ଭଞ୍ଜନଗର,୫।୭(ନିଲୁ ବିଷୋୟୀ): ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ଗରମ ଅନୁଭୂତ ହେଉଥିବା ବେଳେ ନିଅଣ୍ଟିଆ ବର୍ଷା ପାଇଁ ଚାଷ କାର୍ଯ୍ୟ ମଧ୍ୟ ବେଶ ଧିମେଇଥିଲା। କିନ୍ତୁ ଜୁଲାଇ ପହିଲାରୁ ପାଗରେ ପରିବର୍ତ୍ତନ ହେବା ସହ ବର୍ଷା ସମସ୍ତଙ୍କୁ ଏକ ପ୍ରକାର ଆଶ୍ବସ୍ତି ଆଣି ଦେଇଛି। ଲଘୁଚାପ ପ୍ରଭାବରେ ବର୍ଷା ଦିନ ରାତି ଜାରି ରହିଥିବା ବେଳେ ଅବିଶ୍ରାନ୍ତ ବର୍ଷା ଜନଜୀବନକୁ ଏକ ପ୍ରକାର ଠପ କରିଦେଇଛି। ଦିନ ତମାମ ମ୍ରୁଶଳ ଧାରାରେ ବର୍ଷା ହେଉଥିବା ବେଳେ ମଝିରେ ମଝିରେ ପ୍ରବଳ ବର୍ଷା ହେଉଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ନଦୀ ନାଳରେ ପ୍ରବଳ ବର୍ଷା ଜଳ ଆସି ଜଳସ୍ତର ଢେର ବୃଦ୍ଧି ପାଇଛି। କିଛି ଦିନ ତଳେ ନଇନାଳ ଏକ ପ୍ରକାର ଶୁଖିଲା ପଡିଥିବା ବେଳେ ସେଥିରେ ଦୁଇ କୂଳରେ ବର୍ଷା ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ନୂଆ ପାଣି ଆସିଥିବା ବେଳେ ପାନୀୟ ଜଳ ବ୍ୟବହାର କରାଯିବା ସମୟରେ ସର୍ତ୍ତକତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି। ଏନେଇ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରିବାର ମଧ୍ୟ ଆବଶ୍ୟକ ରହିଛି। ନଚେତ ଦୂଷିତ ପାଣି ବ୍ୟବହାରରୁ ରୋଗ ବ୍ୟାପିବାର ଆଶଙ୍କା ମଧ୍ୟ ରହିଛି। ଅନ୍ୟପଟେ ଲଘୁଚାପ ଜନିତ ବର୍ଷା ଯୋଗୁ ଚାଷୀଙ୍କ ଏକ ପ୍ରକାର ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି। ଚାଷ ଜମିରେ ବର୍ତ୍ତମାନ ତଳି ଘରା ପଡିଥିବା ବେଳେ ଅନେକ ସ୍ଥାନରେ ଧାନ ତଳି ମଧ୍ୟ ପାଣିରେ ବୁଡି ରହିଥିବା ଦେଖିବାକୁ ମିଳିଛି। ଚଳିତ ମାସ ପ୍ରଥମ ସପ୍ତାହରେ ରବିବାର ସୁଦ୍ଧା ଭଞ୍ଜନଗର ଉପଖଣ୍ଡର ଆସିକା ବ୍ଳକରେ ୧୨୫ ମିିମି. ବର୍ଷା ରେକର୍ଡ କରାଯାଇଥିବା ବେଳେ ବେଲଗୁଣ୍ଠା ବ୍ଳକରେ ୧୫୫ ମିମି.ଭଞ୍ଜନଗରରେ ୨୦୪ ମିମି.ବୁଗୁଡାରେ ୧୬୫ ମିମି.ଧରାକୋଟରେ ୭୩ ମିମି.ଜଗନ୍ନାଥପ୍ରସାଦରେ ୧୮୬ ମିମି.ଶେରଗଡରେ ୯୧ ମିମି. ଏବଂ ସୋରଡ଼ା ବ୍ଳକରେ ୧୧୪ ମିମି.ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଏବେବି ବର୍ଷା ଲାଗି ରହିଥିବା ବେଳେ ଆଗାମୀ ଦିନରେ ବନ୍ୟା ପରିସ୍ଥିତ ଉପୁଜିବାର ଆଶଙ୍କା ରହିଛି।

