ଚିକିଟି,୮।୭(ନିଗମାନନ୍ଦ ପଣ୍ଡା):ଚିକିଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ଆଜି ଅନୁଷ୍ଠିତ ହେବାକୁ ଥିବା ଉପ-ନିର୍ବାଚନ ସ୍ଥଗିତ ହେବା ପରେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ପରିସରରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମାନ୍ୟବର ଓଡ଼ିଶା ହାଇକୋର୍ଟ ଏହି ନିର୍ବାଚନ ପ୍ରକ୍ରିୟା ଉପରେ ଅନ୍ତରୀଣ ସ୍ଥଗିତାଦେଶ ଜାରି କରିଥିବା ବେଳେ, ଏ ସମ୍ପର୍କରେ ସମିତି ସଭ୍ୟମାନଙ୍କୁ କୌଣସି ପୂର୍ବ ସୂଚନା ଦିଆଯାଇ ନଥିବା ଅଭିଯୋଗ ହୋଇଛି।ମିଳିଥିବା ସୂଚନା ଅନୁଯାୟୀ, ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନରେ ଭୋଟ୍ ଦେବା ପାଇଁ ବ୍ଲକର ୧୨ ଜଣ ସମିତି ସଭ୍ୟ ନିର୍ଦ୍ଧାରିତ ସମୟରେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ହେଲେ ସେଠାରେ ନିର୍ବାଚନ ଦାୟିତ୍ୱରେ ଥିବା କୌଣସି ଅଧିକାରୀ କିମ୍ବା ନିର୍ବାଚନ ପରିଚାଳନା ଦଳ ଉପସ୍ଥିତ ନଥିଲେ। ପ୍ରଶାସନ ତରଫରୁ ସ୍ଥଗିତାଦେଶ ସମ୍ବନ୍ଧୀୟ କୌଣସି ଆଧିକାରିକ ନୋଟିସ ବା ସୂଚନା ନପାଇ ସଭ୍ୟମାନେ କ୍ଷୋଭ ପ୍ରକାଶ କରିଛନ୍ତି।ପ୍ରଶାସନିକ ଅବହେଳା ଓ ସୂଚନା ବିହୀନ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ କରି ସମସ୍ତ ପି.ଆର.ଆଇ (PRI) ମେମ୍ବର ବା ସମିତି ସଭ୍ୟମାନେ ଏବେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା କରାଯାଇଛି।

