ଫୁଲବାଣୀ,୧୮/୦୫,(ସୁନୀଲ ପଟ୍ଟନାୟକ):ଆଜିର ସମୟରେ ମୋବାଇଲ ଠାରୁ ଦୂରେଇ ରଖି ପିଲାମାନଙ୍କୁ ପୁସ୍ତକ ମନସ୍କ କରିବା ପାଇଁ ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାର, ବରଗଡ଼ ତରଫରୁ ସାରା ଓଡ଼ିଶାରେ ପିଲାମାନଙ୍କ ପାଖରେ ପହଞ୍ଚି ପିଲାଙ୍କ ହାତ ପାହାନ୍ତରେ ଓଡ଼ିଶାର ସମୃଦ୍ଧ ଶିଶୁ ସାହିତ୍ୟ ପହଞ୍ଚାଇବାର ସୁଯୋଗ ଦେବା ଅବସରରେ ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମଧ୍ୟରେ ୨୦୫ତମ ‘ପିଲାଙ୍କ ପାଖରେ ପାଠାଗାର’ କାର୍ଯ୍ୟକ୍ରମ ଆୟୋଜିନ କରିଛି | ଏଥିରେ ବହୁ ଛାତ୍ର ଛାତ୍ରୀ ପ୍ରଥମେ ବିଭିନ୍ନ ପୁସ୍ତକ ପାଠ କରି ପଠିତ ପୁସ୍ତକ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ | କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ପ୍ରଶଂସା ପତ୍ର ଦେବା ସହ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଓମଶ୍ରୀୟା ନାୟକ , ଆୟୁଷ ଅପ୍ରିତ କର, କ୍ରୀଷ୍ କୁମାର ଦିଗାଲ ଓ ରୁଦ୍ର ପ୍ରସାଦ ହୋତାଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ‘ଶିଶୁଶ୍ରୀ’ର ଆବାହକ ଡକ୍ଟର ରବିନାରାୟଣ ସାହୁଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଗବେଷକ ତଥା ଫିରିଙ୍ଗିଆ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ଚିତ୍ତରଞ୍ଜନ ମିଶ୍ର, ମୁଖ୍ୟବକ୍ତା ରୂପେ ବିଶିଷ୍ଟ ଶିକ୍ଷାବିତ ଡ ତ୍ରିଲୋଚନ ପଣ୍ଡା, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟ ସଂଗଠକ ତଥା ସାରସ୍ବତ ସାଧକ କୈଳାସ ଚନ୍ଦ୍ର ଧଳ ଓ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢ଼ୀ ପ୍ରମୁଖ ଯୋଗଦେଇ ପୁସ୍ତକର ସ୍ବାଦ ଅନନ୍ୟ, ପୁସ୍ତକ ଆମର ବନ୍ଧୁ ଓ ପୁସ୍ତକ ସହିତ ଆତ୍ମିୟତା ରଖିଥିବା ବ୍ୟକ୍ତି ଜୀବନରେ କେବେ ହାରି ନଥାଏ ବୋଲି ମତବ୍ୟକ୍ତ କରିଥିଲେ | ଅନ୍ୟମାନଙ୍କ ଭିତରେ କବି ତାପସ କୁମାର ହୋତା, ଦେବେନ୍ଦ୍ର କୁମାର ପଟ୍ଟନାୟକ, ଅନିଲ କୁମାର ସାହୁ, ବୀଣାପାଣି ସାହୁ, ଗିରିଶ ଚନ୍ଦ୍ର ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

