ସିନାପାଲି,୧୦।୭(ପରମେଶ୍ୱର ମେହେର):ଚାଷୀମାନଙ୍କୁ ନ୍ୟାୟସଙ୍ଗତ ମୂଲ୍ୟରେ ସାର ଯୋଗାଣ ସୁନିଶ୍ଚିତ କରିବା ପାଇଁ ସିନାପାଲି ବ୍ଲକ କୃଷି ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ବ୍ଲକ କୃଷି ଅଧିକାରୀ (BAO) ଶ୍ରୀ ସୁଧାଂଶୁ ମେହେରଙ୍କ ତତ୍ତ୍ୱାବଧାନରେ ଏକ ବିଶେଷ ଯାଞ୍ଚ ଦଳ ଗଠନ କରାଯାଇଥିଲା। ଏହି ଦଳରେ ସୁଶ୍ରୀ ତପସ୍ୱିନୀ ମାଝୀ (ସହକାରୀ କୃଷି ଅଧିକାରୀ, ହାତୀବନ୍ଧା), ସମ୍ବିତ କୁମାର ବିଶ୍ୱାଳ (ସହକାରୀ କୃଷି ଅଧିକାରୀ, ସିନାପାଲି) ଓ ଅରୁଣ ଧାକଡ଼ (BTM, ସିନାପାଲି) ସମ୍ମିଳିତ ଥିଲେ।ଗତ ପାଞ୍ଚ ଦିନ ଧରି ଏହି ଟିମ ସିନାପାଲି ବ୍ଲକର ବିଭିନ୍ନ ଅଞ୍ଚଳ ବୁଲି ସାର ଡିଲରମାନଙ୍କ ଦୋକାନରେ ଯାଞ୍ଚ କରିବା ସହ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟରେ ସାର ବିକ୍ରି କରିବାକୁ କଡ଼ା ନିର୍ଦ୍ଦେଶ ଦେଇଆସୁଥିଲେ। କୃଷି ବିଭାଗର ଏହି ପଦକ୍ଷେପ ଚାଷୀମାନଙ୍କ ହିତରକ୍ଷା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନେ କରାଯାଉଛି।ସୂଚନାନୁସାରେ, ପଲସାପଡ଼ା ଗ୍ରାମର ଜୈନକ ସାର ଡିଲର ବିରୋଧରେ ଚଢ଼ା ଦରରେ ସାର ବିକ୍ରି କରାଯାଉଥିବା ଅଭିଯୋଗ କୃଷି ବିଭାଗ ପାଖକୁ ପହଞ୍ଚିଥିଲା। ଏହି ଅଭିଯୋଗକୁ ଗୁରୁତ୍ୱର ସହ ଗ୍ରହଣ କରି BAO ଓ AAO ମିଶି ତତ୍କ୍ଷଣାତ୍ ସ୍ଥଳ ପରିଦର୍ଶନ କରିଥିଲେ। ଯାଞ୍ଚ ସମୟରେ ଡିଲରଙ୍କୁ କଡ଼ା ଭାବରେ ତାଗିତ କରାଯାଇଥିବା ସହ ଆଗାମୀ ଦିନରେ ଏପରି ଅନିୟମିତତା ପୁନରାବୃତ୍ତି ହେଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ତାଗିତ କରିବା ସହ ଏକ କାରଣ ଦର୍ଶାଅ ନୋଟିସ୍ କରାଯାଇଛି।କୃଷି ବିଭାଗର ଅଧିକାରୀମାନେ ସ୍ପଷ୍ଟ କରିଦେଇଛନ୍ତି ଯେ ସରକାରୀ ନିୟମ ଉଲ୍ଲଂଘନ କରୁଥିବା କୌଣସି ଡିଲରଙ୍କୁ ଛଡ଼ାଯିବ ନାହିଁ। ଏପରି ଅନିୟମିତତା ଧରାପଡ଼ିଲେ ଲାଇସେନ୍ସ ବାତିଲ ସହ କଠୋର ପଦକ୍ଷେପ ଗ୍ରହଣ କରାଯିବ।ବ୍ଲକ କୃଷି ଅଧିକାରୀ ଶ୍ରୀ ସୁଧାଂଶୁ ମେହେର ଓ ତାଙ୍କ ଦଳର ଏହି କଡ଼ା ପଦକ୍ଷେପକୁ ସ୍ଥାନୀୟ ଚାଷୀମାନେ ସ୍ୱାଗତ କରିଥିବା ସହ ବ୍ୟାପକ ଭାବରେ ପ୍ରଶଂସା କରୁଛନ୍ତି। ଏହା ଦ୍ୱାରା ଆଗାମୀ ଦିନରେ ସାର ବିକ୍ରୟ ବ୍ୟବସ୍ଥାରେ ପ୍ରଶାସନିକ ଶୃଙ୍ଖଳା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

