ବ୍ରହ୍ମପୁର,୪।୮(ହିମାଂଶୁ ଶେଖର ସାବତ):ମଙ୍ଗଳବାର ଗଞ୍ଜାମ ଜିଲ୍ଲାରେ ପହଞ୍ଚିଛନ୍ତି ଭାରତର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଏବଂ ତପ୍ତପାଣିରେ ପହଞ୍ଚିଛନ୍ତି । ଭୁବନେଶ୍ୱର ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ବ୍ରହ୍ମପୁର ଆସିଥିବା ରାଷ୍ଟ୍ରପତିଙ୍କୁ ବ୍ରହ୍ମପୁର ରେଳ ଷ୍ଟେସନରେ ଭବ୍ୟ ସ୍ୱାଗତ କରାଯାଇଥିଲା । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ହରିବାବୁ କୁମ୍ଭମପତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ସ୍ୱତନ୍ତ୍ର ଟ୍ରେନରେ ବ୍ରହ୍ମପୁର ଆସିଥିଲେ । ପୂର୍ବାହ୍ନ ୧୧ଟା ୧୦ ମିନିଟ୍ରେ ବ୍ରହ୍ମପୁର ରେଳଷ୍ଟେସନରେ ପହଞ୍ଚିବା ପରେ ସତୀର୍ଥ ସଂକୀର୍ତ୍ତନ, ଶୁଭ ଶଙ୍ଖଧ୍ୱନି, ଘଣ୍ଟନାଦ, ବ୍ୟାଘ୍ର ନୃତ୍ୟ ଓ ଗଞ୍ଜାମର ବିବିଧ ଲୋକକଳାର ମନୋମୁଗ୍ଧକର ପରିବେଷଣ ମଧ୍ୟରେ ମାନ୍ୟବର ରାଷ୍ଟ୍ରପତିଙ୍କୁ ଭବ୍ୟ ଅଭ୍ୟର୍ଥନା ଜଣାଯାଇଥିଲା। ସମଗ୍ର ପରିବେଶ ଭକ୍ତି, ପରମ୍ପରା ଓ ଗୌରବର ଅନନ୍ୟ ସମାଗମରେ ପରିଣତ ହୋଇଥିଲା। ବ୍ରହ୍ମପୁରରୁ ତପ୍ତପାଣି ଅଭିମୁଖେ ଯାତ୍ରା ସମୟରେ ରାସ୍ତାର ଉଭୟ ପାର୍ଶ୍ୱରେ ଗଞ୍ଜାମବାସୀ ମାନ୍ୟବର ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇଥିଲେ। ମହାମହିମଙ୍କ ତପ୍ତପାଣି ଯାତ୍ରା ସମୟରେ ବ୍ରହ୍ମପୁର ରାସ୍ତା ପାର୍ଶ୍ୱରେ ଓଲ୍ହାଇ କିଛି ଛାତ୍ର ଛାତ୍ରୀଙ୍କୁ ଚକୋଲେଟ ଦେବା ଦୃଶ୍ୟ ଅତ୍ୟନ୍ତ ମନୋହର ଥିଲା l ଜିଲ୍ଲାର ସବୁଜ ପାହାଡ଼, ଘଞ୍ଚ ଅରଣ୍ୟ ଓ ପ୍ରକୃତିର ଅପରୂପ ଶୋଭା ମଧ୍ୟରେ ଏହି ଯାତ୍ରା ଗଞ୍ଜାମର ପର୍ଯ୍ୟଟନ ସମ୍ଭାବନାର ଏକ ଜୀବନ୍ତ ପରିଚୟ ପ୍ରଦାନ କରିଥିଲା। ପବିତ୍ର ତପ୍ତପାଣିରେ ପହଞ୍ଚି ମାନ୍ୟବର ରାଷ୍ଟ୍ରପତି ମା’ କାନ୍ଧୁଣୀ ଦେବୀ ଓ ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଦିବ୍ୟ ଆରତିରେ ଅଂଶଗ୍ରହଣ କରିଥିଲେ। ପ୍ରକୃତିର କୋଳରେ ଅବସ୍ଥିତ ଏହି ପବିତ୍ର ପୀଠ ଆଦିବାସୀ ପରମ୍ପରା, ଆଧ୍ୟାତ୍ମିକ ଚେତନା ଓ ଲୋକବିଶ୍ୱାସର ଏକ ଜୀବନ୍ତ ପ୍ରତୀକ। ଏହି ଗସ୍ତ ଗଞ୍ଜାମର ପର୍ଯ୍ୟଟନ, ସଂସ୍କୃତି ଓ ଧାର୍ମିକ ଐତିହ୍ୟକୁ ଜାତୀୟ ସ୍ତରରେ ନୂତନ ପରିଚୟ ପ୍ରଦାନ କରିବା ସହ ଜିଲ୍ଲାର ବିକାଶ ଯାତ୍ରାକୁ ଆହୁରି ଗତିଶୀଳ କରିବ ବୋଲି ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଭି କୀର୍ତ୍ତି ଭାସନ ଉଲ୍ଲେଖ କରିଛନ୍ତି ।ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ, ସ୍ଥାନୀୟ ରୋଜଗାର ସୃଷ୍ଟି ଏବଂ ବିଶେଷକରି ଆଦିବାସୀ ଅଞ୍ଚଳର ଆର୍ଥିକ ସଶକ୍ତିକରଣ ଦିଗରେ ଏହି ଗସ୍ତ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି । ମାନ୍ୟବର ରାଷ୍ଟ୍ରପତିଙ୍କ ଏହି ଐତିହାସିକ ଗସ୍ତ ଗଞ୍ଜାମ ଜିଲ୍ଲାପାଇଁ ଅତ୍ୟନ୍ତ ଗର୍ବର ବିଷୟ ,କଳା ସାହିତ୍ୟ ମନସ୍କ ଗଞ୍ଜାମ ମାଟିର ସମୃଦ୍ଧ ସଂସ୍କୃତି, ଅତିଥି ସତ୍କାର ପରମ୍ପରା ଓ ପର୍ଯ୍ୟଟନ ସମ୍ଭାବନାକୁ ସମଗ୍ର ଦେଶ ସମ୍ମୁଖରେ ଆହୁରି ଉଜ୍ଜ୍ୱଳ କରିବାର ଏକ ଐତିହାସିକ ଅବସର ଭାବେ ସ୍ମରଣୀୟ ହୋଇ ରହିବ। ମାନ୍ୟବର ରାଷ୍ଟ୍ରପତିଙ୍କ ଏହି ଐତିହାସିକ ଗସ୍ତକୁ ନେଇ ସମଗ୍ର ତପ୍ତପାଣି ଅଞ୍ଚଳ ଉତ୍ସବମୁଖର ହୋଇଉଠିଥିଲା। ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟ, ଶ୍ରଦ୍ଧାଳୁ ଓ ସାଧାରଣ ଜନସାଧାରଣ ଏହାକୁ କେବଳ ଏକ ଉଚ୍ଚସ୍ତରୀୟ ଗସ୍ତ ଭାବେ ନୁହେଁ, ବରଂ ସେମାନଙ୍କ ସଂସ୍କୃତି, ପରମ୍ପରା, ଆସ୍ଥା ଓ ଜୀବନଶୈଳୀ ପ୍ରତି ଜାତୀୟ ସମ୍ମାନର ଏକ ଅନନ୍ୟ ପ୍ରତୀକ ଭାବେ ଦେଖିଛନ୍ତି। ମାନ୍ୟବର ରାଷ୍ଟ୍ରପତିଙ୍କ ଏହି ପବିତ୍ର ପଦାର୍ପଣ କେବଳ ମା’ କନ୍ଧୁଣୀ ଦେବୀ ପୀଠର ଐତିହ୍ୟକୁ ନୂତନ ଗୌରବ ପ୍ରଦାନ କରିନାହିଁ, ବରଂ ଗଞ୍ଜାମର ଆଦିବାସୀ ପରମ୍ପରା, ଧାର୍ମିକ ପର୍ଯ୍ୟଟନ ଓ ସାଂସ୍କୃତିକ ବୈଭବକୁ ଜାତୀୟ ପରିପ୍ରେକ୍ଷୀରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ଜଣେ ଆଦିବାସୀ କନ୍ୟା ଭାବେ ମାନ୍ୟବର ରାଷ୍ଟ୍ରପତିଙ୍କ ଏହି ଆଧ୍ୟାତ୍ମିକ ଗସ୍ତ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟଙ୍କ ମନରେ ଆତ୍ମଗୌରବ, ଆବେଗ ଓ ଆନନ୍ଦର ନୂତନ ଚେତନା ସଞ୍ଚାର କରିଛି। ଏହି ଗସ୍ତ ସେମାନଙ୍କ ପରମ୍ପରା, ଆସ୍ଥା ଓ ସଂସ୍କୃତି ପ୍ରତି ଜାତୀୟ ସମ୍ମାନର ଏକ ଅନନ୍ୟ ପ୍ରତୀକ ଭାବେ ପରିଗଣିତ ହୋଇଛି।ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୩.