ଖୋର୍ଦ୍ଧା,୫।୭(କେଦାର ନାଥ ସାହୁ): ଦୀର୍ଘ ଦୁଇ ଦଶନ୍ଧି ଧରି ନ୍ୟାୟ ପାଇଁ କୋର୍ଟ, କଚେରି ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇ ମଧ୍ୟ ସମାଧାନ ନ ମିଳିବାରୁ ଶେଷରେ ଗଣମାଧ୍ୟମର ଦ୍ୱାରସ୍ଥ ହୋଇଛନ୍ତି ଖୋର୍ଦ୍ଧା ଓ ଜଟଣୀ ଅଞ୍ଚଳର ପ୍ରାୟ ୩୦୦ରୁ ଅଧିକ ଜମି କ୍ରେତା। ରବିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ ଅଭିଯୋଗ କରିଛନ୍ତି ଯେ, ମୁକୁନ୍ଦପ୍ରସାଦ ମୌଜାର ଗୋଶାଳା ଜମିକୁ ନେଇ ପ୍ରଶାସନିକ ତ୍ରୁଟି, ରେକର୍ଡ ପରିବର୍ତ୍ତନ ଏବଂ ପରବର୍ତ୍ତୀ ଆଇନଗତ ଜଟିଳତା ଯୋଗୁଁ ଶହ ଶହ ପରିବାର ଦୀର୍ଘ ୨୦ ବର୍ଷ ଧରି ଅନିଶ୍ଚିତତା ମଧ୍ୟରେ ଜୀବନ କାଟୁଛନ୍ତି।ପ୍ରେସ୍ ସମ୍ମିଳନୀରେ ଜମି କ୍ରେତାଙ୍କ ପ୍ରତିନିଧିମାନେ କହିଥିଲେ ଯେ, ୧୯୩୦ ମସିହାରେ ମୁକୁନ୍ଦପ୍ରସାଦ ମୌଜାରେ ବ୍ୟକ୍ତିଗତ ମାଲିକଙ୍କଠାରୁ ଆଇନସମ୍ମତ ଭାବେ ଜମି କ୍ରୟ କରାଯାଇ ସେଠାରେ ପୁରୀ ଜଗନ୍ନାଥ ଗୋଶାଳା, ଜଟଣୀ ରାମଚନ୍ଦ୍ର ଗୋଶାଳା ଏବଂ ଖୋର୍ଦ୍ଧା ଶ୍ରୀକୃଷ୍ଣ ଗୋଶାଳା ନାମରେ ତିନୋଟି ଗୋଶାଳା ସ୍ଥାପନ କରାଯାଇଥିଲା। ପରେ ଏହି ତିନୋଟି ଗୋଶାଳାକୁ ଏକତ୍ର କରି ‘ଶ୍ରୀ ଜଗନ୍ନାଥ ପୁରୀ ଗୋଶାଳା, ଖୋର୍ଦ୍ଧା’ ନାମରେ ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟ, ୧୮୬୦ ଅନୁଯାୟୀ ପଞ୍ଜିକୃତ କରାଯାଇଥିଲା। ୧୯୬୨ ବନ୍ଦୋବସ୍ତ ରେକର୍ଡରେ ମଧ୍ୟ ଗୋଶାଳା ନାମରେ ପ୍ରାୟ ୨୯.୭୩୦ ଏକର ଜମି ରେକର୍ଡଭୁକ୍ତ ଥିବା ସେମାନେ ଦାବି କରିଛନ୍ତି।ସେମାନଙ୍କ କହିବା ଅନୁଯାୟୀ, ୧୯୯୬ ମସିହାରେ ଗୋଶାଳା ପରିଚାଳନା କମିଟିର ସଂକଳ୍ପ ଅନୁସାରେ ମୁକୁନ୍ଦପ୍ରସାଦର ଜମି ବିକ୍ରୟ କରି ଗୋଶାଳାର ପରିଚାଳନା ଖର୍ଚ୍ଚ ବହନ କରିବା ଏବଂ ଅନ୍ୟ ସ୍ଥାନରେ ଗୋଶାଳା ପରିଚାଳନା କରିବାକୁ ନିଷ୍ପତ୍ତି ହୋଇଥିଲା। ଏହାପରେ ନିୟମାନୁସାରେ ପଞ୍ଜିକୃତ ବିକ୍ରୟ ଦଲିଲ ମାଧ୍ୟମରେ ପ୍ରାୟ ୩୦ ଏକର ଜମି ଖୋର୍ଦ୍ଧା ଓ ଜଟଣୀ ଅଞ୍ଚଳର ପ୍ରାୟ ୩୦୦ ଜଣ କ୍ରେତା କିଣିଥିଲେ। କେତେକ କ୍ରେତାଙ୍କ ନାମରେ ମ୍ୟୁଟେସନ ହେବା ସହ ଭୂବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅନୁମତି ମଧ୍ୟ ମିଳିଥିଲା ବୋଲି ସେମାନେ ଦାବି କରିଛନ୍ତି।