ବେଗୁନିଆପଡ଼ା,୨୮।୯(ବାପୁନି ମାଲୁ):ଦୀର୍ଘଦିନ ଧରି ପାନୀୟ ଜଳ ସମସ୍ୟାରେ ହନ୍ତସନ୍ତ ହେଉଥିବା ଗ୍ରାମବାସୀଙ୍କ ନିକଟରେ ଶେଷରେ ପହଞ୍ଚିଲା ପିଇବା ପାଣି। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ବୁରୁଝରି ପଞ୍ଚାୟତ ଅନ୍ତର୍ଗତ କନ୍ୟାରୀବାଡି ଗ୍ରାମରେ ଦୀର୍ଘଦିନ ଧରି ପାନୀୟ ଜଳ ଯୋଗାଣ ବନ୍ଦ ରହିଥିଲା। ଏନେଇ ଗ୍ରାମବାସୀ ବାରମ୍ବାର ସମସ୍ୟା ଜଣାଇଥିଲେ ମଧ୍ୟ ସମାଧାନ ହେଉନଥିବା ଅଭିଯୋଗ ହୋଇଥିଲା। ପରେ ବିଭିନ୍ନ ଗଣମାଧ୍ୟମରେ ଏହି ସମସ୍ୟାକୁ ନେଇ ଖବର ପ୍ରସାରଣ କରାଯାଇଥିଲା। ଖବର ପ୍ରସାରଣ ପରେ ତତ୍ପର ହୋଇଛି ସମ୍ପୃକ୍ତ ବିଭାଗ। ଶେଷରେ କନ୍ୟାରୀବାଡି ଗ୍ରାମବାସୀଙ୍କୁ ପୁଣିଥରେ ପାନୀୟ ଜଳ ଯୋଗାଇ ଦିଆଯାଇଛି। ଦୀର୍ଘଦିନର ସମସ୍ୟା ସମାଧାନ ହେବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି। ଗଣମାଧ୍ୟମରେ ଖବର ପରେ ପ୍ରଶାସନିକ ତତ୍ପରତା ଦେଖାଦେବା ସହ ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ହୋଇଥିବାରୁ ଗ୍ରାମବାସୀ ମଧ୍ୟ ଖୁସି ପ୍ରକାଶ କରିଛନ୍ତି ।

