ଭଞ୍ଜନଗର,୨୭।୧୦(ନିଲୁ ବିଷୋୟୀ):ସମ୍ଭାବ୍ୟ ବାତ୍ୟାର ମୁକାବିଲା ଏବଂ ଜନସାଧାରଣଙ୍କ ଧନଜୀବନର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା ଆଜି ବେଲଗୁଣ୍ଠା ବ୍ଲକ୍, ଭଞ୍ଜନଗର ବ୍ଲକ୍ର ବାଇବାଲୀ ପଞ୍ଚାୟତ ଅନ୍ତର୍ଗତ ତଡମା ଗ୍ରାମ ଏବଂ ଜଗନ୍ନାଥପ୍ରସାଦ ବ୍ଲକ୍ ଓ ଏନ୍ଏସିର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବାତ୍ୟା ମୁକାବିଲା ପ୍ରସ୍ତୁତି, ଜନସାଧାରଣଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟା ଓ ଆଶ୍ରୟସ୍ଥଳୀରେ ଉପଲବ୍ଧ ସୁବିଧାର ସମୀକ୍ଷା କରିଥିଲେ। ପରିଦର୍ଶନ ସମୟରେ ସମ୍ପୃକ୍ତ ବ୍ଲକ୍ର ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।ଉପଜିଲ୍ଲାପାଳ ବେଲଗୁଣ୍ଠା ବ୍ଲକ୍ର ଉଡରା ଓ ବାଣତୁମ୍ବ ଗ୍ରାମ ପରିଦର୍ଶନ କରି ସେଠାରେ ଚାଲିଥିବା ଜନସ୍ଥାନାନ୍ତରଣ ପ୍ରକ୍ରିୟାର ତଦାରଖ କରିଥିଲେ। ବିପଦପ୍ରବଣ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଚିହ୍ନଟ କରି ସମୟୋଚିତ ଭାବେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହ ଆଶ୍ରୟସ୍ଥଳୀରେ ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସୁନିଶ୍ଚିତ କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ଭଞ୍ଜନଗର ବ୍ଲକ୍ର ବାଇବାଲି ପଞ୍ଚାୟତ ଅନ୍ତର୍ଗତ ତଡମା ଗ୍ରାମ ପରିଦର୍ଶନ କରି ଉପଜିଲ୍ଲାପାଳ ସେଠାକାର ସ୍ଥିତି ଓ ବାତ୍ୟା ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷା ଦୃଷ୍ଟିରୁ ବିପଦପ୍ରବଣ ଅଞ୍ଚଳର ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ସହ ଆବଶ୍ୟକ ସ୍ଥଳେ ତୁରନ୍ତ ସ୍ଥାନାନ୍ତରଣ ଓ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିବାକୁ ସେ ସମ୍ପୃକ୍ତ ଅଧିକାରୀ ଓ କ୍ଷେତ୍ର କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏଥିସହ ଜଗନ୍ନାଥପ୍ରସାଦ ବ୍ଲକ୍ର ଆଞ୍ଚଳିକ କଲେଜ ଓ କଲ୍ୟାଣମଣ୍ଡପଠାରେ ପ୍ରସ୍ତୁତ କରାଯାଇଥିବା ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକ ପରିଦର୍ଶନ କରି ସେଠାରେ ଉପଲବ୍ଧ ବ୍ୟବସ୍ଥାର ସମୀକ୍ଷା କରିଥିଲେ ଉପଜିଲ୍ଲାପାଳ ଶ୍ରୀ ବେହେରା ।ଆଶ୍ରୟସ୍ଥଳୀ ଗୁଡ଼ିକରେ ପାନୀୟ ଜଳ, ଖାଦ୍ୟ, ଆଲୋକ, ପରିମଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଉପଲବ୍ଧ କରାଇବା ସହ ବିପଦପ୍ରବଣ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବା ଏବଂ ଆବଶ୍ୟକ ସମୟରେ ତୁରନ୍ତ ରିଲିଫ୍ ଓ ଉଦ୍ଧାର ସହାୟତା ଯୋଗାଇଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ।ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜନସାଧାରଣ ଭୟଭୀତ ନହୋଇ ପ୍ରଶାସନର ନିର୍ଦ୍ଦେଶ ଓ ପରାମର୍ଶ ପାଳନ କରିବା ସହ ନିଜର ତଥା ପରିବାରର ସୁରକ୍ଷା ପାଇଁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି।

