜୀବନ ସୁରକ୍ଷାକୁ ଗୁରୁତ୍ୱ ଦେଇଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ପ୍ରଶାସନ। ବିଭିନ୍ନ ଗ୍ରାମପଞ୍ଚାୟତ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିବା ସହ ଲୋକଙ୍କୁ ସଚେତନ କରାଯାଉଛି। ଏଥିସହ ଆବଶ୍ୟକସ୍ଥଳେ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ପାଇଁ ମଧ୍ୟ ତଦାରଖ କରାଯାଉଛି।ବୁଗୁଡ଼ା ବ୍ଲକ ରେ ୪୫ ଟି ଆଶ୍ରୟସ୍ଥଳୀରେ ୨୩୦୦ ଲୋକଙ୍କୁ ଆଶ୍ରୟ ଦେବାସହ ଖାଦ୍ୟ ଯୋଗାଣ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ସୁଯୋଗର ବ୍ୟବସ୍ଥା କରାଯାଇଛି। ଭଞ୍ଜନଗର ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଧାନ ତୁଲ୍ୟାମା କରସିଙ୍ଗି ପଞ୍ଚାୟତ ସମଲେଇ ଆଶ୍ରୟସ୍ଥଳୀକୁ ପରିଦର୍ଶନ କରି ବିପଦ ସମୟରେ ଯେପରି କୌଣସି ଲୋକ ଅସୁବିଧାରେ ନପଡ଼ନ୍ତି, ସେଥିପ୍ରତି ବ୍ଲକ ପ୍ରଶାସନ ଗୁରୁତ୍ୱ ଦେବାକୁ କହିଛନ୍ତି ।ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଜାରି ରହିଥିବାବେଳେ ଜନସାଧାରଣଙ୍କୁ ମଧ୍ୟ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରାଯାଉଛି।

