କଳାହାଣ୍ଡି,କରଲାମୁଣ୍ଡା:୩/୪(ଜନ ବାଣୀ ବ୍ୟୁରୋ): ଖରାଦିନେ ସାଧାରଣତଃ ଜଳସେଚନ ଅଭାବରୁ ଚାଷୀ ମାନେ ଚାଷ ଜମିରେ ପନିପରିବା ଚାଷ କରିପାରିନଥାନ୍ତି l ପଶ୍ଚିମ ଓଡିଶା ବିଶେଷ କରି କରଲାମୁଣ୍ଡା ଅଂଚଳର କୂଅ ଗୁଡିକ ଅଗଭୀର ହେଇଥିବାରୁ ଅଧିକାଂଶ ଚାଷୀଙ୍କ କୂଅ ଗୁଡିକ ଫେବୃଆରୀ ମାସ ପରେ ଶୁଖିବା ଆରମ୍ଭ ହୋଇଥାଏ l ଝରଣା କିମ୍ବା ଅନ୍ୟାନ୍ୟ କୌଣସି ଜଳସେଚନ ଉତ୍ସ ନଥିବାରୁ ଚାଷୀ ମାନଙ୍କର ଆଗ୍ରହ ଥିଲେ ମଧ୍ୟ ପ୍ରାୟ ମାର୍ଚ୍ଚ ମାସପରେ ଜଳାଭାବରୁ ଆଉ ପନିପରିବା ଚାଷ ହୋଇ ପାରିନଥାଏ l ସାଧାରଣତଃ ମାର୍ଚ୍ଚ ମାସ ଠାରୁ ଆରମ୍ଭ କରି ଜୁଲାଇ ମାସ ପର୍ଯ୍ୟନ୍ତ ସମସ୍ତେ ହାଟରୁ କିଂମ୍ବା ବୁଲାବେପାରିଙ୍କ ଠାରୁ ପନିପରିବା କିଣିଥାନ୍ତି l
୧00ବିକଳ୍ପ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା କରାଯାଇଥିବା ଆକଳନ ଅନୁସାରେ ଏହି ଅଂଚଳର ଏକ ପାଞ୍ଚ ଜଣିଆ ପରିବାର ପାଇଁ ଦୈନିକ ପ୍ରାୟ ଦୁଇ କିଲୋ ପନିପରିବା ଆବଶ୍ୟକ କରିଥାନ୍ତି l ଯାହାର ବଜାର ମୂଲ୍ୟ ୪0 ରୁ ୫0 ଟଙ୍କା ହୋଇଥାଏ l ତେଣୁ ବାର୍ଷିକ ପ୍ରାୟ ୧୮000 ଟଙ୍କା କେବଳ ଜଣେ ପରିବାର ପନିପରିବା କିଣା ବାବଦକୁ ଖର୍ଚ୍ଚ କରିଥାନ୍ତି l ଏହା ବାର୍ଷିକ ରୋଜଗାର ପ୍ରାୟ ୨୨ ପ୍ରତିଶତ l ଯଦି ଦୁଇ ଡ଼ିସିମିଲ ଘରବାଡ଼ିରେ ଉତ୍ତମ ପଦ୍ଧତିରେ ମିଶ୍ରିତ ପନିପରିବା ଚାଷ କରାଯାଏ, ଏହା ପରିବାରର କେବଳ ଖର୍ଚ୍ଚ କମାଇବ ନାହିଁ ବରଂ ବିଷମୁକ୍ତ, ସବୁଜ, ତଟକା ଓ ପୁଷ୍ଟକର ଖାଦ୍ୟ ବର୍ଷସାରା ଯୋଗାଇପାରିବ l ଦେଶୀ ମଞ୍ଜି ମଧ୍ୟ ସଂରକ୍ଷଣ ହେଇପାରିବ l
ଏହି ପରିପ୍ରେକ୍ଷୀରେ ହାତଧୁଆ ପାଣି, ଗାଧୁଆ ପାଣି, ଵାସନଧୁଆ ପାଣି ଘରୋଇ କମ୍ପୋଷ୍ଟ ଆଦିର ଉପଯୁକ୍ତ ବ୍ୟବହାର ମାଧ୍ୟମରେ ଘରବାଡ଼ିରେ ମିଶ୍ରିତ ପନିପରିବା ଚାଷ କରିବା ପାଇଁ ୧00ବିକଳ୍ପ ତରଫରୁ ଉଦ୍ୟମ ଆରମ୍ଭ କରାଯାଇଥିଲା l ଏହି ଘରବାଡ଼ି ଚାଷର ଉଦ୍ଦେଶ୍ୟ ହେଲା “ଭଲ ଖାଇବା ଓ ଭଲ ଖୁଆଇବା ଏବଂ ବିଷ ଖାଇଵା ନାହିଁ କିମ୍ବା ଖୁଆଇବା ନାହିଁ”
