ବୁଗୁଡ଼ା,୪।୮(କୁମୁଦ ଚନ୍ଦ୍ର ବେହେରା):ସ୍ଥାନୀୟ ପୋଲିସ ଥାନା ଅନ୍ତର୍ଗତ ଲକ୍ଷ୍ମୀପୁର, କରଚୁଲି ଓ ପାଙ୍ଗିଡ଼ି ଆଦି ଗ୍ରାମସ୍ଥ ମଦଭାଟିରେ ବେଆଇନ ଭାବେ ୟୁରିଆ ଭଳି ବିଷାକ୍ତ ରାସାୟନିକ ପଦାର୍ଥ ବ୍ୟବହାର କରି ମଦ ପ୍ରସ୍ତୁତ ହେଉଥିବା ଏବଂ ସେହି ମଦ ସେବନକାରୀଙ୍କ ସ୍ବାସ୍ଥ୍ୟାବସ୍ଥା ବିପର୍ଯ୍ୟସ୍ତ ହୋଇପଡୁଥିବା ନେଇ ଜୁଲାଇ ୩୦ ତାରିଖ ଦିନ ବୁଗୁଡ଼ା ଥାନାରେ ବିଶ୍ବ ମାନବାଧିକାର ସୁରକ୍ଷା ସଂଗଠନର ରାଜ୍ୟ ସଂଯୋଜକ ବି. ଦଣ୍ଡପାଣି ପାତ୍ର ଅଭିଯୋଗ କରିଥିବା ଜଣାଯାଇଛି। ଅଭିଯୋଗକାରୀ ତାଙ୍କର ଲିଖିତଅଭିଯୋଗରେ ଦର୍ଶାଇଛନ୍ତି ଯେ, ଲକ୍ଷ୍ମୀପୁର, କରବୁଲି ଓ ପାଙ୍ଗିଡ଼ି ଆଦି ଗ୍ରାମରେ ଥିବା ମଦ ଉତ୍ପାଦନ ୟୁନିଟ୍ (ଭାଟି)ଗୁଡ଼ିକରେ ମହୁଲ ଫୁଲ ଭଳି ପାରମ୍ପରିକ ଏବଂ ଆଇନଗତ କଞ୍ଚାମାଲ ବ୍ୟବହାର କରିବା ପରିବର୍ତ୍ତେ ଏହି ସଂସ୍ଥାର ମାଲିକ ଏବଂ ପରିଚାଳକମାନେ ତ୍ୱରାନ୍ୱିତ କରିବା ପାଇଁ ୟୁରିଆ ଭଳି ହାନିକାରକ ରାସାୟନିକ ପଦାର୍ଥ ବିନିଯୋଗ କରୁଥିବାରୁ ମଦ୍ୟପାନ କରୁଥିବା ବ୍ୟକ୍ତିଗଣ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅଧିକାଂଶ ମଦ୍ୟପାନକାରୀ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଅନ୍ଧ, ବୃକ୍କ ଓ ଯକୃତ ପୀଡ଼ା ଭଳି ରୋଗର ଶିକାର ହେଉଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି। ଏହାକୁ ଯଦି ବନ୍ଦ ନକରାଯାଏ ତେବେ ନିକଟ ଭବିଷ୍ୟତରେ ବହୁ ସଂଖ୍ୟକ ମଦ୍ୟପାନକାରୀଙ୍କ ଜୀବନହାନୀ ଘଟିବାର ସମ୍ଭାବନାକୁ ଏଡ଼ାଇ ଦେଇହେବ ନାହିଁ। ଏଣୁ, ପୋଲିସ ପ୍ରଶାସନ ବେଆଇନ ମଦ ପ୍ରସ୍ତୁତିରେ ଲଗାମ ଲଗାଇବା ଲକ୍ଷ୍ୟରେ ସମ୍ପୃକ୍ତ ଭାଟିଗୁଡ଼ିକ ଉପରେ ଚଢାଉ କରି ହାନିକାରକ ରାସାୟନିକ ପଦାର୍ଥ ଏବଂ ଭେଜାଲ ମଦକୁ ଜବତ କରି ନମୁନାକୁ ମାନ ନିର୍ଦ୍ଧାରଣ ନିମନ୍ତେ ରାଜ୍ୟ ଫୋରେନସିକ୍ ବିଜ୍ଞାନ ପରୀକ୍ଷାଗାରକୁ ପଠାଇବା ସହ ହାନିକାରକ ମଦ୍ୟପାନ ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ସୁରକ୍ଷାର ପ୍ରତିକାର ବ୍ୟବସ୍ଥା ସାଙ୍ଗକୁ ଭେଜାଲ ମଦ ପ୍ରସ୍ତୁତକାରୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

