ବୁଗୁଡ଼ା,୨୦/୫,(କୁମୁଦ ଚନ୍ଦ୍ର ବେହେରା):ପେଟ୍ରୋଲ୍ ଅଭାବ ଯୋଗୁଁ ଏବେ ଶଗଡ଼ କଥା ମନେ ପକାଇଲେଣି ଲୋକେ। ଆଜି ନ ହେଲେ କାଲି ଆଉ ମିଳିବନି ପେଟ୍ରୋଲ୍ କିମ୍ବା ଡିଜେଲ। ଏପରି ସ୍ଥିତିରେ ଚାଷଠାରୁ ଆରମ୍ଭକରି ଅନ୍ୟ କାମ କିପରି ହେବ ବୋଲି ଗାଁ ଗାଁରେ ଭାଳେଣି ପଡ଼ିଲାଣି l ଧୂଳି ଧୂସର ଗାଁ ଦାଣ୍ଡ ନାହିଁ। ହେଲେ ଆଗାମୀ ଦିନରେ ପୁଣି ଲୋକେ ବଳଦ ଓ ଶଗଡ଼କୁ ଲୋଡ଼ିବେ ବୋଲି କହିଲେଣି।କେଁ କଟର କେଁ କଟର ଶଗଡ଼ର ଶବ୍ଦ ପୁଣି ଗାଁ ଗହଳିରେ ଶୁଣିବାକୁ ମିଳିବ। ସେଥିପାଇଁ ଏବେଠାରୁ ଲୋକେ ଯୋଜନା କଲେଣି। ଆଇ ମା’ କାହାଣୀର ପେଡ଼ି ଭିତରେ ଶଗଡ଼ ଇତିହାସ ହେବା ପୂର୍ବରୁ ତୈଳ ସଂକଟ ଏହାକୁ ପୁଣି ଦୈନଦିନ ଜୀବନର ଗୁରୁତ୍ବପୂର୍ଣ୍ଣ ଅଂଶ ଭାବେ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମାନେ ମତ ଦେଲେଣି।ପ୍ରାୟ ୧୨ଶହ ଶତାବ୍ଦୀର ଭାରତରେ ଶଗଡ଼ର ପ୍ରଚଳନ ହୋଇଥିବା ଅନୁମାନ କରାଯାଏ। ଶଗଡ଼ ସହ ମଣିଷ ସଭ୍ୟତାର କଳା, ସଂସ୍କୃତି ଓ ଅର୍ଥନୀତି। ବିବାହ, ବ୍ରତ, ବାଲି, ମାଟି ଗୋଡ଼ିଠୁ ଆରମ୍ଭ କରି ଖତ ପର୍ଯ୍ୟନ୍ତ ଶଗଡ଼ରେ ପରିବହନ ହେଉଥିଲା। ପ୍ରାୟ ୩୦ ବର୍ଷ ତଳେ ଗ୍ରାମ୍ୟ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ଥିଲା ଶଗଡ଼। ହେଲେ ଆଧୁନିକତାର ମାୟାରେ ଆଉ ଗୁହାଳରେ ବଳଦ ରଖିଲେନି। ଫଳରେ ଶଗଡ଼ ମଧ୍ଯ ଗ୍ରାମ୍ୟ ଜୀବନର ଚଳନିରୁ ଉଭେଇ ଗଲା। କିଛି ଦିନ ଲୋକଙ୍କ ବାରଣ୍ଡାରେ ଶଗଡ଼ ରୁ ଖୋଲାଯାଇଥିବା ଅଖ ଶୋଭା ପାଉଥିଲା। କାଳକ୍ରମେ କଂକ୍ରିଟ୍ ଘର ନଷ୍ଟ ହେବା ଲୋଭରେ ଶଗଡ଼ର ଶେଷ ଚିହ୍ନ ଅଖ ମଧ୍ୟ ଉଭେଇ ଗଲା। ଏବେ କିଛି ସ୍ଥାନରେ ଶଗଡ଼କୁ ଫେସନ ଭାବେ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ଏବେ ସମଗ୍ର ବିଶ୍ଵରେ ଖଣିଜ ତୈଳ ସଂକଟ ଯୋଗୁଁ ସାଧାରଣ ଲୋକଙ୍କ ସୁଖ ଦୁଃଖର ସାଥୀ ଶଗଡ଼କୁ ଲୋକେ ମନ ପକାଇଲେଣି।ଏକଦା ପଲ୍ଲୀ ଜୀବନ ସହ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ ଶଗଡ଼ ଓ ବଦଳର ସ୍ମୃତି ସାଉଁଟିଲେଣି ଲୋକେ। ସାହିତ୍ୟରେ ଶଗଡ଼କୁ ଅମର କରି ରଖିଥିବା ବିଶିଷ୍ଟ ଲେଖକ ଗୋଦାବରୀଶ ମିଶ୍ରଙ୍କ ‘ମାଗୁଣିର ଶଗଡ଼ କଥା’ ପୁଣି ଉଦ୍ଜୀବତି ହେବ।ପରିବେଶ ସୁସ୍ଥ ରଖିବା ସହ ପ୍ରଦୂଷଣ କରୁ ନଥିବା ଶଗଡ଼ ଏବେ ପରିବେଶବିତଙ୍କ ପ୍ରଥମ ପସନ୍ଦ ହେବ। ଆଗାମୀ ଦିନରେ ଶଗଡ଼ିଆ ମାନଙ୍କର ବେଉସା ପୁଣି ବଢ଼ିବ ଓ ଶଗଡ଼ର କେଁ କଟର ଶବ୍ଦ ସାଙ୍ଗକୁ ବଳଦ ବେକର ଘୁଙ୍ଗୁର ଓ ଘଣ୍ଟିର ଶବ୍ଦ ପୁଣି ଶୁଣିବାକୁ ମିଳିବ। ଶଗଡ଼ିଆଙ୍କ ସୁମଧୁର ଚସା ଗୀତ ଶୁଣିବାକୁ ମଧ୍ୟ ମିଳିବ l

