ଭଞ୍ଜନଗର,୨୬।୧୦(ନିଲୁ ବିଷୋୟୀ):ଅକ୍ଟୋବରରେ ବାତ୍ୟାକୁ ନେଇ ଗଞ୍ଜାମବାସୀଙ୍କ ଯେଉଁ ଭୟ ରହିଥିଲା ତାହା ଦ୍ବିଗୁଣିତ ହୋଇଛି। ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଏହା ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଆଣ୍ଡାମାନ ଦ୍ଵୀପପୁଞ୍ଜ ଉପରେ ଥିବା ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ର ସୃଷ୍ଟି କରି ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ୨୫ରେ ଗଭୀର ଅବପାତ ଏବଂ ୨୬ ତାରିଖ ସକାଳ ସୁଦ୍ଧା ଏହା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ପାଣି ପାଗ ବିଭାଗ ଆକଳନ କରିଛି। ସେତିକି ନୁହେଁ, ପରବର୍ତ୍ତୀ ୨ ଦିନରେ ଆହୁରି ଶକ୍ତିଶାଳୀ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଏହା ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବ। ଏହାର ପ୍ରଭାବରେ ୨୬ ତାରିଖରୁ ଗଞ୍ଜାମ ଜିଲ୍ଲାର ପାଗ ବଦଳିବ। ବର୍ଷା ଓ ପବନର ସ୍ଥିତି ପୂର୍ବାନୁମାନ କରି ଗଞ୍ଜାମ ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ହେଲେ ୨୭ ଓ ୨୮ ତାରିଖରେ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ ବୋଲି ପାଣିପାଗ ବିଭାଗ ଆକଳନ କରିବା ପରେ ଭଞ୍ଜନଗର ଓ ଡହ ଜଳଭଣ୍ଡାରର ଜଳଧାରଣ କ୍ଷମତାକୁ ଦୃଷ୍ଟିରେ ରଖି ୨୬ରୁ ୨୯ ତାରିଖ ମଧ୍ୟରେ ଜଳ ନିର୍ଗମନ ପଥ ଦେଇ ଲୋହରାଖଣ୍ଡି ନଦୀକୁ ପାଣି ଛଡ଼ାଯିବ। ଏଣୁ ନଦୀରେ ଗାଧୋଇବା ଓ ପାର ହେବା ବେଳେ ସତର୍କତା ଅବଲମ୍ବନ କରିବାକୁ ଜଳସଂପଦ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।ଏହା ସହ ଗୃହପାଳିତ ପଶୁ ଓ ଛୋଟପିଲାଙ୍କୁ ନଦୀକୁ ଯିବା ଲାଗି ସଂପୂର୍ଣ୍ଣ ବାରଣ କରାଯାଇଛି। ତେଣୁ ଜଳଭଣ୍ଡାରର ନିମ୍ନ ଅବବାହିକା ସହ ନଦୀକୂଳରେ ବସବାସ କରୁଥିବା ଜନସାଧାରଣଙ୍କୁ ଶନିବାର ଭଞ୍ଜନଗର ଜଳସମ୍ପଦ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

