ବ୍ରହ୍ମପୁର, ୨୫/୪:(ହିମାଂଶୁ ଶେଖର ସାବତ):ବ୍ରହ୍ମପୁର ମହାନଗର ନିଗମ ସ୍ଥିତ କର୍ପୋରେଟର୍ ସଭା ଗୃହରେ ସହରର ସମସ୍ତ ନିଗମ କର୍ପୋରେଟର୍ ସ୍ବାସ୍ଥ୍ୟ କର୍ମୀ, କମ୍ୟୁନିଟି ଅର୍ଗାନାଇଜର୍ ଆଦିଙ୍କ ପାଇଁ ଏକ ଡେଙ୍ଗୁ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାକୁ ମାନ୍ୟବର ମେୟର୍ ଶ୍ରୀମତୀ ସଂଘମିତ୍ରା ଦଳାଇ ସଭାପତିତ୍ବ କରିଥିବା ବେଳେ ନିଗମ ଆୟୁକ୍ତ ସୁଶ୍ରୀ ଏ.ଶସ୍ୟା ରେଡ୍ଡୀ ଉପସଭାପତିତ୍ୱ ଭାବେ ଦାୟିତ୍ୱ ତୁଲାଇଥିଲେ। ସୂଚନା ଥାଉକି, ଏହି ସଚେତନତା ସଭା ପରେ ଡେଙ୍ଗୁ ଜନିତ ସମସ୍ତ କାର୍ଯ୍ୟକ୍ରମ ଜୁନ୍ ୦୧, ୨୦୨୬ ଠାରୁ ଅଗଷ୍ଟ ୩୧, ୨୦୨୬ ସୁଦ୍ଧା ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ବ୍ୟାପକ ରୂପେ ଆରମ୍ଭ ହେବ ।ରାଜ୍ୟ କୀଟ ତତ୍ତ୍ବବିତ୍ (ଆଇ.ଡ଼ି.ଏସ୍.ପି) ଡ଼ା. ରବିଶଙ୍କର ପଣ୍ଡିତ୍ ଏହି ସଭାରେ ଯୋଗଦେଇ ଡେଙ୍ଗୁ ଓ ଭେକ୍ଟର୍ ବାହିତ ଅନ୍ୟାନ୍ୟ ରୋଗ ଯଥା ମ୍ୟାଲେରିଆ, ଫାଇଲେରିଆ ଓ ଚିକେନ୍ଗୁନିଆ ସମ୍ଭନ୍ଧରେ ପୁଙ୍ଖାନୁପୁଙ୍ଖ ରୂପେ ଆଲୋଚନା କରିବା ସହିତ ଏହାର କାରଣ, ପ୍ରତିକାର, ନିବାରଣ, ଜନସମୂହଙ୍କ ଦାୟିତ୍ଵ ଓ ଗୋଷ୍ଠୀ ସହଭାଗିତା ସମ୍ବନ୍ଧରେ ସୂଚନା ଦେଇଥିଲେ । ଏହି ସଭାରେ ସହରାଞ୍ଚଳର ବିଭିନ୍ନ ସ୍ଥାନ ମାନଙ୍କରେ ନାଳ ସଫା, କୀଟନାଶକ ଔଷଧ ସିଞ୍ଚନ ସମେତ ପ୍ରତି ଅଞ୍ଚଳରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ଓ ମଶାରୀ ବ୍ୟବହାର ଉପରେ ଗୁରୁତ୍ବାରୋପ କରାଯାଇଥିଲା।ଏତଦ୍ ବ୍ୟତୀତ ଏହି ସଚେତନତା ଶିବିରରେ ଯୋଗ ଦେଇଥିବା ଅନ୍ୟାନ୍ୟ ଅଧିକାରୀ ଓ କର୍ମକର୍ତ୍ତାମାନେ ଯଥା ଡେପୁଟି ମେୟର୍ , ନିଗମ ଉପ ଆୟୁକ୍ତ ଶ୍ରୀ ଆଶୀର୍ବାଦ ପରିଡା , ନିଗମ ଉପ ଆୟୁକ୍ତ ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେବୀ , ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା. ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ସହରାଞ୍ଚଳ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ଶରତ କୁମାର ସାମଲ, ସହରାଞ୍ଚଳ ସ୍ବାସ୍ଥ୍ୟ ଅଧିକାରୀ ବ୍ରହ୍ମପୁର ମହାନଗର ନିଗମ ଡ଼ା. ମାନସ ରଞ୍ଜନ ପଣ୍ଡା, ଜିଲ୍ଲା ଭେକ୍ଟରବାହୀ ରୋଗ ପରାମର୍ଶଦାତା, ସହ କୀଟ ବିଜ୍ଞାନୀ, ଖାଦ୍ୟ ସୁରକ୍ଷା ଅଧିକାରୀ ବ୍ରହ୍ମପୁର, ସମସ୍ତ ସ୍ଵଚ୍ଛତା ନିରୀକ୍ଷକ ବ୍ରହ୍ମପୁର ଓ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ୍ ବ୍ରହ୍ମପୁରର ସମସ୍ତ କର୍ମକର୍ତ୍ତାବୃନ୍ଦ ଯୋଗ ଦେଇଥିଲେ ।ଏହିଭଳି ବୈଠକ ଆଗାମୀ ଦିନରେ ବ୍ୟାପକ ରୂପେ ଅନୁଷ୍ଠିତ କରିବାପାଇଁ ମେୟର୍ ବ୍ରହ୍ମପୁର ଶ୍ରୀମତୀ ଦଳାଇ ଉଦବୋଧନ ଦେଇଥୁଲେ । ଏହି ସଭାକୁ ପରିଚାଳିତ କରିଥିଲେ ଶ୍ରୀଯୁକ୍ତ ଲମ୍ବୋଦର ଦିଗଲ (ସହରାଞ୍ଚଳ କାର୍ଯ୍ୟ ପରିଚାଳକ) ଯିଏ କି ଏହି ବର୍ଷ ବ୍ରହ୍ମପୁର ମହାନଗର ନିଗମ ଲାଗି ପ୍ରସ୍ତୁତ ହୋଇଥିବା ଡେଙ୍ଗୁ ପରିଚାଳନା ଜନିତ କାର୍ଯ୍ୟକ୍ରମଗୁଡିକୁ ଆଲୋଚନା କରିବା ସହିତ ଡାଇରିଆ ଅଭିଯାନ ସମ୍ବନ୍ଧରେ ମଧ୍ଯ ଅବଗତ କରାଇଥିଲେ ଓ ଧନ୍ୟବାଦ ଭାଷଣ ଅର୍ପଣ କରିଥିଲେ ।

