ବୋଲଗଡ଼,୧।୧୦(ସୁଶାନ୍ତ କୁମାର ପ୍ରଧାନ):ବୋଲଗଡ଼ ଅଞ୍ଚଳରେ ଏକ ସମୟରେ ସ୍ଥାନୀୟ ମାଟି ଓ ଜଳବାୟୁ ସହ ଖାପ ଖାଉଥିବା ବିଭିନ୍ନ ପ୍ରକାରର ଦେଶୀ ଧାନ ଚାଷ କରାଯାଉଥିଲା। ଚାଷୀ ନିଜ ଅମଳରୁ ଭଲ ବିହନ ବାଛି ସଂରକ୍ଷଣ କରି ପରବର୍ତ୍ତୀ ଋତୁରେ ବ୍ୟବହାର କରୁଥିଲେ। ସେତେବେଳେ ଚାଷୀ ଗୋବର ଖତ ବ୍ୟବହାର କରି ଜମିର ଉର୍ବରତା ବଜାୟ ରଖୁଥିଲେ ହେଲେ ଏବେ ଚିତ୍ର ବଦଳି ଯାଇଛି। ସମସ୍ତେ ରାସାୟନିକ ସାର ଉପରେ ନିର୍ଭରଶୀଳ ହୋଇପଡିଛନ୍ତି। ଅତ୍ୟଧିକ ରାସାୟନିକ ସାର ପ୍ରୟୋଗ ଫଳରେ ମାଟିର ଜୈବିକ ଗୁଣ ଓ ଉର୍ବରତା ନଷ୍ଟ ହେଉଛି। କମ୍ ସମୟରେ ଅଧିକ ଅମଳ ଆଶାରେ ଚାଷୀ ଏବେ ହାଇବ୍ରିଡ୍ ବିହନକୁ ଆପଣାଉଛନ୍ତି। ଡିଏପି, ୟୁରିଆ ଓ ପଟାସ୍ ଭଳି ରାସାୟନିକ ସାରର ବ୍ୟବହାର ଦିନକୁ ଦିନ ବଢୁଛି। ଏହା ଦ୍ୱାରା ମାଟିର ଉର୍ବରତା କମୁଥିବାରୁ ପାରମ୍ପରିକ ବିହନର ବ୍ୟବହାର ମଧ୍ୟ ସୀମିତ ହୋଇଯାଉଛି। ଅଧିକ ଅମଳ ଓ ବଜାର ଚାହିଦା ଯୋଗୁଁ ଆରଭେଣ୍ଡା, ଭିଜି, ୧୧୫୬, ୧୧୫୩ କଣ୍ଟା, ୧୦୧୦, ସିନ୍ଧୁ, ୧୦୦୧, କାବେରୀ, ଯାମିନୀ, ସୂର୍ଯ୍ୟମୁଖୀ ଭଳି ହାଇବ୍ରିଡ୍ କିସମ ଚାଷୀଙ୍କୁ ଆକର୍ଷିତ କରୁଛି। ଫଳରେ ପୂର୍ବରୁ ଚାଷ ହେଉଥିବା ଗୋପାଳଭୋଗ, କଳାଜୀରା, କଲମା, ବାସୁମତୀ, ମୁଗୁରୀ, ବାଇଆଭଣ୍ଡା, ବେଣାପନ୍ଦର, ଜଜାତି ଭଳି ଦେଶୀ କିସମ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି। ତଥାପି ଗ୍ରାମାଞ୍ଚଳର କିଛି ଚାଷୀ ଏବେ ବି ପାରିଜାତ, ଅଳସୀ, କଲମା, ନାଲି, ସରାଗି ଭଳି ଦେଶୀ ଧାନ ଚାଷକୁ ବଞ୍ଚାଇ ରଖିଛନ୍ତି। ଏପରି ଭାବେ ଦେଶୀ ବିହନ ବ୍ୟବହାର ହ୍ରାସ ପାଇବା ଯୋଗୁଁ ପାରମ୍ପରିକ କୃଷି ଜ୍ଞାନ ଓ ଜୈବ ବିବିଧତାର ମଧ୍ୟ ଅବକ୍ଷୟ ଘଟୁଛି। ଜଳବାୟୁ ପରିବର୍ତ୍ତନର ଆହ୍ୱାନ ଭିତରେ ସ୍ଥାନୀୟ ପରିବେଶ ସହ ଖାପ ଖୁଆଇ ପାରୁଥିବା ଏହି ଦେଶୀ ବିହନ ଭବିଷ୍ୟତ ପିଢି ପାଇଁ ମୂଲ୍ୟବାନ ହୋଇପାରେ। ତେଣୁ ବିଲୁପ୍ତ ପ୍ରାୟ ବିହନକୁ ଚିହ୍ନଟ ଓ ସଂରକ୍ଷଣ ସହ ବିହନ ବ୍ୟାଙ୍କ ପ୍ରତିଷ୍ଠା ଓ ଦେଶୀ ଧାନ ପାଇଁ ଉଚିତ୍ ବଜାର ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି।