ଦୁଇ ଡ଼ିସିମିଲ ଘରବାଡିରୁ ଦୈନିକ ପ୍ରାୟ କିଲୋରୁ ଅଧିକ ପନିପରିବା ଅମଳ ହୋଇପାରିବ l ଘରବାଡିରୁ ମିଳୁଥିବା ପନପରିବା ସୁସ୍ୱାଦୁ ହେବା ସହିତ ବିହନ ଅମଳ କରାଯାଇପାରିବ l ଏହା ଦ୍ୱାରା ପ୍ରତି ବର୍ଷ ବ୍ୟୟ ବହୁଳ ହାଇବ୍ରିଡ଼ ମଞ୍ଜି କିଣା ବାବଦକୁ ଖର୍ଚ୍ଚ କମି ଯାଇପାରିବ l
ପ୍ରଥମେ ଅନୁଭୂତି ସମ୍ପର୍ଣ୍ଣ ଚାଷୀ ଓ ୧00ବିକଳ୍ପର କର୍ମୀ ମାନେ ମିଳିତ ଭାବେ ମହିଳା ଚାଷୀ ମାନଙ୍କୁ ଆଦର୍ଶ ଘରବାଡ଼ି ଚାଷର ତାଲିମ ଯଥା – ପରିବାର ପିଛା ପନିପରିବା ଆବଶ୍ୟକତା ଆକଳନ, ଫସଲ ଯୋଜନା ପ୍ରସ୍ତୁତି, ଗଛ ପାଇଁ କେତେ ପାଣି ଆବଶ୍ୟକ, ବିହନ ସଂଗ୍ରହ, ବିଜାମୃତ ଦ୍ୱାରା ବିହନ ବିଶୋଧନ, ଜିବାମୃତ, ହାଣ୍ଡିଖତ, ଘନଜୀଵାମୃତ ଓ ନିମାସ୍ତ୍ର ଆଦି ପର୍ଯ୍ୟାୟ କ୍ରମେ ତାଲିମ ପ୍ରଦାନ କରିଥିଲେ l ଏହି ତାଲିମ ପ୍ରକ୍ରିୟାରେ କନସିଲ, ଧନରାଖାମାନ ଓ ପରମାନନ୍ଦପୁର ଗାଁର ମହିଳା ମାନେ ଅଂଶ ଗ୍ରହଣ କରିଥିଲେ l ପାଞ୍ଚ ଜଣ ଆଗ୍ରହୀ ଚାଷୀଙ୍କ ବାଡ଼ିରେ ପନିପରିବା ଚାରା ପ୍ରସ୍ତୁତି କରାଯାଇ ସମସ୍ତଙ୍କୁ ଚାରା ବଣ୍ଟନ କରାଯାଇଥିଲା l ଏହି ପ୍ରକ୍ରିୟାରେ ଭାଗ ନେଇଥିବା ଶ୍ରୀମତୀ ଭାରତୀ ପୁଟେଲ ଜାନୁୟାରୀ ୧୫ ବେଳକୁ ନିଜର ଘରବାଡ଼ିରେ ଚାଷ କରିଥିଲେ ବର୍ତ୍ତମାନ ସୁଦ୍ଧା ସେ ୪୫ କିଲୋ ପନିପରିବା ଉତ୍ପାଦନ କରିସାରିଛନ୍ତି ଯାହାର ବଜାର ମୂଲ୍ୟ ୯00 ରୁ ୧000 ଟଙ୍କା ହେବ l ଶ୍ରୀମତୀ ପୁଟେଲ କହନ୍ତି ନିଜ ବାଡିରୁ ପରିବା ତୋଳି ଖାଇବାରେ ଏକ ନିଆରା ଆନନ୍ଦ ମିଳେ l ପନିପରିବା ନିଅଣ୍ଟିଆ ଓ ଅଧିକ ଦର ଥିବା ମାସରେ ଆମ ଖାଦ୍ୟ ଥାଳିକୁ ପରିପୂର୍ଣ୍ଣ ଓ ସୁଆଦିଆ କରିପାରିଛି l ଶ୍ରୀମତୀ ପୁଟେଲଙ୍କ ଭଳି ଏହି ଘରବାଡ଼ି ଚାଷ ଅଭିଯାନ ଦ୍ୱାରା ବର୍ତ୍ତମାନ ୧୨0 ଜଣ ମହିଳା ନିଜ ନିଜର ଘରବାଡ଼ିରେ ପ୍ରାକୃତିକ ପଦ୍ଧତିରେ ଚାଷ କରୁଛନ୍ତି l ଭଲ ଖାଉଛନ୍ତି ଓ ଖୁଆଉଛନ୍ତି l

