ଜଗନ୍ନାଥ ପ୍ରସାଦ,୧୬।୧୦(ପୂର୍ଣ୍ଣଚନ୍ଦ୍ର ବାରିକ):ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ବିଡ଼ିପୁର ସ୍ଥିତ TSD କଲେଜରେ ଅନୁଷ୍ଠିତ ଛାତ୍ରସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ପରାସ୍ତ କରି ବିଜୟ ହାସଲ କରିଛନ୍ତି ସ୍ୱାଧୀନ ପ୍ରାର୍ଥୀ। ନିର୍ବାଚନ ଫଳାଫଳ ପ୍ରକାଶ ପରେ କଲେଜ ପରିସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।ଛାତ୍ରସଂସଦ ନିର୍ବାଚନକୁ ନେଇ କଲେଜ ପରିସରରେ ରାଜନୈତିକ ଉଷ୍ମତା ଦେଖାଦେଇଥିବା ବେଳେ ଫଳାଫଳରେ ସ୍ୱାଧୀନ ପ୍ରାର୍ଥୀଙ୍କ ବିଜୟ ଚର୍ଚ୍ଚାର ବିଷୟ ପାଲଟିଛି।ସମସ୍ତ ୮ଟି ପଦବୀ ହାତେଇଲେ ସ୍ୱାଧୀନ ପ୍ରାର୍ଥୀ। ସଭାପତି ପଦରେ ସ୍ୱୟଂ ପ୍ରସାଦ ବିଷୋୟୀ, ଉପସଭାପତି ପଦରେ ପ୍ରକାଶ ବେହେରା ଏବଂ ସାଧାରଣ ସମ୍ପାଦକ ପଦରେ ରୁଦ୍ର ପ୍ରସାଦ ଜେନା, ସହ ସମ୍ପାଦକ ଚିନ୍ମୟ କୁମାର ସ୍ୱାଇଁ, ନାଟ୍ୟ ସମ୍ପାଦକ ମିନତୀ ପଲାଇ,ସହ ନାଟ୍ୟ ସମ୍ପାଦକ ରାଜା ଗୌଡ଼, କ୍ରୀଡା ସମ୍ପାଦକ ବାଦଲ ଗୌଡ଼,ସହ କ୍ରୀଡା ସମ୍ପାଦକ ଶିବରାମ ଗୌଡ଼ ବିଜୟୀ ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ ମତାମତ, ସେମାନଙ୍କ ସମସ୍ୟାର ସମାଧାନ ଏବଂ କଲେଜର ବିକାଶ ପାଇଁ ନବନିର୍ବାଚିତ ପ୍ରତିନିଧି କିଭଳି କାର୍ଯ୍ୟ କରୁଛନ୍ତି, ତାହା ଆଗାମୀ ଦିନରେ ଗୁରୁତ୍ୱ ବହନ କରିବ।

