ଚିକିଟି,୧୬।୮(ନିଗମାନନ୍ଦ ପଣ୍ଡା):୧୫ ଅଗଷ୍ଟ ୧୯୮୦ ମସିହାରେ ସ୍ଥାପିତ ଚିକିଟି ମହାବିଦ୍ୟାଳୟର ୪୭ତମ ପ୍ରତିଷ୍ଠା ଦିବସ ମହାବିଦ୍ୟାଳୟ ପରିସରରେ ପାଳନ କରାଯାଇଅଛି । ଏହି ଅବସରରେ ମହାବିଦ୍ୟାଳୟର ପ୍ରତିଷ୍ଠା ଓ ପ୍ରଗତିରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ବ୍ୟକ୍ତିମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯିବା ସହ ପ୍ରତିଷ୍ଠାତା ତଥା ପୂର୍ବ ସମ୍ପାଦକ ସ୍ବର୍ଗତ ରାଧାଶ୍ୟାମ ପଟ୍ଟନାୟକଙ୍କ ସ୍ମୃତିଚାରଣ କରାଯାଇଥିଲା । ଅଧ୍ୟକ୍ଷ ଅଭିମନ୍ୟୁ ସାହୁଙ୍କ ସଭାପତିତ୍ଵରେ ଆୟୋଜିତ ସଭାରେ ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ନାରାୟଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାବିଦ୍ୟାଳୟର ୪୬ ବର୍ଷ ପୂରଣ ହୋଇଥିବାରୁ ଶୁଭେଚ୍ଛା ଜଣାଇବା ସହ ଏକ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ I ପୂର୍ବତନ ଅଧ୍ୟକ୍ଷ ରମାନାଥ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମହାବିଦ୍ୟାଳୟର ଇତିହାସ ସମ୍ପର୍କରେ ସୂଚନା ଦେଇଥିଲେ I ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଲମ୍ବୋଦର ପାଣିଗ୍ରାହୀ, ଡ. ସନ୍ତୋଷ କୁମାର ବକ୍ସି, ଡ. ରାଜେଶ କୁମାର ପାତ୍ର, ଡ. ବି ଦେବରାଜ, ଡ. ବଳଭଦ୍ର ତ୍ରିପାଠୀ, ଅବସରପ୍ରାପ୍ତ ଅଧ୍ୟାପକ ସନାତନ ଗୌଡ଼, ପୂର୍ବତନ ଅଧ୍ୟକ୍ଷ ଡ. ବୃନ୍ଦାବନ ପଟ୍ଟନାୟକ, ଡ. ଲଳିତ ମୋହନ ମହାପାତ୍ର, ଡ. ଏମ.କେ.ପି. ବ୍ରହ୍ମା ପ୍ରଭୃତି ଏହି ସଭାରେ ଯୋଗ ଦେଇ ବହୁ ବାଧାବିଘ୍ନ ସତ୍ତ୍ଵେ ମହାବିଦ୍ୟାଳୟ କିପରି ଅଗ୍ରଗତି କରିଥିଲା ସେ ବିଷୟରେ କହିଥିଲେ । ଅଧ୍ୟକ୍ଷ ନିଜ ଅଭିଭାଷଣରେ ମହାବିଦ୍ୟାଳୟର ସଫଳତା ଓ ବର୍ତ୍ତମାନ ରୂପରେଖ ବିଷୟରେ ଆଲୋକପାତ କରିଥିଲେ I ଅଧ୍ୟାପକ ଆଶୁତୋଷ ସାହୁ ମଞ୍ଚ ପରିଚାଳନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ I ଅଧ୍ୟାପକ ପ୍ରକାଶ ବେହେରା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ଏବଂ ଅଧ୍ୟାପକ ସୁନିଲ କୁମାର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ । ଏନ୍.ଏସ.ଏସ ଦ୍ୱାରା ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ଓ ଷ୍ଟାର୍ଟ-ଅପ୍ ଆଣ୍ଡ ଇନୋଭେସନ ପ୍ରତିଯୋଗିତାର ବିଜେତାଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ସଭା ସମାପ୍ତି ପରେ ଡ. ରାମ ଶଙ୍କର ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ଛାତ୍ରୀଛାତ୍ରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସଭା ପରିଚାଳନାରେ ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ସହଯୋଗ କରିଥିଲେ I

