ଚିକିଟି,୨୧/୫,(ନିଗମାନନ୍ଦ ପଣ୍ଡା):ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ଙ୍କ ଦ୍ଵାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ କଳା ବିଭାଗର ବାର୍ଷିକ ପରୀକ୍ଷା ୨୦୨୫–୨୬ ରେ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ର ଶାରୀରିକ ଦିବ୍ୟାଙ୍ଗ ଛାତ୍ର ସୁନୀତ କୁମାର ମହାରଣା ୮୦.୮୩ ଓ ଗଣେଶ ସାହୁ ୭୪ ଶତକଡା ନମ୍ବର୍ ରଖି ଉତ୍ତୀର୍ଣ୍ଣ ହୋଇ ସମସ୍ତଙ୍କ ପ୍ରଶଂସା ଅର୍ଜନ କରିଛନ୍ତି। ସେମାନଙ୍କର ଏହି କୃତିତ୍ୱ ଚିକିଟି ଅଞ୍ଚଳରେ ଖୁସିର ପରିବେଶ ସୃଷ୍ଟି କରିଛି। ଶାରୀରିକ ସମସ୍ୟା ଥିବା ସତ୍ତ୍ୱେ କେବେହେଲେ ନିଜର ମନୋବଳ ହରାଇ ନଥିଲେ ଏହି ଦୁଇ ଦିବ୍ୟାଙ୍ଗ ଛାତ୍ର। ନିୟମିତ ଅଧ୍ୟୟନ, ଦୃଢ଼ ସଙ୍କଳ୍ପ ଓ କଠିନ ପରିଶ୍ରମ ଦ୍ୱାରା ଏହି ସଫଳତା ହାସଲ କରିଛନ୍ତି ବୋଲି ଖୁସିରେ ମତ ପ୍ରଦାନ କରିଛନ୍ତି। ଉଭୟ ଛାତ୍ରଙ୍କସଫଳତାରେ ତାଙ୍କ ପରିବାର, ବନ୍ଧୁ ପରିଜନ, ଶିକ୍ଷକ ଓ ସହପାଠୀମାନେ ଗର୍ବ ଅନୁଭବ କରିଛନ୍ତି। ଶିକ୍ଷକମାନେ କହିଛନ୍ତି ଯେ, ଉଭୟ ପରିଶ୍ରମୀ ଓ ଶିଷ୍ଟ ଛାତ୍ର ଥିଲେ। ପରୀକ୍ଷା ପାଇଁ ଦୁହେଁ ଅତ୍ୟନ୍ତ ନିଷ୍ଠାର ସହ ପ୍ରସ୍ତୁତି କରିଥିଲେ। ତାଙ୍କର ଏହି ସଫଳତା ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ହୋଇଛି। ସୁନିତ୍ ଙ୍କ ପିତା ଈଶ୍ୱର ମହାରଣା ଓ ଗଣେଶଙ୍କ ପିତା ରଘୁନାଥ ନିଜର ଦିବ୍ୟାଙ୍ଗ ପୁଅର ଏହି ସଫଳତାରେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହ ବିଦ୍ୟାଳୟର ସମସ୍ତ କର୍ମଚାରୀ, ପୁଅର ସାଙ୍ଗସାଥୀ, ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର କର୍ମକର୍ତ୍ତାମାନଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ଭବିଷ୍ୟତରେ ଆହୁରି ଅଧିକ ପରିଶ୍ରମ କରି ଏହି ଅଞ୍ଚଳ, ରାଜ୍ୟ ତଥା ଦେଶର ସୁନାମ ରଖିବା ସହ ଅନ୍ୟ ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବା ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ପନ୍ନଗ ଭୂଷଣ ମାଝୀ ଦୁଇ ଦିବ୍ୟାଙ୍ଗ ଛାତ୍ରଙ୍କ ଉଦ୍ଦେଶ୍ୟରେ ମତ ପ୍ରଦାନ କରିଥିବା ସହ ସେମାନଙ୍କର ଏହି ସଫଳତା ପାଇଁ ସାଧୁବାଦ ଜଣାଇଛନ୍ତି।

