ବ୍ରହ୍ମପୁର,୩୦।୧୦(ବ୍ୟୁରୋ):ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅବିରତ ବର୍ଷା ଫଳରେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପ୍ରଭାବିତ ହୋଇଥିବା ବେଳେ ସ୍ଥିତି ଅନୁଧ୍ୟାନ କରିବାକୁ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ଗଞ୍ଜାମ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି। ତାଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଉପସ୍ଥିତ ରହି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ଦେଖାଦେଇଥିବା ବନ୍ୟା ସ୍ଥିତି ଏବଂ ଏହାର ପ୍ରଭାବକୁ ନେଇ ପ୍ରଶାସନିକ ସ୍ତରରେ ତତ୍ପରତା ଦେଖାଦେଇଛି।ଅନ୍ୟପଟେ ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି l ଗଞ୍ଜାମ ଜିଲ୍ଲା ପାଇଁ ଅତିରିକ୍ତ ୨୦ କୋଟି ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଏହି ଅର୍ଥ ପ୍ରଦାନ କରାଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ଟ୍ୱିଟ୍ କରି ସୂଚନା ଦେଇଛନ୍ତି।ଅନ୍ୟପଟେ ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ ଗଞ୍ଜାମ ଜିଲ୍ଲାରେ ସୃଷ୍ଟି ହୋଇଥିବା କ୍ଷୟକ୍ଷତି ପରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସମନ୍ୱୟ ଏବଂ ତଦାରଖ ପାଇଁ ରାଜ୍ୟ ସରକାର ୨୦ ଜଣ ଓଏଏସ୍ (ଜୁନିୟର ବ୍ରାଞ୍ଚ) ଓ ଓଆର୍ଏସ୍ ଅଧିକାରୀଙ୍କୁ ଗଞ୍ଜାମରେ ନିୟୋଜିତ କରିଛନ୍ତି। ଅକ୍ଟୋବର ୩୦ରୁ ତୁରନ୍ତ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟରେ ରିପୋର୍ଟ କରିବାକୁ ଏହି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସେମାନେ ଜିଲ୍ଲାରେ ନିୟୋଜିତ ରହିବେ।

