ବେଗୁନିଆପଡ଼ା,,୧୪।୯(ବାପୁନି ମାଲୁ):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ କୁମ୍ଭାରଗାଁ ପଞ୍ଚାୟତ ଅଧୀନ ତାଳଗାଁ ଶ୍ମଶାନ ଘାଟର ଦୁରବସ୍ଥାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଶ୍ମଶାନ ପରିସର ଲତାବୁଦାରେ ଭରି ରହିଥିବା ବେଳେ ଶବଦାହ ପାଇଁ ଯାଉଥିବା ଲୋକଙ୍କ ମନରେ ଭୟ ସୃଷ୍ଟି ହେଉଛି। ଶ୍ମଶାନରେ ପିଲର ନିର୍ମାଣ ହୋଇ ରହିଛି, କିନ୍ତୁ ଏପର୍ଯ୍ୟନ୍ତ ଉପରେ ଛାତ ନିର୍ମାଣ ହୋଇନାହିଁ। ଫଳରେ ଶବ ସତ୍କାର କରିବା ଗ୍ରାମବାସୀଙ୍କ ପାଇଁ ଅସୁବିଧା ହେଉଛି। ଏହାସହ ରହଣି କକ୍ଷ ଓ ଆଲୋକୀକରଣର ମଧ୍ୟ କୌଣସି ସୁବିଧା ନଥିବା ଅଭିଯୋଗ ହୋଇଛି। ବିଶେଷକରି ବର୍ଷା ହେଲେ ଶବଦାହ ସମୟରେ ସମସ୍ୟା ଦ୍ୱିଗୁଣିତ ହୋଇପଡ଼ୁଛି। ମୃତକଙ୍କ ଶେଷକୃତ୍ୟ ପାଇଁ ମଧ୍ୟ ଯଦି ଲୋକଙ୍କୁ ଏଭଳି ଅବ୍ୟବସ୍ଥା ଭୋଗିବାକୁ ପଡ଼େ, ତେବେ ଏହା ପ୍ରତି ପ୍ରଶାସନର ଦୃଷ୍ଟି କେବେ ପଡ଼ିବ? ବୋଲି ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ। ତୁରନ୍ତ ଶ୍ମଶାନ ପରିସର ସଫେଇ, ଛାତ ନିର୍ମାଣ, ଆଲୋକୀକରଣ ଓ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦେବାକୁ ଜନସାଧାରଣଙ୍କ ପକ୍ଷରୁ ପ୍ରଶାସନ ନିକଟରେ ଦାବି ହୋଇଛି।

