ଖଜୁରୀପଡ଼ା,୪/୬( ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିରିକୁଡି ଗ୍ରାମପଞ୍ଚାୟତର ସଭାଗୃହ ଠାରେ ସୋମବାର ପଞ୍ଚାୟତ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ସାଧାରଣ ଲୋକଙ୍କ ଅଭିଯୋଗ ଓ ସମସ୍ୟାକୁ ସରକାରୀ ସ୍ତରରେ ଶୁଣି ତାହାର ତ୍ୱରିତ ସମାଧାନ କରିବା ଉଦ୍ଦେଶ୍ୟରେ ଏହି ଶିବିର ଆୟୋଜନ କରାଯାଇଥିଲା। ଉକ୍ତ ଜନଶୁଣାଣୀ ଶିବିରରେ ଖଜୁରୀପଡ଼ା ବିଡ଼ିଓ ଶ୍ରୀ ଶୁଭ ଦତ୍ତାତ୍ରେୟ ବାହିନୀପତି ମୁଖ୍ୟ ଭାବେ ଯୋଗଦେଇ ଲୋକମାନଙ୍କ ଅଭିଯୋଗ ଗ୍ରହଣ କରିଥିଲେ। ତାଙ୍କ ସହ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ସାହୁ, ତହସିଲଦାର ସୁଶ୍ରୀ ଶୁଭଶ୍ରୀ ରଥ, ପିରିକୁଡି ସରପଞ୍ଚ ଶ୍ରୀ ଉମା ଚରଣ ମଲିକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଏଡିଓ ସମେତ ବିଭିନ୍ନ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ।ଶିବିରରେ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆସିଥିବା ଲୋକମାନେ ପାନୀୟ ଜଳ, ରାସ୍ତାଘାଟ, ଭତ୍ତା, ଆବାସ ଯୋଜନା, ବିଦ୍ୟୁତ, ସାମାଜିକ ସୁରକ୍ଷା ଓ ଅନ୍ୟାନ୍ୟ ମୌଳିକ ସମସ୍ୟା ସମ୍ପର୍କିତ ଅଭିଯୋଗ ରଖିଥିଲେ। ଏଥିରେ ସର୍ବମୋଟ ୮୨ଟି ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ ୧୪ଟି ସାମୁହିକ ଅଭିଯୋଗ ଓ ୬୮ଟି ବ୍ୟକ୍ତିଗତ ଅଭିଯୋଗ ଥିବା ସୂଚନା ମିଳିଛି।ଜନଶୁଣାଣୀ ସମୟରେ ବିଡ଼ିଓ ଶ୍ରୀ ବାହିନୀପତି ସମସ୍ତ ଅଭିଯୋଗକୁ ଗୁରୁତ୍ୱ ସହ ଗ୍ରହଣ କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଶୀଘ୍ର ତଦନ୍ତ କରି ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଦ୍ ସହିତ କିଛି ସମସ୍ୟା ଗୁଡିକର କ୍ଷେତ୍ର ପରିଦର୍ଶନ କରି ବୁଲି ଦେଖିଥିଲେ । ଶିବିରରେ ସ୍ଥାନୀୟ ଜନସାଧାରଣଙ୍କ ସହ ବହୁ ସଂଖ୍ୟକ ମହିଳା ମଧ୍ୟ ଯୋଗଦେଇ ନିଜ ନିଜ ସମସ୍ୟା ଉପସ୍ଥାପନ କରିଥିଲେ। ପଞ୍ଚାୟତ ସ୍ତରରେ ଏପରି ଜନଶୁଣାଣୀ କାର୍ଯ୍ୟକ୍ରମ ହେବା ଫଳରେ ସାଧାରଣ ଲୋକମାନେ ସରକାରୀ ଅଧିକାରୀଙ୍କ ସମ୍ମୁଖରେ ସିଧାସଳଖ ଭାବେ ନିଜ ଅଭିଯୋଗ ଜଣାଇ ପାରୁଥିବାରୁ ଏହାକୁ ଅଞ୍ଚଳବାସୀ ସ୍ୱାଗତ କରିଛନ୍ତି।

