ବେଗୁନିଆପଡା,୧୩।୯(ବାପୁନି ମାଲୁ):ବ୍ଲକର ଜନସାଧାରଣ ସାଧାରଣତଃ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ତଥା ବିବାହ, ବ୍ରତ, ଭୋଜି, ପୂଜା, ପର୍ବପର୍ବାଣି ଏବଂ ଘରକରଣା ଆଦି ପାଈଁ କୋଦଳା ଓ ବେଗୁନିଆପଡା ଭଳି ଦୁଇଟି ଛୋଟିଆ ସହର ଉପରେ ନିର୍ଭର କରୁଥିବାବେଳେ ବେଗୁନିଆପଡା ବଜାରରେ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି l ଦିନକୁଦିନ ବସ, ଟ୍ରକ, ଟ୍ରାକ୍ଟର, ଅଟୋ ଏବଂ ମୋଟରସାଇକେଲର ଅହେତୁକ ବୃଦ୍ଧି ଫଳରେ ଏହି ଛୋଟିଆ ସହର ଏକ ପ୍ରକାର ଅଣନିଶ୍ୱାସୀ ହୋଇପଡୁଛି l ଏହି ରାସ୍ତାଦେଇ ଆସିକାରୁ ଭୁବନେଶ୍ୱର ଏବଂ ସୁମଣ୍ଡଳରୁ ବ୍ରହ୍ମପୁର ଅନ୍ୟୁନ 150 ରୁ ଉର୍ଦ୍ଦ୍ୱ ଯାତ୍ରୀବାହୀ ବସ, ମାଲ ବୋଝଇ ଟ୍ରକ ଆଦି ଯାନବାହାନ ଚଳପ୍ରଚଳ କରୁଥିବା ଦେଖାଯାଉଛି l ଖଲିକୋଟ ଥାନା ଅନ୍ତର୍ଗତ କେଶପୁର-ଭେଜିପୁଟ ମଧ୍ୟରେ ଏକ ଟୋଲଗେଟ ଥିବାରୁ ଟିକସ ଫାଙ୍କିବା ପାଇଁ ଅନେକ ଗୁଡ଼ାଏ ମାଲବାହି ଟ୍ରକ, ହାଇୱା ଆଦି ମୁଖ୍ୟରାସ୍ତାରେ ନଯାଇ ଏହି ରାସ୍ତାକୁ ଦୈନନ୍ଦିନ ଅନୁସରଣ କରୁଛନ୍ତି l ଏହାଛଡା ଏହି ସହରରେ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ, ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ, ରାଜସ୍ବ କାର୍ଯ୍ୟାଳୟ, ସ୍ୱାସ୍ଥ୍ୟକେନ୍ଦ୍ର, ବିଦ୍ୟୁତ ବିଭାଗ, ଥାନା, ସ୍କୁଲ, କଲେଜ ଏବଂ ବିଭିନ୍ନ ବେସରକାରୀ କାର୍ଯ୍ୟାଳୟ ଆଦି କାର୍ଯ୍ୟକ୍ଷମ ଥିବାରୁ ଜନଗହଳି ହେବା ସ୍ୱାଭାବିକ l ଏହି ଅନୁପାତରେ ସହରର ଆୟତନ ବହୁତ କମ l ବେଳେବେଳେ ଅବସ୍ଥା ଏମିତ ହୁଏଯେ ଜଣେ ସାଧାରଣ ବାଇକ ଆରୋହୀ ବଜାର ଅତିକ୍ରମ କରିବା ପାଈଁ ଅଧଘଣ୍ଟାରୁ ଅଧିକ ସମୟ ଲାଗିଯାଏ l ଏପରି ଅବସ୍ଥାରେ ଯଦି ଜଣେ ଗୁରୁତର ରୋଗୀ ମେଡିକାଲ ସହାୟତାରେ ଗଲେ ଅବସ୍ଥା ସାଙ୍ଘାତିକ ହେବାର ଯଥେଷ୍ଟ ସମ୍ଭାବନା ରହିଛି l ଏହାଛଡା ଏଠି ପାରିବ ମାର୍କେଟ ପାଈଁ ସ୍ୱତନ୍ତ୍ର ସ୍ଥାନ ନଥିବାରୁ ବିକ୍ରେତାଙ୍କ ନିର୍ଦିଷ୍ଟ ସ୍ଥାନ ରହୁନାହଁ l ବହୁ ବିଳମ୍ବରେ ଏକ ମାଛ ମାର୍କେଟ ହୋଇଥିଲେ ମଧ୍ୟ ପ୍ରବେଶ ପଥ ଅତ୍ୟନ୍ତ ସଂକୀର୍ଣ୍ଣ ହୋଇଥିବାରୁ ଯିବାଆସିବାରେ ଗହଳି ଜାରିରହୁଛି l ବଜାରରେ କୌଣସି ଅଟୋଷ୍ଟାଣ୍ଡ ନଥିବାରୁ 60 ରୁ ଉର୍ଦ୍ଧ ଅଟୋ ଦୁଇପାର୍ଶ୍ୱରେ ଠିଆହୋଇ ଟ୍ରାଫିକ ସମସ୍ୟାକୁ ଦ୍ବିଗୁଣିତ କରୁଛି l ବେଗୁନିଆପଡା ବଜାର ତଥା ଆଖପାଖ ଅଞ୍ଚଳରେ ଦିନକୁଦିନ ଜନସଂଖ୍ୟା ବୃଦ୍ଧି ପାଇଥିବାବେଳେ ବଜାର ସଂକୀର୍ଣ୍ଣ ହେବାରେଲାଗିଛି l ଆବଶ୍ୟକତା ଅନୁସାରେ ନିକଟରେ ବେଗୁନିଆପଡା ପୋଲିସ ଫାଣ୍ଡିଟି ଥାନାରେ ପରିବର୍ତ୍ତିତ ହୋଇଛି l କିନ୍ତୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିର୍ଦ୍ଧିଷ୍ଟ ସ୍ଥାନରେ ଏକ ସ୍ୱତନ୍ତ୍ର ବସଷ୍ଟାଣ୍ଡ ଟିଏ ହୋଇପାରୁନି l ଯାହା ଫଳରେ ଯାତ୍ରୀମାନେ ବଜାରରେ ଏଣେତେଣେ ବୁଲି ବସକୁ ଆପେକ୍ଷ କରନ୍ତି l ଏସବୁ ନେଇ ବେଗୁନିଆପଡା ତଥା ଆଖପାଖ ଅଂଚଳବାସି ଅତିଷ୍ଟ ହୋଇପଡିଲେଣି l ପରିସ୍ଥିତି ନିୟନ୍ତ୍ରଣାଧୀନ ନହେଲେ ସମସ୍ୟା ସାଙ୍ଘାତିକ ଅବସ୍ଥାକୁ ଗତି କରିବ l ତେଣୁ ସହର ସମ୍ପ୍ରସାରଣ, ଅଟୋଷ୍ଟାଣ୍ଡ, ସ୍ୱତନ୍ତ୍ର ବଜାର ବିଶେଷକରି ଏକ ବସଷ୍ଟାଣ୍ଡର ନିହାତି ଆବଶ୍ୟକତା ରହିଛି l ଜିଲ୍ଲା ପ୍ରଶାସନ, ରାଜ୍ୟ ପ୍ରଶାସନ ଏବଂ ରାଜନୈତିକ ବ୍ୟକ୍ତିବିଶେଷ ଏଦିଗରେ ପ୍ରୟାସ କରି କୌଣସି କାରଣରୁ ଅସଫଳ ହୋଇଥିବା ଜଣାପଡିଛି l ହେଲେ ଏଥିପାଇଁ ଦାୟୀ କିଏ?ବଜାରକୁ ସଂକୀର୍ଣ୍ଣମୁକ୍ତ କରିବାପାଇଁ ବାଧକ ସାଜୁଛି କିଏ ବୋଲି ଅଞ୍ଚଳବାସୀଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କିମାରୁଛି l ଏହିକାର୍ଯ୍ୟ କେବେ ସଫଳ ହେବ ଏହାକୁ ନେଇ ସାଧାରଣ ଜନତା ସନ୍ଦିହାନ ହୋଇପଡିଛନ୍ତି l

