ଫୁଲବାଣୀ,୩୦।୧୦(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲାରେ ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ଲଗାତାର ୭୨ ଘଣ୍ଟାରୁ ଅଧିକ ସମୟ ଧରି ବର୍ଷା ହେବା ଫଳରେ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଘୁ. ଉଦୟଗିରିରେ ଜିଲ୍ଲାର ସର୍ବାଧିକ ୪୬୨.୪୦ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ପାହାଡ଼ ଧସିବା, ରାସ୍ତା ଓ ପୋଲ ଭାଙ୍ଗିବା, ଚାଷଜମି ଜଳମଗ୍ନ ହେବା ଏବଂ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହେବା ଭଳି ଘଟଣା ଘଟିଛି।ତେବେ କଳିଙ୍ଗା ଘାଟିକୁ ନେଇ ଆଶଙ୍କା ରହିଥିବା ବେଳେ ସେଠାରେ କେବଳ ଗୋଟିଏ ସ୍ଥାନରେ ପଥର ଖସିଥିବା ଦେଖିବାକୁ ମିଳିଛି। ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଘୁ. ଉଦୟଗିରି ବ୍ଲକର ବିଭିନ୍ନ ଅଞ୍ଚଳରେ ବର୍ଷାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି।ଘୁ. ଉଦୟଗିରି ବ୍ଲକର କତିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ବଲିଙ୍ଗିଆ ଗ୍ରାମ ନିକଟସ୍ଥ ପାହାଡ଼ରେ ଭୟଙ୍କର ଭୂସ୍ଖଳନ ହୋଇଛି। ପାହାଡ଼ ଉପରୁ ବଡ଼ ବଡ଼ ପଥର, ମାଟି ଅତଡ଼ା ଓ ଗଛ ଖସି ରାସ୍ତା ଉପରେ ପଡ଼ିବା ଫଳରେ ଗ୍ରାମକୁ ଯାତାୟାତ ବିଚ୍ଛିନ୍ନ ହୋଇଯାଇଛି।ଭୂସ୍ଖଳନର ପ୍ରଭାବ ପ୍ରାୟ ଏକ କିଲୋମିଟର ଅଞ୍ଚଳ ପର୍ଯ୍ୟନ୍ତ ଦେଖାଯାଇଥିବା ବେଳେ କେତେକ ସ୍ଥାନରେ ୨୦୦ ଫୁଟରୁ ଅଧିକ ଗଭୀର ଖାଲ ସୃଷ୍ଟି ହୋଇଥିବା ଜଣାପଡ଼ିଛି।ବଲିଙ୍ଗିଆ ଗ୍ରାମରେ ପ୍ରାୟ ୧୨ଟି ପରିବାରର ୪୦ ଜଣ ଲୋକ ବସବାସ କରନ୍ତି। ଭୂସ୍ଖଳନ ଯୋଗୁଁ ଗ୍ରାମର ରାସ୍ତା ବନ୍ଦ ହୋଇଯିବାରୁ ସେମାନଙ୍କ ଯାତାୟାତ ସହିତ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଯାଇଥିଲା।ଘଟଣା ସମ୍ପର୍କରେ ଖବର ପାଇ ଘୁ. ଉଦୟଗିରିର ଭାରପ୍ରାପ୍ତ ବିଡିଓ ସତ୍ୟନାରାୟଣ ମିଶ୍ର, ତହସିଲଦାର ସମୁଦ୍ର ମିଶ୍ର, ଅତିରିକ୍ତ ତହସିଲଦାର ଦେବାଶିଷ ଜେନା, ଅଗ୍ନିଶମ ଅଧିକାରୀ ମହେଶ୍ୱର ପ୍ରଧାନ ଓ ଡାକ୍ତର ଦେବବ୍ରତ ବାରିକଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଉପଜିଲ୍ଲାପାଳ କୁଶଳ ଚନ୍ଦ୍ର ନାଏକ ମଧ୍ୟ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ।