ଫୁଲବାଣୀ:୨୭/୦୬(ସୁନୀଲ ପଟ୍ଟନାୟକ):ଫୁଲବାଣୀ ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ଫୁଲବାଣୀ ପବ୍ଲିକ ସ୍କୁଲ ଠାରେ ତା: ୨୬/୦୬/୨୦୨୬ ରିଖରେ ଆନ୍ତର୍ଜାତୀୟ ନିଶା ନିବାରଣ ଦିବସ ଉପଲକ୍ଷେ ନିଶାଦ୍ରବ୍ୟ ଦୁରୁପଯୋଗ ଓ ଅବୈଧ ଚୋରାଚାଲାଣ ବିରୋଧୀ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ରାମାକାନ୍ତ ମହାନ୍ତି, ପବ୍ଲିକ ପ୍ରୋଷିକ୍ୟୁଟର ଶପୂର୍ଣ୍ଣଚନ୍ଦ୍ର ନାଗ, ସରକାରୀ ଅଧିବକ୍ତା ଶ୍ରୀଯୁକ୍ତ ଜ୍ଞାନୀନ୍ଦ୍ର ନାଥ ପାଢୀ, ବାର ଆସୋସିଏସନ ଫୁଲବାଣୀର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ କୁମାର ସ୍ବାଇଁ, ଡି.ଏସ.ପି. ଫୁଲବାଣୀ ବିନୋଦ ବିହାରୀ ମେହେର, ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚିକିତ୍ସା ଅଧିକାରୀ ଡାକ୍ତର ଅରବିନ୍ଦ ଦାସ, ଚିଫ ଲିଗାଲ ଏଡ ଡିଫେନ୍ସ କାଉନ୍ସେଲ ଦେବବ୍ରତ ପ୍ରଧାନ, ସହକାରୀ ଲିଗାଲ ଏଡ ଡିଫେନ୍ସ କାଉନ୍ସେଲ ଶୁଭାଙ୍ଗୀ ହରିତସ୍ୟ, ମଣ୍ଡଳ କାରାଗାରର ବରିଷ୍ଠ ଅଧିକ୍ଷକ ବିରେନ୍ଦ୍ର ନାଥ ମହାଲି ଓ ଅଧିକ୍ଷକ ସତ୍ୟ ପ୍ରକାଶ ସ୍ବାଇଁ, ପବ୍ଲିକ ସ୍କୁଲ ଫୁଲବାଣୀର ପ୍ରିନ୍ସପାଲ ଧନଞ୍ଜୟ ସେଠୀ ଓ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ଏବଂ ପାରା ଲିଗାଲ ସ୍ଵେଚ୍ଛାସେବି ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନିଶାଦ୍ରବ୍ୟ ସେବନ କେବଳ ଶାରୀରିକ ସ୍ୱାସ୍ଥ୍ୟକୁ ନଷ୍ଟ କରେ ନାହିଁ ବରଂ ମାନସିକ ସନ୍ତୁଳନ, ଚରିତ୍ର ଗଠନ, ଶିକ୍ଷାଗତ ସଫଳତା ଓ ଭବିଷ୍ୟତ ଜୀବନକୁ ମଧ୍ୟ ଗଭୀର ଭାବେ ପ୍ରଭାବିତ କରେ। ନିଶାର କବଳରେ ପଡ଼ିଥିବା ଯୁବପିଢ଼ି ପରିବାର, ସମାଜ ଏବଂ ଦେଶ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ । ବିଶେଷକରି ଛାତ୍ରଜୀବନରେ ଖରାପ ସଙ୍ଗ, ସାମୟିକ ପ୍ରଲୋଭନ କିମ୍ବା କୌତୁହଳବଶତଃ ନିଆଯାଇଥିବା ଏକ ଭୁଲ ପଦକ୍ଷେପ ସେମାନଙ୍କ ସମ୍ପୂର୍ଣ୍ଣ ଜୀବନକୁ ବିପଥଗାମୀ କରିପାରେ। ତେଣୁ ନିଜ ଲକ୍ଷ୍ୟ ପ୍ରତି ଏକାଗ୍ର ରହିବା, ସୁସ୍ଥ ଜୀବନଶୈଳୀ ଅବଲମ୍ବନ କରିବା ଏବଂ ସମସ୍ତ ପ୍ରକାରର ନିଶାଦ୍ରବ୍ୟଠାରୁ ଦୂରେଇ ରହିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ନିଶାମୁକ୍ତ ସମାଜ ଗଠନ, ଆଇନଗତ ସଚେତନତା ଏବଂ ଯୁବପିଢ଼ିର ଦାୟିତ୍ୱ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଉପସ୍ଥିତ ଛାତ୍ରଛାତ୍ରୀମାନେ ନିଶାଦ୍ରବ୍ୟଠାରୁ ସର୍ବଦା ଦୂରେଇ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବାକୁ ଶପଥ ଗ୍ରହଣ କରିଥିଲେ ।

