ରାୟଗଡ,୨୭।୧୦(ଅମୂଲ୍ୟ ନିଶଙ୍କ):ବଙ୍ଗୋପସାଗରରେ ସୃଷ୍ଟ ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ତଥା ଜିଲ୍ଲାର ସ୍ଥିତି ନିୟନ୍ତ୍ରଣ ପାଇଁ ଓଡ଼ିଶା ସରକାରଙ୍କ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ଜିଲ୍ଲା ଦାୟିତ୍ୱ ରେ ଥିବା ବରିଷ୍ଠ ଅଧିକାରୀ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ବାତ୍ୟା ପୂର୍ବ ପ୍ରସ୍ତୁତି ଓ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ଉପରେ ବିସ୍ତୃତ ଆଲୋଚନା କରାଯାଇଛି।ଏହି କ୍ରମରେ ଆଭାସୀ ମାଧ୍ୟମରେ ରାମନାଗୁଡ଼ା ବ୍ଲକ ପ୍ରଶାସନର ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଥିଲେ। ବୈଠକରେ ଉପ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ସମ୍ପୂର୍ଣ୍ଣ ସତର୍କ ରହିବାକୁ ନିର୍ଦ୍ଦେଶ ଦେବା ସହ ‘ଜିରୋ କାଜୁଆଲିଟି’ ଲକ୍ଷ୍ୟ ନେଇ କାର୍ଯ୍ୟ କରିବାକୁ ଗୁରୁତ୍ୱାରୋପ କରିଛନ୍ତି।ମୁଖ୍ୟତଃ ତଳିଆ ଅଞ୍ଚଳ ଓ କଚ୍ଚା ଘରେ ରହୁଥିବା ଲୋକଙ୍କୁ ଚିହ୍ନଟ କରି ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ପକ୍କା କୋଠାକୁ ସ୍ଥାନାନ୍ତର କରିବା।ଅତ୍ୟାବଶ୍ୟକୀୟ ସାମଗ୍ରୀ ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ଶୁଖିଲା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ଜରୁରୀ ଔଷଧ ଏବଂ ଶିଶୁ ଖାଦ୍ୟ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।ବାତ୍ୟା ପ୍ରଭାବରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହେଲେ ତୁରନ୍ତ ରାସ୍ତା ସଫା କରିବା ଏବଂ ବିଦ୍ୟୁତ ସରବରାହ ବ୍ୟାହତ ହେଲେ ତ୍ୱରିତ ମରାମତି ପାଇଁ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ ରଖିବା ସହ ଭୁସ୍ଖଳନ ର ସମ୍ଭାବନା ଥିବା ଅଞ୍ଚଳ , ଗୋ ସମ୍ପଦ ଓ ଗର୍ଭବତୀ ମା ଙ୍କ ପ୍ରତି ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।ଏଥି ସହ ବାତ୍ୟା କୁ ନେଇ କୌଣସି ବ୍ୟକ୍ତି ବିଶେଷ ମିଛ ଖବର ପ୍ରସାରଣ କରି ଲୋକଙ୍କୁ ଭୟଭୀତ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଉପ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ରାମନାଗୁଡ଼ା ବ୍ଲକର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ସ୍ତରରେ ଲୋକଙ୍କୁ ସଚେତନ କରିବା ସହ ଉଭୟ ବ୍ଲକ ଓ ତହସିଲ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ କାର୍ଯ୍ୟକ୍ଷମ ହେଇଥିବା ସହ ରାମନାଗୁଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ସ୍ତରରେ ନିଆଯାଇଥିବା ସମସ୍ତ ପୂର୍ବ ପ୍ରସ୍ତୁତି ସମ୍ପର୍କରେ ଉପ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା।ବ୍ଲକ ପ୍ରଶାସନ ପକ୍ଷରୁ ମୋଟ ୧୪ ଆଶ୍ରୟ ସ୍ଥଳୀ ପ୍ରସ୍ତୁତ ଥିବା ସହ ପ୍ରତି ଆଶ୍ରୟ ସ୍ଥଳୀ ରେ ଜଣେ ଅଧିକାରୀ ଙ୍କୁ ଦାୟିତ୍ୱ ଦିଆଯାଇଛି।ଏଥି ସହ ୧୨ଜଣ ଗର୍ଭବତୀ ମା ଙ୍କୁ ମା ଗୃହ କୁ ସୁରକ୍ଷିତ ସ୍ଥାନାନ୍ତର ନେଇ ସୂଚନା ଦେଇଛନ୍ତି ବିଡିଓ ପ୍ରଦ୍ୟୁମ୍ନ ମଣ୍ଡଳ।ଆଜି ବ୍ଲକ ପ୍ରଶାସନ ପକ୍ଷରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ ଓ ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ ଙ୍କ ସହ କୃଷି ,ଉଦ୍ୟାନ କୃଷି ,ମହିଳା ଶିଶୁ ବିକାଶ,ସ୍ୱାସ୍ଥ୍ୟ ବିଭାଗ ସହ ଅନ୍ୟ ଅଧିକାରୀ ବ୍ଲକ ର ସମସ୍ତ ଅଞ୍ଚଳ ବୁଲି ଜନସାଧାରଣ ଙ୍କୁ ଭୟଭୀତ ନ ହେବା ସହ ଚାଷୀ ଭାଇ ଭଉଣୀ ଙ୍କୁ ଫସଲ ଥିବା ଜମିରୁ ଜଳ ନିଷ୍କାସନ ଲାଗି ଆଗୁଆ ପ୍ରସ୍ତୁତି କରିବା ନେଇ ସଚେତନ କରିଥିଲେ।ଏହି ପ୍ରସ୍ତୁତି ବୈଠକରେ ବିଇଓ ସୁଜନ ମଲ୍ଲିକ,ଅତିରିକ୍ତ ତହସିଲଦାର ଗୟା ଡମ୍ବରୁ ଧର ବେହେରା,ସିଡ଼ିପିଓ ଅଞ୍ଜଳି ମହାପାତ୍ର, ଆଇଆଇସି କିରଣ ବଳା ସାମଲ,ବ୍ଲକ କୃଷି ଅଧିକାରୀ ବିଭୂତି ବିଷୋୟୀ,ଯୋଗାଣ ଅଧିକାରୀ ଶଙ୍କର ବେହେରା, ଗୋଷ୍ଠି ସ୍ବାସ୍ଥ୍ୟ ଅଧିକାରୀ ଅଭିଷେକ ପଟ୍ଟନାୟକ ,ପ୍ରାଣୀ ଚିକିତ୍ସା ଅଧିକାରୀ କୃଷ୍ଣା ନନ୍ଦ ବେହେରା,ଉଦ୍ୟାନ କୃଷି ବିଭାଗ ର ଅକ୍ଷୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

