ତୁମୁଡ଼ିବନ୍ଧ,୨୩।୧୦(ବାଲକୃଷ୍ଣ ଚର୍ଚ୍ଚି):ପୁଅ ଡାକ୍ତର ହେବ, ଗରିବ ପରିବାରର ଦୁଃଖ ଦୂର ହେବ—ଏହି ସ୍ୱପ୍ନକୁ ନେଇ ସଂଘର୍ଷ କରୁଛନ୍ତି ବୃଦ୍ଧ ବାପା-ମାଆ। ହେଲେ ଅର୍ଥାଭାବ ଏତେ ଯେ, ପୁଅର ଡାକ୍ତରୀ ପାଠପଢ଼ା ପାଇଁ ୨୨ ହଜାର ଟଙ୍କା ଯୋଗାଡ଼ କରିବାକୁ ଭତ୍ତା କାର୍ଡ ବନ୍ଧକ ରଖିବାକୁ ପଡ଼ିଲା। ଏଭଳି ହୃଦୟସ୍ପର୍ଶୀ ଘଟଣା କନ୍ଧମାଳ ଜିଲ୍ଲାରୁ ସାମ୍ନାକୁ ଆସିଛି। ତେବେ ଏହି ଅସହାୟ ପରିବାର ପାଇଁ ସହାୟତାର ହାତ ବଢ଼ାଇଛନ୍ତି ସମାଜସେବୀ ଟୁନା ଦାଶ ଓ ବାଲିଗୁଡ଼ା ବିଧାୟକ ଚକ୍ରମଣି କହ୍ନର। ଡାକ୍ତରୀ ଛାତ୍ର ସୁଶାନ୍ତ ସୁନାମାଝୀଙ୍କୁ ମୋଟ ୪୩ ହଜାର ଟଙ୍କା ସହାୟତା ମିଳିଥିବା ଜଣାପଡ଼ିଛି।କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ର ଧୂସାରୀ ଗାଁର କେପାଙ୍ଗା ସୁନାମାଝୀ ଓ ନାଗାଟାଲୁ ସୁନାମାଝୀଙ୍କ ପୁଅ ସୁଶାନ୍ତ ସୁନାମାଝୀ ଚଳିତ ବର୍ଷ NEET ପରୀକ୍ଷାରେ ସଫଳତା ହାସଲ କରି ଯାଜପୁରସ୍ଥିତ ମହାରାଜା ଯଯାତି କେଶରୀ ସରକାରୀ ମେଡିକାଲ୍ କଲେଜରେ ନାମ ଲେଖାଇଛନ୍ତି। ପୁଅର ଏହି ସଫଳତା ପରିବାର ପାଇଁ ଖୁସି ଆଣିଥିଲେ ମଧ୍ୟ ଆଗାମୀ ପାଠପଢ଼ା ଖର୍ଚ୍ଚ ଏବେ ବଡ଼ ଚିନ୍ତା ପାଲଟିଛି।ସୁଶାନ୍ତଙ୍କ ବାପା ବୟସାଧିକ୍ୟ ଓ ଶାରୀରିକ ଅକ୍ଷମତା ଯୋଗୁଁ ଅଧିକ କାମ କରିପାରୁନାହାନ୍ତି। ଅନ୍ୟପଟେ ମାଆ ଜଙ୍ଗଲରୁ ପତ୍ର ସଂଗ୍ରହ କରି ଖଲି ସିଲେଇ କରିବା ସହ ଅଳ୍ପ ଜମିରେ ଝୁଡ଼ଙ୍ଗ ଚାଷ କରି ପରିବାର ଚଳାଉଛନ୍ତି। ସୀମିତ ରୋଜଗାର ମଧ୍ୟରେ ପୁଅକୁ ଉଚ୍ଚଶିକ୍ଷିତ କରିବା ପାଇଁ ସେମାନଙ୍କ ସଂଘର୍ଷ ଜାରି ରହିଛି।ପୁଅର ନାମଲେଖା ଖର୍ଚ୍ଚ ଯୋଗାଡ଼ କରିବାକୁ ୨୨ ହଜାର ଟଙ୍କା ପାଇଁ ଭତ୍ତା କାର୍ଡ ବନ୍ଧକ ରଖିବା ସହ ସ୍ୱଳ୍ପ ଜମିକୁ ମଧ୍ୟ ବନ୍ଧକ ରଖିଥିବା ସୂଚନା ମିଳିଛି। ଏହି ଘଟଣା ଗରିବ ପରିବାରର ଆର୍ଥିକ ସଂଘର୍ଷକୁ ପଦାରେ ପକାଇଛି।ପରିବାରର ଦୁରବସ୍ଥା ସମ୍ପର୍କରେ ଜଣାପଡ଼ିବା ପରେ ସମାଜସେବୀ ଟୁନା ଦାଶ ଓ ବାଲିଗୁଡ଼ା ବିଧାୟକ ଚକ୍ରମଣି କହ୍ନର ସୁଶାନ୍ତଙ୍କୁ ସହାୟତା ପ୍ରଦାନ କରିଛନ୍ତି। ମୋଟ ୪୩ ହଜାର ଟଙ୍କାର ଏହି ସହଯୋଗ ତାଙ୍କ ଡାକ୍ତରୀ ପାଠପଢ଼ା ଜାରି ରଖିବାରେ କିଛିଟା ଆଶ୍ୱସ୍ତି ଆଣିବ ବୋଲି ଆଶା କରାଯାଉଛି।ତେବେ ଡାକ୍ତରୀ ପାଠପଢ଼ା ଦୀର୍ଘକାଳୀନ ହୋଇଥିବାରୁ ସୁଶାନ୍ତଙ୍କୁ ଆଗକୁ ମଧ୍ୟ ଆର୍ଥିକ ସହାୟତାର ଆବଶ୍ୟକତା ରହିଛି। ଜଣେ ମେଧାବୀ ଛାତ୍ରଙ୍କ ଡାକ୍ତର ହେବାର ସ୍ୱପ୍ନ ଯେପରି ଅର୍ଥାଭାବରେ ଅଧାରେ ରହି ନଯାଏ, ସେଥିପାଇଁ ପ୍ରଶାସନ, ଶିକ୍ଷା ବିଭାଗ ଓ ସମାଜର ସହଯୋଗ ଜରୁରୀ।