୫୦ କୋଟି ଟଙ୍କା ବ୍ୟୟରେ ପୀଠର ସାମଗ୍ରିକ ବିକାଶ ଓ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ଜାରି ରହିଛି। ଉଷ୍ଣପ୍ରସ୍ରବଣ ସ୍ନାନକୁଣ୍ଡର ଉନ୍ନତିକରଣ, ସ୍ୱଚ୍ଛ ପରିବେଶ, ପର୍ଯ୍ୟଟକ ସୁବିଧା, ଆଲୋକୀକରଣ, ରହଣି ବ୍ୟବସ୍ଥା ଓ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ ତପ୍ତପାଣିକୁ ଏକ ଆଧୁନିକ ଆଧ୍ୟାତ୍ମିକ ଓ ପରିବେଶ-ପର୍ଯ୍ୟଟନ କେନ୍ଦ୍ର ଭାବେ ଗଢ଼ି ତୋଳୁଛି। ମାନ୍ୟବର ରାଷ୍ଟ୍ରପତିଙ୍କ ଏହି ଐତିହାସିକ ଗସ୍ତ ତପ୍ତପାଣିର ପରିଚୟକୁ ନୂତନ ଉଚ୍ଚତା ପ୍ରଦାନ କରିବ। ଏହା କେବଳ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି କରିବ ନାହିଁ, ବରଂ ସ୍ଥାନୀୟ କ୍ଷୁଦ୍ର ବ୍ୟବସାୟୀ, ହସ୍ତଶିଳ୍ପୀ, ଗାଡ଼ିଚାଳକ, ହୋମ୍-ଷ୍ଟେ ପରିଚାଳକ ଏବଂ ଆଦିବାସୀ କଳାକାରମାନଙ୍କ ପାଇଁ ନୂତନ ଆର୍ଥିକ ସମ୍ଭାବନାର ଦ୍ୱାର ଉନ୍ମୁକ୍ତ କରିବ। ସେହି ସହିତ ଗଞ୍ଜାମର ପ୍ରାକୃତିକ ସୌନ୍ଦର୍ଯ୍ୟ, ଆଧ୍ୟାତ୍ମିକ ଐତିହ୍ୟ ଓ ଆଦିବାସୀ ସଂସ୍କୃତି ଜାତୀୟ ତଥା ଆନ୍ତର୍ଜାତିକ ସ୍ତରରେ ଅଧିକ ପରିଚିତ ହେବ। ଏହି ଐତିହାସିକ ଦିନ ତପ୍ତପାଣି ପାଇଁ କେବଳ ଏକ ସ୍ମରଣୀୟ ଅଧ୍ୟାୟ ନୁହେଁ; ଏହା ଆସ୍ଥା, ପ୍ରକୃତି, ପରମ୍ପରା, ପର୍ଯ୍ୟଟନ ଓ ବିକାଶର ସମନ୍ୱୟରେ ଏକ ନୂତନ ଯୁଗର ଶୁଭାରମ୍ଭ। ଭବିଷ୍ୟତରେ ତପ୍ତପାଣି କେବଳ ଗଞ୍ଜାମ କିମ୍ବା ଓଡ଼ିଶାର ନୁହେଁ, ସମଗ୍ର ଦେଶର ଅନ୍ୟତମ ପ୍ରମୁଖ ଆଧ୍ୟାତ୍ମିକ ଓ ପରିବେଶ-ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବ l ତେଵେ ମହାମହିମ ଦର୍ଶନ ସାରି ପୁଣି ସେହି ରାସ୍ତା ଦେଇ ବ୍ରହ୍ମପୁର ଗୋପାଳପୁର ଅଭିମୁଖେ ଫେରିବା ସହ ମଙ୍ଗଳବାର ରାତିରେ ସେ ଗୋଳାବନ୍ଧ ଆର୍ମି ଏଡି କଲେଜରେ ରାତ୍ରିଯାପନ କରିବେ । ବୁଧବାର ପୁଣି ବ୍ରହ୍ମପୁରରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ଭୁବନେଶ୍ୱର ଫେରିବା କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।ରାଷ୍ଟ୍ରପତିଙ୍କ ଏହି ଯାତ୍ରାରେ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା, ମସ୍ଚ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ସାଂସଦ ପ୍ରଦୀପ ପାଣିଗ୍ରାହୀ, ବିଧାୟକ କେ.ଅନିଲ କୁମାରଙ୍କ ସମେତ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଗଣ ସାମିଲ ହୋଇଥିଲେ l

