–ପ୍ରଶାସନ ବନ୍ଦ କରୁ, ନହେଲେ ଆମେ ବନ୍ଦ କରିବୁ
– ଦେଶୀ ଓ ବିଦେଶୀ ମଦ ଦୋକାନକୁ ପ୍ରଶାସନ ବନ୍ଦ କରୁ; ନହେଲେ ଆମେ ବନ୍ଦ କରିବୁ
– ଦୋକାନରେ ତାଲା ଝୁଲାଇଲା ପ୍ରଶାସନ
ବୁଗୁଡ଼ା,୨୧/୫,(କୁମୁଦ ଚନ୍ଦ୍ର ବେହେରା):ଗାଁକୁ ମଦମୁକ୍ତ କରିବାକୁ ରାଜରାସ୍ତାକୁ ଓହ୍ଲାଇଲେ ମହିଳା।ଦୋକାନ ବନ୍ଦ କରି ଦେଖାଇବୁ ବୋଲି ମହିଳାମାନେ ଚେତାବନୀ ଦେଇଥିଲେ। ଫଳରେ ଅବକାରୀ ବିଭାଗ ମଦ ଦୋକାନରେ ତାଲା ଝୁଲାଇବାକୁ ବାଧ୍ୟ ହୋଇଛି। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କରସିଙ୍ଗି ଗ୍ରାମରେ ମହିଳାମାନଙ୍କ ଏଭଳି ପ୍ରୟାସ ଚର୍ଚ୍ଚାର ବିଷୟ ପାଲଟିଛି। ବୁଦ୍ଧିଜୀବୀ ଓ ବିଭିନ୍ନ ନିଶା ବିରୋଧୀ ସଂଗଠନ ଏହାକୁ ସ୍ୱାଗତ କରିଛନ୍ତି।କରସିଙ୍ଗି ଗାଁରେ ଦୁଇଟି ମଦ ଦୋକାନ (ଗୋଟିଏ ଦେଶୀ ଓ ଗୋଟିଏ ବିଦେଶୀ) ଥିବାରୁ ଦିନରାତି ନିଶାଡ଼ି ଓ ଅସାମାଜିକଙ୍କ ଆଡ୍ଡା ଜମୁଛି। ଛାତ୍ରୀମାନେ ସ୍କୁଲ ଓ ଟ୍ୟୁସନ ଯିବାକୁ ଭୟ କରୁଛନ୍ତି। ଅଭିଭାବକ ଅସୁରକ୍ଷିତ ମଣୁଛନ୍ତି। ଗାଁର ଯୁବକମାନେ ବି ନିଶା ପ୍ରତି ଆସକ୍ତ ହୋଇ ପଥଭ୍ରଷ୍ଟ ହେଉଛନ୍ତି। ଘରେ ଘରେ ଅଶାନ୍ତି ସୃଷ୍ଟି ହେଉଛି। ଗାଁରେ ଶାନ୍ତି ପ୍ରତିଷ୍ଠା ପାଇଁ ଏବଂ ମଦୁଆଙ୍କୁ ସାବାଡ଼ କରିବା ପାଇଁ ଆଜି ମହିଳାମାନେ ମେଳି ବାନ୍ଧିଥିଲେ। ଉଭୟ ଦେଶୀ ଓ ବିଦେଶୀ ମଦ ଦୋକାନ ଆଗରେ ହୋହଲ୍ଲା କରିବା ସହ ବନ୍ଦ କରିବାକୁ ଅଡ଼ି ବସିଥିଲେ।ଭଞ୍ଜନଗର ଉପଖଣ୍ଡ ଅବକାରୀ ଅଧିକାରୀ ପ୍ରଦୀପ ମହାନ୍ତି ଓ ବୁଗୁଡ଼ା ଅବକାରୀ ଥାନାଧିକାରୀ ଜ୍ୟୋତିରଞ୍ଜନ ସେନାପତି ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ତେବେ ମଦ ଦୋକାନ ବନ୍ଦ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ଜିଦ୍ ଧରିବାରୁ ବାଧ୍ୟ ହୋଇ ଅବକାରୀ ଅଧିକାରୀ ମଦ ଦୋକାନୀଙ୍କୁ ତାଲା ପକାଇବାକୁ କହିଥିଲେ। ଦୋକାନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ହେଲେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ମହିଳାଙ୍କୁ ପରାମର୍ଶ ଦେଇଥିଲେ। ଆଗାମୀ ଦିନରେ ମଦ ଦୋକାନ ଖୋଲିଲେ ନିଆଁ ଲଗାଇ ଦେବାକୁ ମହିଳାମାନେ ଚେତାବନୀ ଦେଇଛନ୍ତି।

