ଖଜୁରୀପଡ଼ା,୫।୭(ମନୋଜ କୁମାର ବେହେରା): ସରକାରଙ୍କ ପକ୍ଷରୁ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକରେ ଶିଶୁମାନଙ୍କ ପାଇଁ ପୌଷ୍ଟିକ ଖାଦ୍ୟ ରୋଷେଇ ନିମନ୍ତେ ଏଲପିଜି ଗ୍ୟାସ ସିଲିଣ୍ଡର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଖଜୁରୀପଡ଼ା ଅଙ୍ଗନବାଡି କେନ୍ଦ୍ର (୩)ରେ ଗତ ଦୁଇ ମାସ ଧରି କାଠ ଚୁଲାରେ ରୋଷେଇ କରାଯାଉଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, କେନ୍ଦ୍ରରେ ବହୁଦିନ ହେଲା ଗ୍ୟାସ ସିଲିଣ୍ଡର ଶେଷ ହୋଇଯାଇଥିବାରୁ ସହାୟିକା ବାଧ୍ୟ ହୋଇ କାଠ ଚୁଲାରେ ରୋଷେଇ କରୁଛନ୍ତି। ଏନେଇ ଅଙ୍ଗନବାଡି କର୍ମୀ ବିଶାଖା ପ୍ରଧାନଙ୍କୁ ପଚାରିବାରୁ ସେ ପ୍ରତିଥର “ଆଜି ଆସିବ, କାଲି ଆସିବ” ବୋଲି କହୁଥିବା ଅଭିଯୋଗ ହୋଇଛି।ଅନ୍ୟପକ୍ଷରେ, ସହାୟିକାଙ୍କୁ ପଚାରିବାରୁ ସେ ସ୍ପଷ୍ଟ କରିଛନ୍ତି ଯେ ବହୁଦିନ ହେଲା ଗ୍ୟାସ ସିଲିଣ୍ଡର ଶେଷ ହୋଇଯାଇଛି। ସେହି କାରଣରୁ କାଠ ଚୁଲାରେ ରୋଷେଇ କରିବାକୁ ପଡ଼ୁଛି।ଏହି ଘଟଣାକୁ ନେଇ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅଙ୍ଗନବାଡି କେନ୍ଦ୍ରରେ ତୁରନ୍ତ ଗ୍ୟାସ ସିଲିଣ୍ଡର ଯୋଗାଣ ସୁନିଶ୍ଚିତ କରିବା ସହ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସେମାନେ ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି।