ତେବେ ସମସ୍ୟାର ମୋଡ଼ ବଦଳିଥିଲା ୨୦୦୫ ମସିହାରେ। ଜମି କ୍ରେତାଙ୍କ ଅଭିଯୋଗ ଅନୁସାରେ, କୌଣସି ପୂର୍ବ ସୂଚନା କିମ୍ବା ଶୁଣାଣି ବିନା ତତ୍କାଳୀନ ତହସିଲ ପ୍ରଶାସନ ବିବାଦୀୟ ଜମିର ରେକର୍ଡକୁ ‘ଶ୍ରୀଜଗନ୍ନାଥ ବିଜେ, ପୁରୀ’ ନାମରେ ପରିବର୍ତ୍ତନ କରିଦେଇଥିଲେ। ଏହାପରେ ୨୦୦୭ ମସିହାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜମିକୁ ନିଲାମ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ନିଜ ଜମି ହରାଇବା ଆଶଙ୍କାରେ କ୍ରେତାମାନେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ଉଚ୍ଚ ନ୍ୟାୟାଳୟ ନିଲାମ ପ୍ରକ୍ରିୟାକୁ ରୋକିବା ସହ ଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ସେମାନେ କହିଛନ୍ତି। କିନ୍ତୁ ଏତେ ବର୍ଷ ବିତିଯାଇଥିଲେ ମଧ୍ୟ ତଦନ୍ତ ଶେଷ ହୋଇନଥିବାରୁ ଅସନ୍ତୋଷ ବଢ଼ିଚାଲିଥିବା ସେମାନେ ପ୍ରକାଶ କରିଛନ୍ତି।ପ୍ରତିନିଧିମାନେ କହିଛନ୍ତି, ଉଚ୍ଚ ନ୍ୟାୟାଳୟର ଏକାଧିକ ନିର୍ଦ୍ଦେଶ ଏବଂ ଆଇନ ମନ୍ତ୍ରୀଙ୍କ ହସ୍ତକ୍ଷେପ ସତ୍ତ୍ୱେ ମଧ୍ୟ ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ଆରଟିଆଇ ଆଇନ ବଳରେ ମଗାଯାଇଥିବା ସୂଚନା ମଧ୍ୟ ମିଳୁନଥିବାର ଅଭିଯୋଗ କରି ସେମାନେ ପ୍ରଶ୍ନ କରିଛନ୍ତି ଯେ, ଯଦି ଜମିଟି ପ୍ରକୃତରେ ଶ୍ରୀଜଗନ୍ନାଥଙ୍କର ଥିଲା, ତେବେ ତାହା ବ୍ୟକ୍ତିଗତ ନାମରୁ କିପରି ବିକ୍ରୟ ହେଲା ଏବଂ ସରକାରୀ କାର୍ଯ୍ୟାଳୟରେ ପଞ୍ଜିକୃତ ହେଲା।ଏହି ସମୟରେ ମୁକୁନ୍ଦପ୍ରସାଦ ମୌଜାର ପ୍ରାୟ ୧୧ ଏକର ଜମିକୁ କିଛି ତୃତୀୟ ପକ୍ଷ ବେଆଇନ ଭାବେ ଦଖଲ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ମଧ୍ୟ ସେମାନେ ଆଣିଛନ୍ତି। ଏ ସମ୍ପର୍କରେ ପୋଲିସ ଓ ପ୍ରଶାସନକୁ ଏକାଧିକ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ଦୃଶ୍ୟମାନ ପଦକ୍ଷେପ ନିଆଯାଇନଥିବାରୁ ଜମି କ୍ରେତାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି।ପ୍ରାୟ ତିନି ଦଶନ୍ଧି ତଳେ ଆଇନସମ୍ମତ ଭାବେ ଜମି କିଣିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଘର ନିର୍ମାଣ କରିପାରୁ ନଥିବା, ଜମି ଉପରେ ପୂର୍ଣ୍ଣ ଅଧିକାର ପାଇପାରୁ ନଥିବା ଏବଂ ବାରମ୍ବାର ଆଇନଗତ ଲଢ଼େଇ କରିବାକୁ ବାଧ୍ୟ ହେଉଥିବାରୁ ଅନେକ ପରିବାର ଆର୍ଥିକ ଓ ମାନସିକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ସେମାନେ କହିଛନ୍ତି।ଶେଷରେ ଜମି କ୍ରେତାମାନେ ସରକାରଙ୍କୁ ନିରପେକ୍ଷ ତଦନ୍ତ କରି ପ୍ରକୃତ ତଥ୍ୟ ସାର୍ବଜନୀନ କରିବା, ଜମି ରେକର୍ଡରେ ହୋଇଥିବା ପରିବର୍ତ୍ତନର ଆଇନଗତ ଆଧାର ସ୍ପଷ୍ଟ କରିବା, ବୈଧ କ୍ରେତାଙ୍କ ସ୍ୱାର୍ଥ ସୁରକ୍ଷା କରିବା ଏବଂ ଦୀର୍ଘ ୨୦ ବର୍ଷର ଏହି ବିବାଦର ଶୀଘ୍ର ସମାଧାନ କରିବାକୁ ଦାବି କରିଛନ୍ତି। ନ୍ୟାୟ ନ ମିଳିଲେ ରାଜ୍ୟବ୍ୟାପୀ ଆନ୍ଦୋଳନର ପନ୍ଥା ଆପଣାଇବେ ବୋଲି ମଧ୍ୟ ସେମାନେ ସୂଚନା ଦେଇଛନ୍ତି।

