ବ୍ରହ୍ମପୁର,୧୪/୫,(ହିମାଂଶୁ ଶେଖର ସାବତ):ବ୍ରହ୍ମପୁର ପୋଲିସ ଜିଲ୍ଲା ଅଧୀନସ୍ଥ ସମସ୍ତ ଥାନା ପକ୍ଷରୁ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ଓ ଅପରାଧ ରୋକିବା ପାଇଁ ସହରର ବିଭିନ୍ନ ସ୍ଥାନରେ ଜୋରଦାର ଫୁଟ୍ ପାଟ୍ରୋଲିଂ ଅଭିଯାନ ଆରମ୍ଭ ହୋଇଛି । ବ୍ରହ୍ମପୁର ପୋଲିସ ଜିଲ୍ଲା ଅଧୀନରେ ଥିବା ସମସ୍ତ ଥାନାଞ୍ଚଳକୁ କଡା ନଜରରେ ରଖି ଅଞ୍ଚଳରେ ବଢୁଥିବା ଛୋଟ ବଡ଼ ଅପରାଧ ଉପରେ ପୁଲିସ ତରଫରୁ ସତର୍କତା ଅବଲମ୍ବନ କରାଯାଉଛି ।ବିଶେଷକରି ବସଷ୍ଟାଣ୍ଡ, ବଜାର, ବସ୍ତିଅଞ୍ଚଳ, ରେଳୱେ ଷ୍ଟେସନ ଏବଂ ସନ୍ଧ୍ୟାକାଳୀନ ଭିଡ଼ ଅଞ୍ଚଳଗୁଡିକରେ ପୁଲିସ ଅଧିକାରୀମାନେ ସକ୍ରିୟ ଭାବେ ପାଟ୍ରୋଲିଂ କରୁଛନ୍ତି । ଏହି ପାଟ୍ରୋଲିଂ ସମୟରେ ଯାତାୟାତ ନିୟମ ପାଳନ, ଅପରାଧୀ ଓ ମଦ୍ୟପ ଗୁଣ୍ଡା ଦୁର୍ବୃତ୍ତ ସମ୍ପର୍କରେ ପଚରାଉଚରା କରାଯାଉଛି । ଏହା ସହ ପୋଲିସ ବିଭିନ୍ନ ମାଧ୍ୟମରେ ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ପ୍ରୟାସ କରାଯାଉଛି ।ପୁଲିସ ଅଧିକାରୀମାନେ କହିଛନ୍ତିଯେ, ରାତ୍ରିକାଳୀନ ପାଟ୍ରୋଲିଂ ସହ ଫୁଟ୍ ପାଟ୍ରୋଲିଂ ଅପରାଧ ନିୟନ୍ତ୍ରଣରେ ଅଧିକ ପ୍ରଭାବଶାଳୀ ହେଉଛି । ଏହା ଦ୍ୱାରା ଅଞ୍ଚଳବାସୀଙ୍କ ଭିତରେ ପୋଲିସ ପ୍ରତି ଭରସା ବଢୁଥିବା ସହ ଅପରାଧୀମାନଙ୍କ ମନରେ ଭୟର ସୃଷ୍ଟି ହେଉଛି । ପୁଲିସର ଏହି ପଦକ୍ଷେପକୁ ସାଧାରଣ ଲୋକେ ପ୍ରଶଂସା କରିଛନ୍ତି ।

