ପୋଲସରା,୧୨।୭(ସୁଧାଂଶୁ ଶେଖର ସାହୁ):ଲୋକଙ୍କ ଶୋଷ ମେଣ୍ଟାଈ ପାରୁନି ଜନସ୍ବାସ୍ଥ୍ୟ ବିଭାଗ। ପିଇବା ପାଣି ପାଇଁ ପ୍ରତି ଘରକୁ ଟ୍ଯାପ୍ ଖଞ୍ଜା ଯାଇ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା କିନ୍ତୁ ସହର ବାସୀଙ୍କ ମୁହଁରେ ଟୋପେ ବିଶୁଦ୍ଧ ଜଳ ଯୋଗାଇବାରେ ଫେଲ୍ ମାରିଛି ଜନସ୍ବାସ୍ଥ୍ୟ ବିଭାଗ। ସାଧାରଣ ଲୋକଙ୍କ ହିତ ପାଇଁ ସରକାର ପାଣି ଭଳି କୋଟିକୋଟି ଟଙ୍କା ଖର୍ଚ୍ଚ କରି ପ୍ରତି ଘରକୁ ଟ୍ୟାପ୍ ଯୋଗେ ପାନୀୟ ଜଳ ଯୋଗାଇବା ପାଇଁ “ଘରେ ଘରେ ପାନୀୟ ଜଳ ” ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ବର୍ତ୍ତମାନ ସାରା ରାଜ୍ୟର ଅଧିକାଂଶ ସ୍ଥାନରେ ଜଣ୍ଡିସ କାୟା ବିସ୍ତାର କରିଥିବା ବେଳେ ପୋଲସରା ସହରରେ ପିଇବା ପାଣିର ସ୍ୱଚ୍ଛତା କୁ ନେଇ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ପ୍ରତି ଘରକୁ ପିଇବା ପାଣି ଟ୍ଯାପ୍ ରେ ବିଶୁଦ୍ଧ ଜଳ ବଦଳରେ ଆସୁଛି କାଦ ଓ ପଙ୍କ ମିଶ୍ରିତ ଦୂଷିତ ପାଣି, ଯାହା ଏବେ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଘାତକ ସାଜିଛି। ଯଦିବା ଟ୍ୟାପରେ ପାଣି ଆସୁଛି କିନ୍ତୁ ଗୋଳିଆ ପାଣିରେ ଲୋକଙ୍କ ଶୋଷ ମେଣ୍ଟୁ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଯେଉଁ ପାଣି ଗାଧୋଇବା ପାଇଁ ଉପଯୁକ୍ତ ନୁହେଁ ତଥାପି ଅନ୍ୟ ଉପାୟ ନପାଇ ପିଇବାକୁ ବାଧ୍ୟ୍ୟ ହେଉଛନ୍ତି ନିରୀହ ଜନତା। ପୋଲସରା ମ୍ୟୁନିସିପାଲିଟିରେ ପାଖାପାଖି ୩୦ ହଜାର ରୁ ଉର୍ଦ୍ଧ ଲୋକଙ୍କ ପାଇଁ ଡିମ୍ବିରିଆ ପଞ୍ଚାୟତ ନିକଟସ୍ଥ ବାଘୁଆ ନଦୀରୁ ଜଳଯୋଗଣ ହେଉଛି ସେହିପରି ରାଣୀପଡା ଓ ବାଲିଘାଇ ନିକଟସ୍ଥ ଧନେଇ ନଦୀରୁ ପିଇବା ପାଣି ପାଇଁ ବ୍ୟବସ୍ଥା କରାଯାଇଛି। ପୋଲସରା ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟଳୟ ପରିସରରେ ୨ ଟି ଓଭର ହେଡ଼ ଟାଙ୍କି ଓ ୨ ଟି ଭୁତଳ ଜଳ ସଂରକ୍ଷଣ ଟାଙ୍କିର ବ୍ୟବସ୍ଥା ହୋଉଛି। କିନ୍ତୁ ଏତେ ସବୁ ବ୍ୟବସ୍ଥା ଥିଲେ ମଧ୍ଯ କେତେବେଳେ ଜଳ ସଙ୍କଟ ତ ଆଉ କେତେବେଳେ ପିଇବା ପାଣିର ଘୋର ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ମୁଖ୍ୟତଃ ପୋଲସରା ମୁନିସିପାଲିଟି ଅନ୍ତର୍ଗତ ୧ ନମ୍ବର ୱାର୍ଡ ଠାରୁ ୧୦ ନମ୍ବର ୱାର୍ଡ ରେ ବସବାସ କରୁଥିବା ଲୋକେ ଅପମିଶ୍ରିତ ଓ ଗୋଳିଆ ଦୂଷିତ ପାଣିରେ ନିତି ଦିନ କାଟୁଥିବା ଅଭିଯୋଗ କରିଛନ୍ତି। ସହରରେ ପିଇବା ପାଣିର ସମସ୍ୟା ନେଇ ସହରବାସୀଙ୍କ ତରଫରୁ ପୂର୍ବରୁ ମଧ୍ଯ ଅନେକଥର ଆନ୍ଦୋଳନ, ରାସ୍ତାରୋକ, ଅଫିସ ଘେରାଉ ଭଳି ପ୍ରତିବାଦ କରାଯାଇ ପାଣି ପାଇଁ ଜେଲ ଯାଇଥିବା ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳିଥିବା ନଜିର ଅଛି। କିନ୍ତୁ ଉଦ୍ବେଗର କଥା ଲୋକଙ୍କ ହିତ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ତାହାର ସ୍ଥାଇ ସମାଧାନ ବର୍ତମାନ ପର୍ଯ୍ୟନ୍ତ ହୋଇପାରିନାହିଁ। ଯାହାର ଫଳ ସ୍ୱରୂପ ସହରବାସୀ ଦୂଷିତ ପାନୀୟ ଜଳ ବ୍ୟବହାର କରି ବିଭିନ୍ନ ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି। ଯେହେତୁ ଆଗକୁ ବଡ଼ ବର୍ଷା ଆସୁଛି, ବର୍ତ୍ତମାନ ଠାରୁ ଲୋକଙ୍କୁ ଯଦି ବିଶୁଦ୍ଧ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାନଯାଏ ତାହେଲେ ଲୋକଙ୍କ ମଧ୍ୟରେ ଡେଙ୍ଗୁ, ମ୍ୟାଲେରିଆ , ଜଣ୍ଡିସ ଭଳି ଜଟିଳ ରୋଗ ଭୟକୁ ଏଡାଇ ଦିଆଯାଇନପାରେ। ଏନେଇ ପୋଲସରା ସହରବାସୀ ସମେତ ମିଡିଆ ହାଉସ୍, ପ୍ରେସକ୍ଳବ, ଋଷିକୂଲ୍ୟା ରୟତ ସମାଜ, ବିଭିନ୍ନ ଯୁବ ସଂଗଠନ ତରଫରୁ ପୋଲସରାବାସୀଙ୍କ ପାଇଁ ବିଶୁଦ୍ଧ ପାନ୍ୟଜଳ ଯୋଗାଣ ପାଇଁ ଦାବି ହୋଇଛି। ଏନେଇ ବିଭାଗୀୟ ଅଧିକାରୀ ସୁଦାମ ମିଶ୍ରଙ୍କ ସହ ଯୋଗାଯୋଗ ବେଳେ ମହାନଦୀ ମେଗା ପ୍ରକଳ୍ପ କାମ ଚାଲିଛି କିନ୍ତୁ ପାଣି ଟାଙ୍କି ର ନିର୍ମାଣ ପାଇଁ ଜମି ର ଆବଶ୍ୟକତା ଥିବାବେଳେ ଏବେଯାଏଁ ତହସିଲ ତରଫରୁ ଜମି ଯୋଗାଇ ଦିଆଯାଇ ନାହିଁ। ଏବଂ ପୋଲସରା ମୁଖ୍ୟ ସଡ଼କ ରେ ନୂତନ ପାଇପ ବିଛାଇବା ପାଇଁ ପୂର୍ତ୍ତ ବିଭାଗ ଅନୁମତି ଦେଉନଥିବା କାରଣରୁ ମେଗା ପ୍ରକଳ୍ପ କାମରେ ବିଳମ୍ବ ହେଉଥିବା ସେ ସୂଚନା ଦେଇଛନ୍ତି। ଖୁବଶୀଘ୍ର ଧନେଇ ନଦୀରୁ ଯେଉଁ ଗୋଳିଆ ପାଣି ଆସୁଛି ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

