ସୋରଡ଼ା,୨୭।୧୦(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):ଗଂଜାମ ଜିଲ୍ଲା ସୋରଡ଼ାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସୋମବାର ଦିନ ପୂର୍ବଛାତ୍ର ଏକତ୍ରୀକରଣ ବୈଠକ ଉତ୍ସାହ ଓ ଆନନ୍ଦର ସହ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରାୟ ୧୦୦ ଜଣ ପୂର୍ବଛାତ୍ର ଯୋଗଦେଇ ବିଦ୍ୟାଳୟ ସହିତ ନିଜର ପୁରାତନ ସମ୍ପର୍କକୁ ପୁନର୍ଜୀବିତ କରିଥିଲେ।ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ଘନଶ୍ୟାମ ପ୍ରଧାନ ଦୀପ ପ୍ରଜ୍ୱଳନ କରି ସଭାର ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ସୁନୀଲ କୁମାର ରଥ ମଞ୍ଚାସୀନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ନିମନ୍ତେ ‘ପଞ୍ଚ ପରିବର୍ତ୍ତନ’ର ମହତ୍ତ୍ୱ ସମ୍ପର୍କରେ ଉପସ୍ଥିତ ପୂର୍ବଛାତ୍ରମାନଙ୍କୁ ଅବଗତ କରାଇଥିଲେ।ଉକ୍ତ ଦିବସର ପ୍ରମୁଖ ଶ୍ରୀଯୁକ୍ତ ନାରାୟଣ ସାହୁ ପୂର୍ବଛାତ୍ର ଏକତ୍ରୀକରଣର ଉଦ୍ଦେଶ୍ୟ ଓ ଏହାର ଆବଶ୍ୟକତା ସମ୍ପର୍କରେ ନିଜର ମତ ରଖିଥିଲେ। ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ମନୋଜ କୁମାର ସୁଆର ଏବଂ ଉପସଭାପତି ଶ୍ରୀଯୁକ୍ତ ଗୋପାଳକୃଷ୍ଣ ପଟ୍ଟନାୟକ ଉପସ୍ଥିତ ରହି ପୂର୍ବଛାତ୍ରମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିଥିଲେ।ବୈଠକରେ ପୂର୍ବଛାତ୍ରମାନେ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ। ଯେଉଁ ଶିକ୍ଷାନୁଷ୍ଠାନ ସେମାନଙ୍କ ଭବିଷ୍ୟତ ଗଠନରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି, ସେହି ଅନୁଷ୍ଠାନର ସର୍ବାଙ୍ଗୀଣ ଉନ୍ନତି ପାଇଁ ସର୍ବଦା ଚିନ୍ତା କରିବା ସହ ଆବଶ୍ୟକ ସହଯୋଗ ପ୍ରଦାନ କରିବାକୁ ସେମାନେ ମତ ପ୍ରକାଶ କରିଥିଲେ। ଶିଶୁମନ୍ଦିରରୁ ଲାଭ କରିଥିବା ସଂସ୍କାର, ସେବା ମନୋଭାବ ଓ ନୈତିକ ମୂଲ୍ୟବୋଧକୁ ଜୀବନରେ ପାଥେୟ କରି ଜଣେ ଆଦର୍ଶ ମଣିଷ ହେବା ସହ ସମାଜର ହିତ ସାଧନ କରିବାକୁ ସେମାନେ ସଂକଳ୍ପବଦ୍ଧ ହୋଇଥିଲେ।ଏଥିସହ ପୂର୍ବଛାତ୍ର ଏକତ୍ରୀକରଣ ବୈଠକକୁ ପ୍ରତିବର୍ଷ ନିୟମିତ ଭାବେ ଆୟୋଜନ କରିବା ପାଇଁ ମତ ପ୍ରକାଶ ପାଇଥିଲା। ପରିଶେଷରେ ସମସ୍ତେ ପ୍ରସାଦ ସେବନ କରି ଆନନ୍ଦ ମନରେ ବିଦ୍ୟାଳୟରୁ ବିଦାୟ ନେଇଥିଲେ। ଏହି ଏକତ୍ରୀକରଣ ବୈଠକ ପୂର୍ବଛାତ୍ର ଓ ବିଦ୍ୟାଳୟ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ସହ ଅନୁଷ୍ଠାନର ଉନ୍ନତି ପାଇଁ ଏକ ନୂତନ ପ୍ରେରଣା ସୃଷ୍ଟି କରିଥିଲା।

