ଚିକିଟି,୪।୮(ନିଗମାନନ୍ଦ ପଣ୍ଡା):ମହାବିଦ୍ୟାଳୟରେ ନୂତନ ଭାବେ ଯୋଗ ଦେଇଥିବା ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ପାଇଁ ଆଜି ଏକ ସ୍ୱାଗତ ଓ ପରିଚୟ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ସେମିନାର ହଲରେ ଅନୁଷ୍ଠିତ ହୋଇଯାଇଅଛି । ଅଧ୍ୟକ୍ଷ ତଥା ଇତିହାସ ବିଭାଗ ପ୍ରାଧ୍ୟାପକ ଅଭିମନ୍ୟୁ ସାହୁଙ୍କ ସଭାପତିତ୍ଵରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ଇଂରାଜୀ ବିଭାଗର ଅଧ୍ୟାପକ ଆଶୁତୋଷ ସାହୁ ମଞ୍ଚ ପରିଚାଳନା କରିଥିଲେ । ଅଧ୍ୟାପକ ସୁନିଲ କୁମାର ପାଢ଼ୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିବା ସହ ମହାବିଦ୍ୟାଳୟର ଇତିହାସ ବିଷୟରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଅଧ୍ୟାପକ ସୁନିଲ କୁମାର ପଣ୍ଡା ଓ ଅଧ୍ୟାପକ ପବିତ୍ର ମହାରଣା ଛାତ୍ରୀଛାତ୍ରଙ୍କୁ ତିନି ବର୍ଷ ଡ଼ିଗ୍ରୀ ପାଠ୍ୟ ଖସଡ଼ା, ଏ.ଇ.ଡ଼ି.ପି ଓ ନନ୍ ଏ.ଇ.ଡ଼ି.ପି ପାଠ୍ୟ ଖସଡ଼ା ସମ୍ପର୍କରେ ବିଶଦ ଭାବେ ବର୍ଣ୍ଣନା କରିଥିଲେ । ଅଧ୍ୟାପିକା ମଧୁସ୍ମିତ। ମହାପାତ୍ର, ଅଧ୍ୟାପିକା ସୁଚିତ୍ରା ରାଣୀ ପଣ୍ଡା, ଅଧ୍ୟାପକ ଲକ୍ଷ୍ମଣ ବେହେରା ଓ ଅଧ୍ୟାପକ ରାକେଶ ରୋଶନ ମଣ୍ଡଳ ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ଵାଗତ କରିବା ସହ ମହାବିଦ୍ୟାଳୟର ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଷୟରେ ଜଣାଇଥିଲେ । ଅଧ୍ୟକ୍ଷ ନିଜ ଅଭିଭାଷଣରେ ଛାତ୍ରୀଛାତ୍ରଙ୍କ ଉତ୍ସାହ ବଢ଼ାଇଥିଲେ ଓ ପାଠପଡ଼ା ସହ ଗୋଟିଏ ଭଲ ମଣିଷ ହେବାକୁ ଚେଷ୍ଟା କରିବା ପାଇଁ ପରାମର୍ଶ ଦେଇଥିଲେ । ଶେଷରେ ଡ. ରାମ ଶଙ୍କର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ I ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଯୁକ୍ତ ଦୁଇ ପ୍ରଥମ ବର୍ଷର ନବାଗତ ଛାତ୍ରୀଛାତ୍ରଙ୍କ ପାଇଁ ଏହି ପରି ଏକ ସ୍ୱାଗତ ଓ ପରିଚୟ କାର୍ଯ୍ୟକ୍ରମ ଗତ ଜୁଲାଇ ୩୦ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା ।

