ଖଜୁରୀପଡ଼ା/ଟିକାବାଲି,୧୮।୭(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ବୁର୍ବିନାଜୁ ପଞ୍ଚାୟତର ମିଡ଼ାବାଲି ଗ୍ରାମ ନିକଟରେ ଥିବା ଏକ ଶଙ୍ଖ ଦୀର୍ଘ ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ଭାଙ୍ଗିପଡ଼ି ବିପଦସଙ୍କୁଳ ଅବସ୍ଥାରେ ପଡ଼ିରହିଛି। ପ୍ରତିଦିନ ଶହ ଶହ ଲୋକ ଜୀବନକୁ ବାଜି ଲଗାଇ ଏହି ରାସ୍ତାରେ ଯାତାୟାତ କରୁଥିବା ବେଳେ ପ୍ରଶାସନର ଉଦାସୀନତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି। ତୁରନ୍ତ ଶଙ୍ଖର ପୁନଃନିର୍ମାଣ ନ କରାଗଲେ ବ୍ୟାପକ ଗଣଆନ୍ଦୋଳନ କରାଯିବ ବୋଲି କଡ଼ା ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ।ସୂଚନା ଅନୁଯାୟୀ, ଆର୍.ଡି. ରାସ୍ତାରୁ ମିଡ଼ାବାଲି କୁ ସଂଯୋଗ କରୁଥିବା ଏହି ଶଙ୍ଖର ମଧ୍ୟଭାଗ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ବର୍ତ୍ତମାନ କେବଳ ଏକ ସରୁ ଅଂଶ ଦେଇ ଲୋକମାନେ ପାଦରେ ଚାଲି, ସାଇକେଲ ଓ ବାଇକ୍ ଠେଲି କିମ୍ବା ଗଡ଼ାଇ ପାର ହେଉଛନ୍ତି। ସାମାନ୍ୟ ଅସାବଧାନତା ହେଲେ ଯେକୌଣସି ସମୟରେ ବଡ଼ ଧରଣର ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି।ଏହି ରାସ୍ତା ଉପରେ ମିଡ଼ାବାଲି, ପେନାବିଡା ଓ ପକାରି ଗ୍ରାମର ପ୍ରାୟ ୧୫ ଶହରୁ ଅଧିକ ଲୋକ ନିର୍ଭର କରୁଛନ୍ତି। କିନ୍ତୁ ଶଙ୍ଖ ଭାଙ୍ଗିଯାଇଥିବାରୁ ତିନି ଚକିଆ ଓ ଚାରିଚକିଆ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଛି। ଯାହା ଫଳରେ ମାତ୍ର ଏକ କିଲୋମିଟର ଦୂରତା ଅତିକ୍ରମ କରିବା ପାଇଁ ଲୋକଙ୍କୁ ପ୍ରାୟ ପାଞ୍ଚ କିଲୋମିଟର ବୁଲି ଯିବାକୁ ପଡ଼ୁଛି। ଏହାଦ୍ୱାରା ସମୟ, ଅର୍ଥ ଓ ଜରୁରୀ ସେବା ଉପରେ ଗୁରୁତ୍ବର ପ୍ରଭାବ ପଡ଼ୁଛି।ବହୁବାର ଦାବି ସତ୍ତ୍ୱେ ମଧ୍ୟ ଶଙ୍ଖର ପୁନଃନିର୍ମାଣ କାମ ଆରମ୍ଭ ନ ହେବାରୁ ଗ୍ରାମବାସୀମାନେ ବୁର୍ବିନାଜୁ ପଞ୍ଚାୟତର ସରପଞ୍ଚ ସଲିମା ପ୍ରଧାନଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଦାବି ତୁରନ୍ତ ଶଙ୍ଖର ପୁନଃନିର୍ମାଣ କରି ସୁରକ୍ଷିତ ଯାତାୟାତର ବ୍ୟବସ୍ଥା କରାଯାଉ।ଏନେଇ ସରପଞ୍ଚ ସଲିମା ପ୍ରଧାନ କହିଛନ୍ତି ଯେ, ଏହି ଶଙ୍ଖ ନିର୍ମାଣ ପାଇଁ ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ବାଲିଗୁଡ଼ା ଆଇଟିଡିଏ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକାଧିକ ଥର ଲିଖିତ ଭାବେ ଅବଗତ କରାଯାଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ବିଭାଗ ପକ୍ଷରୁ ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନିଆଯାଇନାହିଁ। ଫଳରେ ସାଧାରଣ ଲୋକଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢ଼ି ଚାଲିଛି।ଏହି ପ୍ରସଙ୍ଗରେ ସ୍ୱାକ ଅନୁଷ୍ଠାନର ସଭାପତି ଆମନ ଚନ୍ଦ୍ର ନାୟକ, ସମ୍ପାଦକ ହୃଷୀକେଶ ପ୍ରଧାନ ଓ କୋଷାଧ୍ୟକ୍ଷ ସାମନ୍ତ ଶେଖର ନାୟକ ଉପସ୍ଥିତ ରହି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ସେମାନେ କହିଥିଲେ ଯେ, ଏହି ସମସ୍ୟାକୁ ସରକାର ଓ ପ୍ରଶାସନଙ୍କ ଦୃଷ୍ଟିକୁ ଆଣି ଶୀଘ୍ର ଶଙ୍ଖର ପୁନଃନିର୍ମାଣ ପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯିବ।ବର୍ଷା ଋତୁରେ ଭଙ୍ଗା ଶଙ୍ଖଟି ଆହୁରି ବିପଦଜନକ ପାଲଟୁଥିବାରୁ ଯେକୌଣସି ସମୟରେ ଏକ ବଡ଼ ଅଘଟଣା ଘଟିପାରେ। ତେଣୁ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଶଙ୍ଖର ପୁନଃନିର୍ମାଣ କରିବାକୁ ଗ୍ରାମବାସୀ ଦୃଢ଼ ଦାବି କରିଛନ୍ତି। ନଚେତ୍ ଆଗାମୀ ଦିନରେ ବ୍ୟାପକ ଗଣଆନ୍ଦୋଳନ କରାଯିବ ବୋଲି ସେମାନେ ସ୍ପଷ୍ଟ ଭାବେ କଡ଼ା ଚେତାବନୀ ଦେଇଛନ୍ତି।

