ଭଞ୍ଜନଗର,୧୦/୬,(ନିଲୁ ବିଷୋୟୀ):ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଘୁମୁସର ମାଟିର ବିପ୍ଳବୀ ବୀର ଚକରା ବିଷୋୟୀଙ୍କ ସାଧାନର ପୀଠ ଚକରା ଘାଟି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ଗାଲେରୀ ଓ ତାରସିଂ ରେଞ୍ଜର ମଧ୍ୟବର୍ତ୍ତି ଅଞ୍ଚଳର ଘଞ୍ଚ ଜଙ୍ଗଲ ଭିତରେ ଚନ୍ଦ୍ରଗିରି ଜଙ୍ଗଲରେ ଚକ୍ରଘାଟି ରହିଛି। ଶତାଧିକ ପର୍ଯ୍ୟଟକ ଏହି ସ୍ଥାନକୁ ଆସି ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପରିବେଶକୁ ଉପଭୋଗ କରୁଛନ୍ତି। ଚକରାଙ୍କ କର୍ମସ୍ଥଳ ଉପରେ ଅନେକ ଜ୍ଞାନ ଆହରଣ କରୁଥିବା ଦେଖିବାକୁ ମିଳୁଛି। ଏଥିସହ ନିକଟବର୍ତ୍ତୀ ଅଞ୍ଚଳର ବହୁ ବ୍ୟକ୍ତିବିଶେଷ ଜଙ୍ଗଲ ପରିବେଶରେ ବଣ ଭୋଜିର ମଜା ଉଠାଉଛନ୍ତି। ଦୀର୍ଘ ବର୍ଷ ଧରି ବିପ୍ଲବୀ ବୀର ଚକରା ବିଷୋୟୀଙ୍କ ଏହି ସାଧନା ପୀଠ ଅବହେଳିତ ଭାବେ ପଡି ରହିଥିଲା। ରାଜ୍ୟରେ ଭାଜପା ସରକାର ଆସିବା ପରେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ସ୍ୱତନ୍ତ୍ର ପରିକଳ୍ପନା ଓ ଉଦ୍ୟମ କ୍ରମେ ଏହାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁ ପ୍ରୟାସ ଆରମ୍ଭ ହୋଇଥିବା ବେଳେ ୬କୋଟି ରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ଏହି ସ୍ଥାନର ଉନ୍ନତିକରଣ କରାଯାଉଛି। ସୁଉଚ୍ଚ ପ୍ରବେଶ ପଥ ସାଙ୍ଗକୁ ଏଠାରେ ବର୍ତ୍ତମାନ ୱାଚ୍ ଟାୱାର,ଅବଜରଭେସନ ଟାୱାର୍, ପୋଖରୀ ଖନନ, ମନ୍ଦିର ପ୍ରବେଶ ପଥ ଗେଟ୍ ଓ ପାହାଚ, ଠାକୁରାଣୀଙ୍କ ମନ୍ଦିରର ଉନ୍ନତୀକରଣ କରାଯାଇ ଆକର୍ଷଣୀୟ ଗୁମ୍ପାରେ ପରିଣତ କରାଯାଇଛି। ସେହିପରି ପାଚେରୀ, ପିଇବା ପାଣି ବ୍ୟବସ୍ଥା,ପିଣ୍ଡି ,ଟଇଲେଟ୍,ଆର୍କ ବ୍ରିଜ୍,ରିଟର୍ଣ୍ଣିଂ ୱାଲ ,ପାର୍କିଂ ଏରିଆ,ଟିକେଟ କାଉଣ୍ଟର, ସୋଭେନିୟର ସପ୍ , ଭିଭିଆଇପି କଟେଜ୍ ବ୍ୟବସ୍ଥା କରାଯାଇଛି। ଉନ୍ନତିକରଣ କାଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଖୁବଶୀଘ୍ର ଏହାକୁ ଲୋକାର୍ପଣ କରାଯିବ ବୋଲି ସୂଚନା ମିଳିଛି। ଏଭଳି ଏକ ପୁରାତନ ଐତିହ୍ୟର ପୁନରୁଦ୍ଧାର ହେବା ପରେ ଜିଲ୍ଲାରେ ଏହା ଏକ ଅନ୍ୟତମ ଆକର୍ଷଣୀୟ ସ୍ଥାନ ହେବା ସହ ପର୍ଯ୍ୟଟକଙ୍କ ନୂଆ ଠିକଣା ହେବାକୁ ଯାଉଛି। ବନ ବିଭାଗ ପକ୍ଷରୁ ଏହାକୁ ଡେ ଟୁରିଜିମ୍ ରେ ସାମିଲ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଜଙ୍ଗଲ ସଫାରିର ମଧ୍ୟ ପର୍ଯ୍ୟଟକ ମଜା ଉଠାଇ ପାରିବେ। ବନ ସୁରକ୍ଷା ସମିତିକୁ ନେଇ ଗଠିତ ଇକୋ ଡେଭଲପମେଣ୍ଟ କମିଟି ଏହାକୁ ପରିଚାଳନା କରିବ ବୋଲି ଜଣାପଡିଛି। ପ୍ରକାଶ ଥାଉକି, ଘୁମୁସର ବିପ୍ଲବୀ ବୀର ଚକରା ବିଷୋୟୀ ବ୍ରିଟିଶ ଶାସକଙ୍କ ବିରୋଧରେ ଲଢେଇ କରୁଥିବା ବେଳେ ବିଭିନ୍ନ ସ୍ଥାନରେ ପ୍ରଶିକ୍ଷଣ କେନ୍ଦ୍ର ଓ ଆଖଡା ସ୍ଥାପନ କରି ଯୁବକ ମାନଙ୍କୁ ନେଇ ଯୁଦ୍ଧକୌଶଳ ବିଷୟରେ ତାଲିମ ପ୍ରଦାନ କରୁଥିଲେ। ସେଥି ମଧ୍ୟରୁ ଚକରା ଘାଟି ଥିଲା ଅନ୍ୟତମ କର୍ମକ୍ଷେତ୍ର। ଏଠାରେ ସେ ବନଦେବୀଙ୍କୁ ପୂଜାର୍ଚ୍ଚନା କରୁଥିଲେ।

