ବ୍ରହ୍ମପୁର/ଆସିକା,୩୧।୧୦(ହିମାଂଶୁ ଶେଖର ସାବତ): ସାମୁଦ୍ରିକ ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପରିସ୍ଥିତିରେ ପ୍ରଭାବିତ ଆସିକାରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି। ପ୍ରଶାସନର ସମନ୍ୱିତ ପ୍ରୟାସ ଯୋଗୁଁ ସ୍ଥିତିରେ କ୍ରମାଗତ ଉନ୍ନତି ଆସୁଥିବା ବେଳେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ଜାରି ରହିଛି ବୋଲି ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ କୀର୍ତ୍ତି ଭାସନ୍ ଭି. ସୂଚନା ଦେଇଛନ୍ତି।ରିଲିଫ୍ କାର୍ଯ୍ୟର ସୁଗମ ପରିଚାଳନା ପାଇଁ ଟ୍ରାଫିକ୍ ସମସ୍ୟାର ସମାଧାନ କରାଯାଇଛି। ରିଲିଫ୍ ସାମଗ୍ରୀ ରଖିବା ଓ ବଣ୍ଟନ ପାଇଁ ଅଧିକ ସ୍ଥାନ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଆସନ୍ତାକାଲି ଅପରାହ୍ନରୁ ପାର୍କିଂ ହୋଇଥିବା ସମସ୍ତ ଭାରୀଯାନକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ଗତ ସନ୍ଧ୍ୟାଠାରୁ ୨୦ଟି ଅଟୋ ଓ ୧୦ଟି ଟ୍ରାକ୍ଟର ରିଲିଫ୍ ସାମଗ୍ରୀ ବଣ୍ଟନରେ ନିୟୋଜିତ ହୋଇଛନ୍ତି।ଯାତାୟାତ ସମସ୍ୟା ଆଂଶିକ ଭାବେ ସମାଧାନ ହୋଇଥିବା ବେଳେ ସନ୍ଧ୍ୟା ସମୟରେ ସ୍ଥିତିରେ ସୁଧାର ଦେଖାଦେଇଛି। ଅଧିକାଂଶ ବସ୍ ଚଳାଚଳ ଆରମ୍ଭ କରିଥିବା ବେଳେ ଅବଶିଷ୍ଟ ବସ୍ଗୁଡ଼ିକୁ ଆଜି ସକାଳ ସୁଦ୍ଧା ଚଳାଚଳ କରାଇବାକୁ ପଦକ୍ଷେପ ନିଆଯାଇଛି।ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ ଦେଇ ଗତକାଲି ସନ୍ଧ୍ୟା ସୁଦ୍ଧା ୧୦ଟି ଜଳ ଟ୍ୟାଙ୍କର ଓ ପ୍ରାୟ ୩୦ ହଜାର ପାଣି ବୋତଲ ବଣ୍ଟନ କରାଯାଇଛି। ଆଜି ଏହି ବ୍ୟବସ୍ଥାକୁ ବୃଦ୍ଧି କରି ୩୦ରୁ ୩୫ଟି ଟ୍ୟାଙ୍କର ନିୟୋଜିତ କରାଯିବ। ଏଥିସହ ଅତିରିକ୍ତ ‘ଆସ୍କା’ ଲାଇଟ୍ ଆସିକାରେ ପହଞ୍ଚି ସହରର ବିଭିନ୍ନ ସ୍ଥାନରେ ସ୍ଥାପନ କରାଯାଇଛି। ସ୍ଥାନୀୟ ଏମ୍.ଆଇ.ଙ୍କ ନିକଟରେ ଇନ୍ଧନ ମଧ୍ୟ ମହଜୁଦ ରଖାଯାଇଛି।ପ୍ରଭାବିତ ଲୋକଙ୍କୁ ଦିନସାରା ପର୍ଯ୍ୟାପ୍ତ ପରିମାଣରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି। ଅନ୍ୟପକ୍ଷରେ ଆଜି ସକାଳ ସୁଦ୍ଧା ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବାକୁ ଟିପିଏସ୍ଓଡିଏଲ୍ ପକ୍ଷରୁ ଆଶ୍ୱାସନା ଦିଆଯାଇଛି।ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମୁଖ୍ୟମନ୍ତ୍ରୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ଏସ୍ଆର୍ସି, ଗଞ୍ଜାମ ଜିଲ୍ଲାପାଳ ଓ ସମ୍ପୃକ୍ତ ବିଭାଗୀୟ ସଚିବଙ୍କ ସହ ନିରନ୍ତର ଯୋଗାଯୋଗ ଓ ସମନ୍ୱୟ ରଖି ସ୍ଥିତିର ଅନୁଧ୍ୟାନ କରୁଛନ୍ତି। ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସଫଳ ରୂପାୟଣ ଉପରେ ସେ ଗୁରୁତ୍ୱ ଦେଉଛନ୍ତି।ସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ, କିମ୍ବା ଅତି କମ୍ରେ ଏକ ସପ୍ତାହ ପର୍ଯ୍ୟନ୍ତ, ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ୍ ଓ ସହାୟତା ବ୍ୟବସ୍ଥା ଜାରି ରହିବ। ଯାତାୟାତ ପରିଚାଳନାରେ ସୁଧାର, ପାନୀୟ ଜଳ ଯୋଗାଣ ବୃଦ୍ଧି, ରନ୍ଧା ଖାଦ୍ୟ ବଣ୍ଟନ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଥିବାରୁ ଆଜି ସୁଦ୍ଧା ଆସିକାର ସ୍ଥିତିରେ ଉଲ୍ଲେଖନୀୟ ସୁଧାର ଆସିବା ଆଶା କରାଯାଉଛି।

