ହିଞ୍ଜିଳିକାଟୁ,୧/୧୧(କୃଷ୍ଣ ଚନ୍ଦ୍ର ସାମନ୍ତରାୟ)ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସତର୍କ ହୋଇଛି ପ୍ରଶାସନ। ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ସହ ଜନସାଧାରଣଙ୍କ ସୁରକ୍ଷା ଓ ଜରୁରିକାଳୀନ ସହାୟତା ଯୋଗାଣକୁ ଗୁରୁତ୍ୱ ଦେଇ ହିଞ୍ଜିଳିକାଟୁ ବ୍ଲକର ସମସ୍ତ ପଞ୍ଚାୟତକୁ ସଜାଗ ରହିବାକୁ କୁହାଯାଇଛି। ଏଥିସହ ପଞ୍ଚାୟତ ସ୍ତରରେ କାର୍ଯ୍ୟରତ କର୍ମଚାରୀ, ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ମଧ୍ୟ ଆବଶ୍ୟକ ପ୍ରସ୍ତୁତି ସହ ସତର୍କ ରହିବାକୁ ନିର୍ଦ୍ଦେଶ ରହିଛି। ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ଗଣ୍ଡଳା ପଞ୍ଚାୟତ ପକ୍ଷରୁ ବାତ୍ୟା ମୁକାବିଲା ଓ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ରବିବାର ଅପରାହ୍ନ ପ୍ରାୟ ୨ଟାରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ସମ୍ଭାବ୍ୟ ବାତ୍ୟା, ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିର ମୁକାବିଲା ସହ ଜରୁରିକାଳୀନ ସମୟରେ ଲୋକଙ୍କୁ କିପରି ତ୍ୱରିତ ସହାୟତା ଯୋଗାଇ ଦିଆଯାଇପାରିବ, ସେନେଇ ଆଲୋଚନା ହୋଇଥିଲା। ବୈଠକରେ ଗଣ୍ଡଳା ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ବିଭିନ୍ନ ୱାର୍ଡର ସଭ୍ୟସଭ୍ୟାଙ୍କ ସମେତ ପଞ୍ଚାୟତର ଅନ୍ୟ କର୍ମଚାରୀ ଉପସ୍ଥିତ ରହି ବିପର୍ଯ୍ୟୟ ପରିଚାଳନା ଓ ଆଗୁଆ ପଦକ୍ଷେପ ସମ୍ପର୍କରେ ମତାମତ ରଖିଥିଲେ। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଲେ ଲୋକଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବା ସହ ବିପଦସଙ୍କୁଳ ଅଞ୍ଚଳରେ ରହୁଥିବା ଲୋକଙ୍କ ସୁରକ୍ଷାକୁ କିପରି ସୁନିଶ୍ଚିତ କରାଯିବ, ତାହା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ବିଶେଷକରି ଗର୍ଭବତୀ ମହିଳା, ବୟସ୍କ ବ୍ୟକ୍ତି ଓ ଶିଶୁଙ୍କ ସୁରକ୍ଷା ସହ ଆବଶ୍ୟକ ସମୟରେ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଓ ଅନ୍ୟାନ୍ୟ ଜରୁରିକାଳୀନ ସେବା ଯୋଗାଇଦେବା ଉପରେ ଆଲୋଚନା କରାଯାଇଥିଲା ଅନ୍ୟପକ୍ଷରେ, ପାଣିପାଗ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲା ପାଇଁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଏବଂ ଆଗାମୀ ଦୁଇ ଦିନ ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ପରିସ୍ଥିତି ଉପରେ ନିରନ୍ତର ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଉପରେ ଆଲୋଚନା ହୋଇଥିଲା।ସୂଚନାଯୋଗ୍ୟ, ପୂର୍ବରୁ ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ ବନ୍ୟାଜନିତ ସମସ୍ୟା ଦେଖାଦେଇଥିଲା। ଏଭଳି ପରିସ୍ଥିତିର ପୁନରାବୃତ୍ତି ରୋକିବା ସହ ସମ୍ଭାବ୍ୟ ବିପର୍ଯ୍ୟୟ ସମୟରେ ଜନଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ ପ୍ରଶାସନିକ ସ୍ତରରେ ଆଗୁଆ ପ୍ରସ୍ତୁତି ଓ ସମନ୍ୱୟ ରକ୍ଷାକୁ ଗୁରୁତ୍ୱ ଦିଆଯାଇଛି।

