ବ୍ରହ୍ମପୁର,୨୧।୮(ହିମାଂଶୁ ଶେଖର ସାବତ):ନ୍ୟାୟ ବ୍ୟବସ୍ଥାକୁ ଅଧିକ ସରଳ, ସୁଗମ, ପ୍ରଯୁକ୍ତିମୁଖୀ ଓ ଜନସାଧାରଣଙ୍କ ନିକଟତର କରିବା ଲକ୍ଷ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧୀକରଣ, ଗଞ୍ଜାମ ପକ୍ଷରୁ ବ୍ରହ୍ମପୁରସ୍ଥିତ ଆଞ୍ଚଳିକ ନ୍ୟାୟିକ ଏକାଡେମୀ ପ୍ରଶିକ୍ଷଣ ହଲ୍ରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମରେ ଏଆଇ ପ୍ରଯୁକ୍ତିର ବ୍ୟବହାର ମାଧ୍ୟମରେ ନ୍ୟାୟିକ ବ୍ୟବସ୍ଥାକୁ ଅଧିକ ଲୋକାଭିମୁଖୀ କରିବା ସହ ନ୍ୟାୟିକ ରାୟକୁ ଆଞ୍ଚଳିକ ଭାଷାରେ ଉପଲବ୍ଧ କରାଇବା ଦିଗରେ ସୁପ୍ରିମକୋର୍ଟଙ୍କ ‘ସୁଭାସ’ ସଫ୍ଟୱେରର ଭୂମିକା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ସୁପ୍ରିମକୋର୍ଟଙ୍କ ଇଂରାଜୀ ଭାଷାରେ ପ୍ରଦତ୍ତ ରାୟଗୁଡ଼ିକୁ ଏଆଇ ମାଧ୍ୟମରେ ଆଞ୍ଚଳିକ ଭାଷାରେ ଅନୁବାଦ କରିବା ଦ୍ୱାରା ନ୍ୟାୟିକ ରାୟ ଓ ଆଇନଗତ ତଥ୍ୟକୁ ଜନସାଧାରଣ ସହଜରେ ବୁଝି ପାରିବେ । ଏହି ଅବସରରେ ଓଡ଼ିଶା ହାଇକୋର୍ଟ ଓ ନ୍ୟାୟାଳୟଗୁଡ଼ିକରେ ଉପଲବ୍ଧ ବିଭିନ୍ନ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ସୁବିଧା ସମ୍ପର୍କରେ ସଚେତନତା ଓ ପ୍ରଶିକ୍ଷଣ ଦିଆଯାଇଥିଲା। ନ୍ୟାୟିକ ପ୍ରକ୍ରିୟାରେ ଡିଜିଟାଲ୍ ପ୍ରଯୁକ୍ତିର ସଠିକ୍ ବ୍ୟବହାର କିପରି ସମୟ, ଶ୍ରମ ଓ ଦୂରତାର ବାଧାକୁ କମାଇ ନ୍ୟାୟିକ ସେବାକୁ ଅଧିକ ସୁଗମ କରିପାରିବ, ସେ ସମ୍ପର୍କରେ ଆଲୋକପାତ କରାଯାଇଥିଲା।ବିବାଦର ଶୀଘ୍ର ଓ ସମାଧାନମୂଳକ ନିଷ୍ପତ୍ତି ପାଇଁ ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥା ଓ ମଧ୍ୟସ୍ଥତାର ଆବଶ୍ୟକତା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ସିଭିଲ୍ ପ୍ରୋସିଜିଅର୍ ବିକଳ୍ପ ବିବାଦ ସମାଧାନ ନିୟମାବଳୀ, ୨୦୦୭ ଏବଂ ସିଭିଲ୍ ପ୍ରୋସିଜିଅର୍ ମଧ୍ୟସ୍ଥତା ନିୟମାବଳୀ, ୨୦୦୭ର ବିଭିନ୍ନ ବ୍ୟବସ୍ଥା ଓ ଏହାର ବ୍ୟବହାରିକ ପ୍ରୟୋଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଜିଲ୍ଲା ଆଇନ ସେବା ପ୍ରାଧୀକରଣ, ଗଞ୍ଜାମର ସଚିବ ବ୍ୟୋମକେଶ ନାୟକ ସ୍ୱାଗତ ଭାଷଣରେ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲା ବେଳେ ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧୀକରଣର ଅଧ୍ୟକ୍ଷ ଅସୀମ କୁମାର ଦାସ ମଧ୍ୟସ୍ଥତାରେ ନିୟୋଜିତ ଆଇନଜୀବୀମାନଙ୍କୁ ଅଧିକ ସଚେତନ ଓ ସମ୍ବେଦନଶୀଳ ଭାବେ ଆଇନ ସେବା ପ୍ରଦାନ କରିବାକୁ ଆହ୍ୱାନ କରିଥିଲେ ।ବ୍ରହ୍ମପୁରର ନ୍ୟାୟିକ ମାଜିଷ୍ଟ୍ରେଟ୍ ପ୍ରଥମ ଶ୍ରେଣୀ ଶୁଭଲକ୍ଷ୍ମୀ ଦାସ, ସ୍ମିତା ମହାପାତ୍ର ଏବଂ ଅନ୍ଵେଷା ଦାସ ଭିଡିଓ କନଫରେନ୍ସିଂ ଓ ଆଇସିଟି ସୁବିଧା, ବିକଳ୍ପ ବିବାଦ ସମାଧାନ ଓ ମଧ୍ୟସ୍ଥତା ନିୟମାବଳୀ ଏବଂ ‘ସୁଭାସ୍’ ମାଧ୍ୟମରେ ଏଆଇ ଆଧାରିତ ନ୍ୟାୟିକ ରାୟ ଅନୁବାଦ ପ୍ରକ୍ରିୟା ସମ୍ପର୍କରେ ତଥ୍ୟପୂର୍ଣ୍ଣ ଆଲୋଚନା କରିଥିଲେ।