ବଲିଙ୍ଗିଆ ଗ୍ରାମବାସୀଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ କରାଯାଇଥିଲା। କର୍ମଚାରୀମାନେ ଗଛରେ ରସି ବାନ୍ଧି ଜଙ୍ଗଲ ରାସ୍ତା ଦେଇ ବିପଦପୂର୍ଣ୍ଣ ସ୍ଥାନ ପାର ହୋଇ ଗ୍ରାମବାସୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।ଉଦ୍ଧାର ହୋଇଥିବା ଲୋକଙ୍କୁ କିଲାକିଆ ଆଶ୍ରମ ସ୍କୁଲରେ ଅସ୍ଥାୟୀ ଭାବେ ରଖାଯାଇଛି। ସେମାନଙ୍କ ପାଇଁ ଶୁଖିଲା ଖାଦ୍ୟ ସହ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି।କତିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ସିପାଏଯୁ ନିକଟରେ ମଧ୍ୟ ଭୂସ୍ଖଳନ ଘଟିଛି। ସକାଳ ପ୍ରାୟ ୬ଟା ସମୟରେ କୃଷ୍ଣଚନ୍ଦ୍ର ନାୟକଙ୍କ ପରିବାର ଘରେ ଶୋଇଥିବା ବେଳେ ହଠାତ୍ ପାହାଡ଼ରୁ ମାଟି ଅତଡ଼ା ଖସି ଘର ଭିତରକୁ ପଶିଥିଲା।ଏହା ଦେଖି ପରିବାର ସଦସ୍ୟମାନେ ଜୀବନ ବଞ୍ଚାଇବା ପାଇଁ ଘରୁ ବାହାରକୁ ଦୌଡ଼ି ପଳାଇଥିଲେ। ଫଳରେ ସେମାନେ ଅଳ୍ପକେ ବଡ଼ ବିପଦରୁ ବର୍ତ୍ତିଯାଇଥିଲେ। ତେବେ ଘର ଭିତରେ ପାଣି, କାଦୁଅ ଓ ମାଟି ପଶି ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ କେତେକ କୁକୁଡ଼ା ଓ ଛେଳି ଭାସିଯାଇଥିବା କିମ୍ବା ମରିଯାଇଥିବା ଜଣାପଡ଼ିଛି।ପରେ ସ୍ଥାନୀୟ ସରପଞ୍ଚ ବିଭୂତି ପ୍ରଧାନ ପ୍ରଭାବିତ ପରିବାରକୁ କିଲାକିଆ ସ୍କୁଲକୁ ନେଇ ଆଶ୍ରୟ ଦେଇଥିଲେ।କତିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ସପାକେତା, କ୍ଲାଟୁ, ସିଲାଟି, ଗଡ଼ିଶାଲା ନିକଟସ୍ଥ ପାହାଡ଼ ଓ ସିପାଏଯୁ ନିକଟରେ ଭୂସ୍ଖଳନ ଘଟିଛି। ଏହାର ପ୍ରଭାବରେ ୧୫ରୁ ଅଧିକ ଚାଷୀଙ୍କ ଚାଷଜମି କ୍ଷତିଗ୍ରସ୍ତ ହୋଇଛି।ପ୍ରଦୀପ ପ୍ରଧାନ, ବନ୍ଧୁରାଜ ପ୍ରଧାନ ଓ ସହଦେବ ପ୍ରଧାନଙ୍କ ସମେତ ଅନେକ ଚାଷୀଙ୍କ ଜମିରେ ମାଟି ଓ ପଥର ମାଡ଼ିଯାଇଛି। ଏକର ଏକର ଜମିରେ ଚାଷ ହୋଇଥିବା ହଳଦୀ, ଧାନ ଓ ଅନ୍ୟାନ୍ୟ ଫସଲ ନଷ୍ଟ ହୋଇଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି।ପ୍ରବଳ ବର୍ଷା ଯୋଗୁଁ ଜି.ଉଦୟଗିରି ବ୍ଲକର ରଟିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ମଧୁଝାରି ଘାଇ ଭାଙ୍ଗିଯାଇଛି। ଏହାର ପ୍ରଭାବରେ ରାସ୍ତା କ୍ଷତିଗ୍ରସ୍ତ ହୋଇ ଜି.ଉଦୟଗିରିରୁ ଧାଙ୍ଗଡ଼ାମାକୁ ଯାତାୟାତ ବନ୍ଦ ହୋଇଯାଇଛି।ସେହିପରି ଦମେଙ୍ଗି ଓ ଡକେଡ଼ିକୁ ସଂଯୋଗ କରୁଥିବା ରାସ୍ତାର ପୋଲ ଭାଙ୍ଗିଯିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି। ଫଳରେ ଏହି ଅଞ୍ଚଳର ଲୋକମାନେ ଯାତାୟାତ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି। ଫଳରେ ଅନେକ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି।