ସିନାପାଲି: ୨୭/୩(ପରମେଶ୍ୱର ମେହେର) କଳା, ସାହିତ୍ୟ ଓ ସଂସ୍କୃତିର ଅଦ୍ଭୁତ ସମାଗମ “ଉଦନ୍ତୀ ମହୋତ୍ସବ–୨୦୨୬” ପାଇଁ ସିନାପାଲି ଅଞ୍ଚଳରେ ଉତ୍ସାହ ଓ ଆନନ୍ଦର ମହଲ ସୃଷ୍ଟି ହୋଇଛି। ମହୋତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟୟକୁ ପହଁଞ୍ଚି ସାରିଥିବା ବେଳେ, ମଞ୍ଚ ସଜାଣା, ମିନାବଜାର, ଆଲୋକ ସଜ୍ଜା ସହ ଅନ୍ୟାନ୍ୟ ବ୍ୟବସ୍ଥା ଦର୍ଶକଙ୍କୁ ଆକର୍ଷିତ କରିବାକୁ ପ୍ରସ୍ତୁତ । ସିନାପାଲିର ଲୋକମାନେ ବର୍ଷଭରି ଯେଉଁ ପର୍ବକୁ ଅପେକ୍ଷା କରି ରହନ୍ତି, ସେହି ପ୍ରିୟ ଉତ୍ସବ ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଧୁମଧାମରେ ପାଳିତ ହେବ।
ଶେଷ ପର୍ଯ୍ୟୟରେ ପ୍ରସ୍ତୁତି, ଆଜିଠାରୁ ଆରମ୍ଭ ଉଦନ୍ତୀ ମହୋତ୍ସବ
ଏହି ମହୋତ୍ସବ କେବଳ ଏକ ଉତ୍ସବ ନୁହେଁ, ଏହା ଅଞ୍ଚଳର ସାମୁଦାୟିକ ଏକତା, ପରମ୍ପରା ଓ ସୃଜନଶୀଳତାର ପ୍ରତିବିମ୍ବ । ଉଦନ୍ତୀ ମହୋତ୍ସବ ଏକ ଏମିତି ମଞ୍ଚ ଯେଉଁଠାରେ ନୂତନ ପ୍ରତିଭାମାନେ ନିଜର କୌଶଳ ପ୍ରଦର୍ଶନ କରି ଆଗକୁ ବଢ଼ିବାର ଅବସର ପାଆନ୍ତି । କଳାକାରମାନଙ୍କ ପାଇଁ ଏହା ଗୌରବର ମଞ୍ଚ, ଯେଉଁଠାରେ ସେମାନେ ନିଜର କଳାକୌଶଳ ଦ୍ୱାରା ଦର୍ଶକମାନଙ୍କ ହୃଦୟ ଜିତନ୍ତି । ବିଶେଷ କରି ଆସନ୍ତା ୨୯ ତାରିଖରେ ଆୟୋଜିତ “ଷ୍ଟାର ନାଇଟ” କାର୍ଯ୍ୟକ୍ରମରେ ସୁପରଷ୍ଟାର ସିଙ୍ଗର ଉମାକାନ୍ତ ବାରିକଙ୍କ ଅର୍କେଷ୍ଟ୍ରା ପ୍ରଦର୍ଶନ ମହୋତ୍ସବର ଆକର୍ଷଣକୁ ଅଧିକ ଉଚ୍ଚସୀମାକୁ ନେବ ବୋଲି ଆଶା କରାଯାଉଛି।
ସଙ୍ଗୀତର ମାୟାରେ ଦର୍ଶକମାନେ ମନମୋହିତ ହେବେ ବୋଲି ଆୟୋଜକମାନେ ବିଶ୍ୱାସ ବ୍ୟକ୍ତ କରିଛନ୍ତି । ଉଦନ୍ତୀ ମହୋତ୍ସବ ପାଳନ କମିଟି–୨୦୨୬ର ସଭାପତି ଶ୍ରୀ ପ୍ରିୟ ରଞ୍ଜନ ମେହେରଙ୍କ ନେତୃତ୍ୱରେ ଏହି ଆୟୋଜନ ହେଉଥିବା ବେଳେ, ଉପସଭାପତି ଶ୍ରୀ ରଜନୀକାନ୍ତ ମାଝୀ, ଶ୍ରୀ ଅଜିତ କୁମାର ଯୋଶୀ ଓ ଶ୍ରୀ ମନୋରଞ୍ଜନ ମେହେରଙ୍କ ସହଯୋଗ ଲୋକପ୍ରଶଂସନୀୟ । ସମ୍ପାଦକ ଶ୍ରୀ ସୁରଜ ମେହେର ଓ ସହ ସମ୍ପାଦକମାନେ ଶ୍ରୀ ବଂଶୀଧର ଜଗତ, ଶ୍ରୀ ଜିତୁ ମେମେର ଓ ଶ୍ରୀ ସୁଶାନ୍ତ ନାଏକ ଏହି ମହୋତ୍ସବକୁ ସଫଳ କରିବାରେ ଅନୁରତ ଅଟନ୍ତି । କୋଷାଧ୍ୟକ୍ଷ ଶ୍ରୀ ଦିବ୍ୟ ରଞ୍ଜନ ନାଏକ ମଧ୍ୟ ଆର୍ଥିକ ବ୍ୟବସ୍ଥାପନାରେ ସଚେତନ ଭୂମିକା ନିଭାଉଛନ୍ତି । ଉଦନ୍ତୀ ମହୋତ୍ସବ କେବଳ ଉତ୍ସବ ନୁହେଁ, ଏହା ଆମର ସଂସ୍କୃତି, ପରମ୍ପରା ଓ ସାମୁଦାୟିକ ଏକତାର ଉତ୍ସବ । ଏହା ଯୁବପିଢ଼ୀକୁ ପ୍ରେରଣା ଦେଇଥାଏ, କଳାକୁ ସମ୍ମାନ ଦେଇଥାଏ ଓ ଆମ ଐତିହ୍ୟକୁ ଜୀବନ୍ତ ରଖେ । ସିନାପାଲି ଏବେ ଉତ୍ସବର ରଙ୍ଗରେ ରଙ୍ଗାଇବା ଆରମ୍ଭ କରିବ , ଏବଂ ଆସନ୍ତା ତିନି ଦିନ ଧରି ଏହି ଆନନ୍ଦ ଧାରା ଜାରି ରହିବ ।

