ଭବାନୀପାଟଣା,୯।୯(କିଶନ ଶର୍ମା):ଭାରତୀୟ ଜ୍ଞାନ ପରମ୍ପରା, ଜ୍ୟୋତିଷଶାସ୍ତ୍ର ଓ କର୍ମତତ୍ତ୍ୱକୁ ନେଇ ପୁରୀସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଦୁଇଦିନିଆ ଆନ୍ତର୍ଜାତୀୟ ଜ୍ୟୋତିଷ ସମ୍ମିଳନୀରେ ବିଶିଷ୍ଟ ଜ୍ୟୋତିଷବିଦ୍ ଡ. ସୀତାକାନ୍ତ କରଙ୍କୁ ସମ୍ମାନଜନକ ‘ଦୈବଜ୍ଞ ଭାସ୍କର ସମ୍ମାନ’ ପ୍ରଦାନ କରାଯାଇଛି। ‘ଭାରତୀୟ ଜ୍ଞାନ ପରମ୍ପରାୟାମ୍ ଆଜୀବିକା ବିମର୍ଶଃ (କର୍ମବିଚାର)’ ବିଷୟବସ୍ତୁକୁ ଆଧାର କରି ୨୯ ଓ ୩୦ ଅଗଷ୍ଟ ୨୦୨୬ ଦୁଇଦିନ ଧରି ଏହି ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଧ୍ରୁବ-ଜ୍ୟୋତି ଅନୁସନ୍ଧାନ ସଂସ୍ଥାନ, ପୁରୀ ଓ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଏହି ସମ୍ମିଳନୀର ଆୟୋଜନ କରାଯାଇଥିଲା। ଜନ୍ମପତ୍ରିକାର ଦଶମ ଭାବ ମାଧ୍ୟମରେ କର୍ମ, ଜୀବିକା, ବୃତ୍ତି, ଦାୟିତ୍ୱ, ପ୍ରତିଷ୍ଠା ଓ ସାମାଜିକ ପରିଚୟ ଆଦି ବିଷୟରେ ଭାରତୀୟ ଜ୍ୟୋତିଷଶାସ୍ତ୍ରର ଦୃଷ୍ଟିକୋଣ ଉପରେ ସମ୍ମିଳନୀରେ ବିଶେଷ ଆଲୋଚନା ହୋଇଥିଲା। ଉଦ୍ଘାଟନୀ ସମାରୋହରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଲକ୍ଷ୍ନୌର ନିର୍ଦ୍ଦେଶକ ଆଚାର୍ଯ୍ୟ ସର୍ବନାରାୟଣ ଝା ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିବାବେଳେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ଆଚାର୍ଯ୍ୟ ପ୍ରଭାତ କୁମାର ମହାପାତ୍ର, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଆଚାର୍ଯ୍ୟ ଶତ୍ରୁଘ୍ନ ପାଣିଗ୍ରାହୀ, କୁଳସଚିବା ଶ୍ରୀମତୀ ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦା, ଧ୍ରୁବ-ଜ୍ୟୋତି ଅନୁସନ୍ଧାନ ସଂସ୍ଥାନର ପ୍ରତିଷ୍ଠାତ୍ରୀ ଓ ସମନ୍ୱୟିକା ଡ. ସସ୍ମିତା ମିଶ୍ର ଏବଂ ବିଶ୍ୱବିଦ୍ୟାଳୟ ସଂଯୋଜକ ଡ. ଶ୍ରୀନିବାସ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସମ୍ମିଳନୀର ସମାପନୀ ସମାରୋହରେ ଅଖିଳ ଭାରତୀୟ କୃଷକ ସଂଘର ସାଧାରଣ ସମ୍ପାଦକ ଶ୍ରୀ ମୋହିନୀମୋହନ ମିଶ୍ର ମୁଖ୍ୟ ଅତିଥି ଭାବେ, ଶ୍ରୀକୁଳ ପୀଠର ପୀଠାଧୀଶ୍ୱର ଶ୍ରୀଶ୍ରୀ ୧୦୦୮ ଡ. ସଚ୍ଚିନ୍ଦ୍ରନାଥ ମହାରାଜ ମୁଖ୍ୟ ବକ୍ତା ଭାବେ ଏବଂ ଯୋଗସିଦ୍ଧଗୁରୁମା ଚେତନାଜୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ଜ୍ୟୋତିଷଶାସ୍ତ୍ର କ୍ଷେତ୍ରରେ ଡ. ସୀତାକାନ୍ତ କରଙ୍କ ଦୀର୍ଘଦିନର ଅବଦାନ, ଗବେଷଣା, ଶାସ୍ତ୍ରୀୟ ଅଧ୍ୟୟନ ଓ ଜ୍ୟୋତିଷ ଜ୍ଞାନର ପ୍ରଚାର-ପ୍ରସାରକୁ ସ୍ୱୀକୃତି ଦେଇ ତାଙ୍କୁ ଏହି ପ୍ରତିଷ୍ଠିତ ‘ଦୈବଜ୍ଞ ଭାସ୍କର ସମ୍ମାନ’ ପ୍ରଦାନ କରାଯାଇଥିବାରୁ ଓଡ଼ିଶାର ଜ୍ୟୋତିଷ ଓ ଭାରତୀୟ ଜ୍ଞାନ ପରମ୍ପରା ମହଲରେ ଏହାକୁ ଏକ ଗୌରବମୟ ସଫଳତା ଭାବେ ଦେଖାଯାଉଛି। କଳାହାଣ୍ଡି ଜିଲା ବୋର୍ଡା ନିବାସୀ ଡ. କରଙ୍କୁ ଏହି ସମ୍ମାନ ମିଳିବାରୁ ଜିଲ୍ଲା ତଥା ଜିଲ୍ଲା ବାହାରେ ତାଙ୍କର ଶୁଭେଚ୍ଛୁ, ଗବେଷକ, ଶିକ୍ଷାବିତ୍ ଓ ଜ୍ୟୋତିଷପ୍ରେମୀମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।