ଏଥିସହ ବିଭିନ୍ନ ରାସ୍ତା ଉପରେ ଗଛ ପଡ଼ିବା ଫଳରେ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ବିଦ୍ୟୁତ୍ ନଥିବାରୁ ଲୋକମାନେ ନାନା ସମସ୍ୟା ଭୋଗୁଛନ୍ତି।ଲଗାତାର ବର୍ଷା ଯୋଗୁଁ ଘୁ. ଉଦୟଗିରି ବ୍ଲକର ବିଭିନ୍ନ ଅଞ୍ଚଳରେ ଧାନଜମି ଜଳମଗ୍ନ ହୋଇଛି। ଚାଷଜମିରେ ବନ୍ୟାଜଳ ଜମି ରହିବାରୁ ଧାନ ଫସଲ ନଷ୍ଟ ହେବାର ଆଶଙ୍କା ବଢ଼ିଛି।ଅନ୍ୟପକ୍ଷରେ ଶାଲୁଙ୍କି ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ନଦୀକୂଳରେ ଥିବା ଏକ ମୁଢ଼ି କାରଖାନାରେ ପାଣି ପଶି ଚାଉଳ ଜଳମଗ୍ନ ହୋଇ ନଷ୍ଟ ହୋଇଛି। ଏହାଦ୍ୱାରା ଚାଷୀଙ୍କ ସହ ବ୍ୟବସାୟୀମାନେ ମଧ୍ୟ କ୍ଷତି ସହିଛନ୍ତି।ବଲିଙ୍ଗିଆ ଗ୍ରାମର ବାସିନ୍ଦା ପ୍ରଫୁଲ୍ଲ ଦିଗାଲ ଗ୍ରାମବାସୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ପାହାଡ଼ ନିକଟରେ ରହିଥିବାରୁ ଯେକୌଣସି ସମୟରେ ପୁଣି ଭୂସ୍ଖଳନ ହୋଇପାରେ। ତେଣୁ ଗ୍ରାମରେ ରହିବା ଆଉ ସୁରକ୍ଷିତ ନୁହେଁ।ଏହି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ଏକ ସୁରକ୍ଷିତ ନୂତନ ସ୍ଥାନରେ ଥଇଥାନ କରାଗଲେ ସେମାନେ ସେଠାରେ ନୂତନ ଭାବେ ବସତି ସ୍ଥାପନ କରିବେ ବୋଲି ସେ ଦାବି କରିଛନ୍ତି। ଏହି ଦାବି ପ୍ରତି ଏଡିଏମ୍ ମଧ୍ୟ ସହମତି ପ୍ରକାଶ କରିଥିବା ଏବଂ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଆଶ୍ୱାସନା ଦେଇଥିବା ସୂଚନା ମିଳିଛି।ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ଘୁ. ଉଦୟଗିରି ବ୍ଲକରେ ଭୂସ୍ଖଳନ, ରାସ୍ତା ଓ ପୋଲ ଭାଙ୍ଗିବା, ଚାଷଜମି ନଷ୍ଟ ହେବା ଏବଂ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହେବା ଭଳି ଘଟଣା ଜନଜୀବନକୁ ଗୁରୁତର ଭାବେ ପ୍ରଭାବିତ କରିଛି। ବିଶେଷକରି ପାହାଡ଼ିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ସୁରକ୍ଷା ଏବେ ସବୁଠାରୁ ବଡ଼ ଚିନ୍ତାର ବିଷୟ ହୋଇଛି। କ୍ଷତିଗ୍ରସ୍ତ ରାସ୍ତା ଓ ପୋଲର ମରାମତି, ବିଦ୍ୟୁତ୍ ସରବରାହ ପୁନଃସ୍ଥାପନ, ଚାଷୀଙ୍କ କ୍ଷୟକ୍ଷତିର ଆକଳନ ଏବଂ ବିପଦପୂର୍ଣ୍ଣ ଗ୍ରାମବାସୀଙ୍କ ସ୍ଥାୟୀ ଥଇଥାନ ଦିଗରେ ପ୍ରଶାସନର ତ୍ୱରିତ ପଦକ୍ଷେପ ଆବଶ୍ୟକ ହୋଇପଡ଼ିଛି।

