ଫୁଲବାଣୀ,୧୭/୦୫,(ସୁନୀଲ ପଟ୍ଟନାୟକ):କନ୍ଧମାଳଜିଲ୍ଲା ଅନ୍ତର୍ଗତ ବ୍ରାହ୍ମଣୀଗାଁ ଅଞ୍ଚଳର ଝିଅ ଲଷ୍ମୀପ୍ରିୟା ପରିଡା ଙ୍କୁ ଦେଶ ସ୍ତରରେ ସିଆଇଆଇ ଆଦର୍ଶ ମହିଳା ସମ୍ମାନ ମିଳିବା ବ୍ରାହ୍ମଣୀଗାଁ ଅଞ୍ଚଳ ତଥା ଓଡ଼ିଶା ପାଇଁ ଗୌରବ ଆଣିଦେଇଛି। ନୂଆଦିଲ୍ଲୀରେ ଆୟୋଜିତ ସିଆଇଆଇ ବାର୍ଷିକ ବ୍ୟବସାୟ ଭେଟଘାଟ ୨୦୨୬ ଅବସରରେ ମଇ ୧୨ ତାରିଖ ଦିନ ତାଙ୍କୁ ଏହି ସମ୍ମାନ ମିଳିଛି | ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଲଷ୍ମୀଙ୍କ ସମେତ ଭାରତ ର ବିଭିନ୍ନ ରାଜ୍ୟରୁ ମୋଟ ୩୭୬ ଜଣ ମହିଳା ଏହି ସମ୍ମାନ ପାଇଁ ଆବେଦନ କରିଥିଲେ, ଏଥିମଧ୍ୟରୁ ୨୦ ଜଣ ମାତୃଶକ୍ତିଙ୍କୁ 2026 ବର୍ଷର ଓମେନ୍ ଏକ୍ଜମ୍ପଲାର ଆୱାର୍ଡ଼ ରେ ସମ୍ମାନିତ କରାଯାଇଥିଲା | ଭାରତ ସରକାରଙ୍କ ଶିକ୍ଷା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ କ୍ୟାବିନେଟ ମନ୍ତ୍ରୀ ମାନ୍ୟବର ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହା ପ୍ରଦାନ କରିଥିଲେ | ୧୯୯୩ ମସିହା ରୁ ଲକ୍ଷ୍ମୀପ୍ରିୟା ଏକ ସେଚ୍ଛାସେବୀ ଅନୁଷ୍ଠାନ ରେ କାର୍ଯ୍ୟ ଆରମ୍ଭ କରିଥିଲେ। ତାଙ୍କର ନିଷ୍ଠାପରତା, ସଚ୍ଚୋଟତା, ଭଲପାଇବା ଏବଂ ସହଯୋଗ ଗୁଣାବଳୀ ପାଇଁ ସମସ୍ତଙ୍କ ହୃଦୟ ରେ ସ୍ୱତନ୍ତ୍ର ସ୍ଥାନ ପାଇପାରିଛନ୍ତି। ପରବର୍ତ୍ତୀ ସମୟରେ ସେ ୨୦୧୦ ରେ ଆଇ.ଜି.ଏସ (IGS) ସହ ଯୋଡ଼ି ହେବାପରେ ମଙ୍ଗଳାଯୋଡ଼ି ଇକୋ ଟୁରିଜିମ ରୁ ଆରମ୍ଭ କରି ରାୟଗଡ଼ା, ଶିମିଳିପାଳ ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଯାଜପୁରରେ ମହିଳା ମାନଙ୍କ ଜୀବନ ଜୀବିକା ପାଇଁ କାମ ଜାରି ରଖିଛନ୍ତି | ଆଜି ସେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ୪୭୨୨୩ ପରିବାର ପାଖରେ ପହଞ୍ଚିବା ସହ ୧୨୪୩୫ ଜଣ ମହିଳାଙ୍କୁ ସ୍ୱାବଲମ୍ବୀ କରିପାରିଛନ୍ତି। ଆୱାର୍ଡ଼ ପାଇବା ପରେ ଲକ୍ଷ୍ମୀ ଙ୍କୁ ପଚାରିବାରୁ ସେ କହିଥିଲେ, “ମୁଁ ବିଭିନ୍ନ ବାଧାବିଘ୍ନ ଓ ପ୍ରତିବନ୍ଧକ ଦେଇ ଗତିକରି ଏ ସ୍ଥାନରେ ପହଞ୍ଚି ପାରିଛି। ଏହା ପଛରେ Dr. ସଞ୍ଜୀବ ଷଡ଼ଙ୍ଗୀ COO, IGS ଙ୍କ ପ୍ରେରଣା ଓ ଉତ୍ସାହ ଏବଂ ସହକର୍ମୀ ତଥା କର୍ମ କ୍ଷେତ୍ରର ମହିଳା ମାନଙ୍କ ଭଲପାଇବା ପାଇଁ ସମ୍ଭବ ହୋଇପାରିଛି”। ଆଗକୁ ବିଭିନ୍ନ ସ୍ତରରେ ସହଯୋଗ ମିଳିଲେ ମହିଳା ମାନଙ୍କ ପାଇଁ ସେଣ୍ଟର୍ ଅଫ ଏକ୍ସେଲେନ୍ସି ଗଠନ କରି ନୂତନ ଜ୍ଞାନ, କୌଶଳ ପ୍ରଯୁକ୍ତି ବିଦ୍ୟା ମାଧ୍ଯମରେ ଉନ୍ନତି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି।

