ଭଞ୍ଜନଗର,୯/୬,(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଲକ ବଡକୋଦଣ୍ଡା ଗାଁ ରେ କାମଳ ବା ଜଣ୍ଡିସ୍ କାୟା ମେଲାଉଛି। ବିଶେଷକରି ୧୫ ବର୍ଷରୁ କମ୍ ପୁଅ, ଝିଅ ଏଥିରେ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛି। ଗାଁର ନୂଆଁସାହି ଏବଂ ଉସ୍ତସାହିର କିଛି ପରିବାରର ଶିଶୁଙ୍କ ଶରୀରରେ ଏହାର ଲକ୍ଷଣ ଦେଖା ଦେଇଥିଲା। ପ୍ରଥମେ ଜ୍ବର ହେବା ସହ ବାନ୍ତି ହେବା ଭଳି ଲକ୍ଷଣ ଦେଖାଗଲା ପରେ, ଆଖି ଓ ଦେହ ହଳଦିଆ ପଡିଥିଲା। ଏହି ଲକ୍ଷଣ ଜାଣିବା ପରେ କିଛି ଅଭିଭାବକ ବେସରକାରୀ ଭାବେ ପରୀକ୍ଷା କରି, ଜଣ୍ଡିସ୍ ହୋଇଥିବା ଜାଣିବାକୁ ପାଇଥିଲେ। ଆଉ କିଛି ଆକ୍ରାନ୍ତଙ୍କ ପରିବାର ଲୋକେ ଡାକ୍ତରଖାନା ବଦଳରେ ଦେଶୀ ଚିକିତ୍ସା କରି, ଚେର-ମୂଳି ଔଷଧ ଖାଉଛନ୍ତି। ଅନ୍ୟପକ୍ଷରେ ପିଇବା ପାଣି ଯୋଗୁଁ ଏହା ଆରମ୍ଭ ହୋଇଥିବା ଲୋକେ ସନ୍ଦେହ କରିଛନ୍ତି। ସୋମବାର ବିଡିଓ ଭାରତୀ ଦେବୀ, ତହସିଲଦାର ଅଭିପ୍ସା ପଟ୍ଟନାୟକ, ବ୍ଲକ୍ ସହକାରୀ ଯନ୍ତ୍ରୀ ନିତ୍ୟାନନ୍ଦ ପାତ୍ର,ଗ୍ରାମ୍ୟ ଜଳଯୋଗାଣ ଯନ୍ତ୍ରୀ ଦିନବନ୍ଧୁ ପଟେଲ, ସରପଞ୍ଚ ପ୍ରତିନିଧି ହୃଷୀକେଶ ପ୍ରଧାନ ପ୍ରମୁଖ ଗ୍ରାମରେ ପହଞ୍ଚି ଆକ୍ରାନ୍ତ ପରିବାର ଲୋକଙ୍କୁ ଭେଟି ସ୍ଥିତି ଅନୁଧ୍ୟାନ କରିବା ସହ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ବର୍ତ୍ତମାନ ସୁଦ୍ଧା ୬ ଜଣ ପିଲା ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଛନ୍ତି। ଔଷଧ ସେବନ କରିବା ପରେ ପ୍ରାୟ ସମସ୍ତେ ସୁସ୍ଥ ରହିଥିବା ବେଳେ ଜଣେ ଦୁଇ ଜଣଙ୍କ ଠାରେ ସାମାନ୍ୟ ଲକ୍ଷଣ ରହିଥିବା ଜଣାପଡିଛି। ଜଣ୍ଡିସ ଆକ୍ରାନ୍ତ ହେବା ନେଇ ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଦୂଷିତ ପାଣି ଯୋଗୁଁ ହୋଇଥିବା ଆଶଙ୍କା କରାଯାଉଛି। ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦୁଇଟି ସାହିରେ ବ୍ଲିଚିଂ ପକାଇବା ସହ କୂଅ, ନଳକୂପ ଗୁଡ଼ିକୁ ବିଶୋଧନ କରାଯାଇଛି। ମଙ୍ଗଳବାର ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ଼. ବାଲୁଙ୍କେଶ୍ୱର ଷଡ଼ଙ୍ଗୀ ଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ବଡକୋଦଣ୍ଡା ଗସ୍ତ କରି ଆକ୍ରାନ୍ତଙ୍କୁ ଭେଟିଛନ୍ତି। ଏହା ସହ ପାଣି ନମୁନା ସଂଗ୍ରହ କରି ପରିକ୍ଷା ପାଇଁ ପଠାଯାଇଛି।

