ଖଜୁରୀପଡ଼ା,୧୯/୫,(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ବଲସକୁମ୍ପା ପଞ୍ଚାୟତର ଛନ୍ଦୁପଦର ଗ୍ରାମରେ ଶନିବାର ଅପରାହ୍ନରେ ଘଟିଥିବା ବଜ୍ରାଘାତରେ ୬ଟି ଗୋରୁର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ଓ ଦୁଃଖର ପରିବେଶ ସୃଷ୍ଟି ହୋଇଛି।ସୂଚନା ଅନୁସାରେ, ଅପରାହ୍ନ ସମୟରେ ଅଞ୍ଚଳରେ ବର୍ଷା ସହ ଘନଘୋର ବଜ୍ରପାତ ହୋଇଥିଲା। ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ କିଛି ଗୋରୁ ଏକ ଆମ୍ବଗଛ ମୂଳେ ଆଶ୍ରୟ ନେଇଥିବା ବେଳେ ହଠାତ୍ ବଜ୍ରାଘାତ ହେବାରୁ ସେଥିରେ ୪ ପଟ ବଳଦ, ଗୋଟିଏ ଗାଈ ଓ ଗୋଟିଏ ବାଛୁରୀର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମୃତ ଗୋରୁଗୁଡ଼ିକ ମଧ୍ୟରୁ କିଶୋର ଚନ୍ଦ୍ର ଜାନୀଙ୍କର ୧ଟି, ରବୀନ୍ଦ୍ର ଜାନୀଙ୍କର ୧ଟି, ଶୁକୁମତି ଜାନୀଙ୍କର ୨ଟି, ନିର୍ଫୁଲ ଜାନୀଙ୍କର ୧ଟି ଓ ଅନନ୍ତ କହଁରଙ୍କର ୧ଟି ଗୋରୁ ଥିବା ଜଣାପଡ଼ିଛି।ଏହି ଅଚାନକ ଘଟଣାରେ ପଶୁମାଲିକମାନେ ବହୁ ଆର୍ଥିକ କ୍ଷତି ସହିଥିବାରୁ ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

