ବ୍ରହ୍ମପୁର,୨୪।୧୦ (ହିମାଂଶୁ ଶେଖର ସାବତ):ସର୍ବଭାରତୀୟ ପୋଷ୍ଟାଲ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ବ୍ରହ୍ମପୁର ସହରର ବି.ଶ୍ରୀକାନ୍ତ (୩୫) । ବ୍ରହ୍ମପୁର କୋର୍ଟପେଟା ଡାକ ଅଫିସରେ ପୋଷ୍ଟାଲ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ବି.ଶ୍ରୀକାନ୍ତ ପୁଣି ଥରେ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ୩୦୦ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି କୃତିତ୍ୱ ହାସଲ କରିଛନ୍ତି। ଚଳିତ ମାସ ୧୨ ରୁ ୧୬ ତାରିଖ ପର୍ଯ୍ୟନ୍ତ ଲକ୍ଷ୍ନୌ ସ୍ଥିତ ସାଇ ସ୍ପୋର୍ଟସ ଷ୍ଟାଡିୟମ୍ ରେ ଅନୁଷ୍ଠିତ ସର୍ବଭାରତୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଭାରତରେ ୨୮ ଟି ରାଜ୍ୟର ପୋଷ୍ଟାଲ ବିଭାଗରେ କାର୍ଯ୍ୟରତ ୩୦୦ ପ୍ରତିଯୋଗୀ ଏହି ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ବର୍ଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ବି.ଶ୍ରୀକାନ୍ତ ୬୫ କିଲୋଗ୍ରାମ ବର୍ଗରେ ଫାଇନାଲରେ ୫ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ନିଜର ଦୃଢ଼ ମନୋବଳ, ନିୟମିତ ଅଭ୍ୟାସ ଓ କଠିନ ପରିଶ୍ରମ ବଳରେ ସଫଳତା ହାସଲ କରିଛନ୍ତି ବ୍ରହ୍ମପୁରର ବି. ଶ୍ରୀକାନ୍ତ । ବ୍ରହ୍ମପୁର ପ୍ରେମ ନଗର, ପ୍ରଥମ ଲେନ୍ର ବାସିନ୍ଦା ବି.ଶ୍ରୀକାନ୍ତ ଡାକ ବିଭାଗରେ କାର୍ଯ୍ୟରତ ଥାଇ ମଧ୍ୟ କ୍ରୀଡ଼ା ପ୍ରତି ନିଜର ଅନୁରାଗ, ଶୃଙ୍ଖଳା ଓ ନିଷ୍ଠାକୁ ବଜାୟ ରଖିଛନ୍ତି। ଏହାପୂର୍ବରୁ ୨୦୦୭ ରୁ ୨୦୧୨ ମସିହା ମଧ୍ୟରେ ମିଷ୍ଟର୍ ଗଞ୍ଜାମ ଏବଂ ମିଷ୍ଟର୍ ଓଡ଼ିଶା ଭାବେ ଲଗାତାର ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଆଗାମୀ ଦିନରେ ସର୍ବଭାରତୀୟ ସିଭିଲ ସର୍ଭିସ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ପାଇଁ ନିଜକୁ ପ୍ରସ୍ତୁତ କରିବେ ବୋଲି ସେ କହିଛନ୍ତି । ତାଙ୍କରି ଏହି ଉଲ୍ଲେଖନୀୟ ସଫଳତା କେବଳ ବ୍ରହ୍ମପୁର ସହର ପାଇଁ ନୁହେଁ, ବରଂ ଡାକ ବିଭାଗ ପାଇଁ ମଧ୍ୟ ଗର୍ବ ଓ ଆନନ୍ଦର ବିଷୟ। ଶ୍ରୀକାନ୍ତଙ୍କ ଏହି କୃତିତ୍ୱ ଯୁବପିଢ଼ି ଙ୍କୁ ସୁସ୍ଥ ଜୀବନ ଶୈଳୀ ଆପଣାଇବା ସହ କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ। ବି. ଶ୍ରୀକାନ୍ତଙ୍କ ଏହି ସ୍ୱର୍ଣ୍ଣିମ ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟୁଛି ।

