ଖୋର୍ଦ୍ଧା,୫।୧୧(କେଦାର ନାଥ ସାହୁ):ଖୋର୍ଦ୍ଧା ଜିଲ୍ଲାରେ ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ହ୍ରାସ କରିବା ଉଦ୍ଦେଶ୍ୟରେ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି (DRSC)ର ଏକ ବୈଠକ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଖୋର୍ଦ୍ଧା ପୋଲିସ, ଜାତୀୟ ରାଜପଥ ପ୍ରାଧିକରଣ (NHAI)ର ଭୁବନେଶ୍ୱର ଓ ବ୍ରହ୍ମପୁର କାର୍ଯ୍ୟାଳୟର ଅଧିକାରୀ, ରାସ୍ତା ଓ ଗୃହ ନିର୍ମାଣ ବିଭାଗ (R&B), ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO) ଭୁବନେଶ୍ୱର-I ଓ II ସମେତ ବିଭିନ୍ନ ବିଭାଗର ଅଧିକାରୀ ଏବଂ ସମ୍ପୃକ୍ତ ଅଂଶୀଦାରମାନେ ଯୋଗ ଦେଇଥିଲେ।ରାଜ୍ୟର ଅଧିକ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଘଟୁଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ଅନ୍ୟତମ ହୋଇଥିବାରୁ ବୈଠକରେ ଏହାକୁ ଗୁରୁତ୍ୱର ସହ ଆଲୋଚନା କରାଯାଇଥିଲା। ସଡ଼କ ଦୁର୍ଘଟଣା ରୋକିବା ଏବଂ ମୃତ୍ୟୁହାର ହ୍ରାସ କରିବା ପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦିଷ୍ଟ ଦାୟିତ୍ୱ ଓ କାର୍ଯ୍ୟ ଆବଣ୍ଟନ କରାଯାଇଥିଲା।ବିଶେଷକରି ଟ୍ରାଫିକ୍ ନିୟମର କଡ଼ାକଡ଼ି ଅନୁପାଳନ ଓ ଯାଞ୍ଚ (Enforcement), ସଡ଼କ ଭିତ୍ତିଭୂମିର ଉନ୍ନତି ଓ ତ୍ରୁଟି ସୁଧାର (Engineering) ଏବଂ ଦୁର୍ଘଟଣା ପରବର୍ତ୍ତୀ ତ୍ୱରିତ ଚିକିତ୍ସା ଓ ଜରୁରୀକାଳୀନ ସହାୟତା ବ୍ୟବସ୍ଥା (Emergency Response System)କୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ନିର୍ଦ୍ଧାରିତ କାର୍ଯ୍ୟଗୁଡ଼ିକୁ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବା ସହ ଜିଲ୍ଲାରେ ସଡ଼କ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ଉପରେ ବୈଠକରେ ଆହ୍ୱାନ ଦିଆଯାଇଥିଲା।

