ଚିକିଟି,୩୦/୦୫,(ନିଗମାନନ୍ଦ ପଣ୍ଡା):ଦେଶର ଗଣତନ୍ତ୍ର ଶାସନରେ ନାଗରିକ ତା’ର ଆତ୍ମା, ରାଷ୍ଟ୍ରର ଶକ୍ତି ଆଉ ଦେଶର ଅମୂଲ୍ୟ ସମ୍ପଦ । ନାଗରିକଙ୍କୁ ସଠିକ୍ ଚିହ୍ନଟକରିବା, ପରିଚୟ ପତ୍ରରେ ରହିଥିବା ତ୍ରୁଟି, ଅସଙ୍ଗତି ଦୂରକରିବା , ଆବଶ୍ୟକୀୟ ସଂଶୋଧନ କରି ନାଗରିକଙ୍କୁ ଉଚିତ ସମ୍ମାନ ଦେବା ପ୍ରଭୃତି ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ସଘନ ସଂଶୋଧାନ କାର୍ଯ୍ୟକ୍ରମ ଚିକିଟି ନିର୍ବାଚନ ମଣ୍ଡଳୀ ୧୩୫ ଅନ୍ତର୍ଗତ ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ ତା’ର ଶୁଭ ଉଦ୍ଘାଟନ ହୋଇ ସାରିଛି । ବିଜ୍ଞାପିତ ଅଞ୍ଚଳ ପରିଷଦ ଚିକିଟି ଅନ୍ତର୍ଗତ ପାର୍ଟ ନଂ ୭୩ ର ବାସିନ୍ଦା ୧୦୫ ବର୍ଷୀୟ ଶତାୟୁ ମହିଳା ତଥା ବରିଷ୍ଠ ନାଗରିକ ଜେ. ଅନ୍ନପୂର୍ଣା ଆଚାରୀଙ୍କ ଠାରୁ ପ୍ରଥମ ଫର୍ମ ପୂରଣକରି ବରିଷ୍ଠ ନାଗରିକଙ୍କୁ ଉଚିତ ସମ୍ମାନ ପ୍ରଦର୍ଶନ ପୂର୍ବକ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଛି । ଉକ୍ତ ପରିବାର କୁମ୍ଭ, ଦୀପ ଫୁଲଥାଳିଆରେ ଏନୁମେରେଟର ଫର୍ମକୁ, ଏ ଇ ଆର ଓ ସିଦ୍ଧାର୍ଥ ସୋରେନ ବିଜ୍ଞାପିତ ଅଞ୍ଚଳ ପରିଷଦ ଚିକିଟି ଙ୍କୁ , ସୁପରଭାଇଜର ରଂଜନ କୁମାର ବ୍ରହ୍ମାଙ୍କୁ ଏବଂ ବି ଏଲ ଓ ମୋହିନୀ ପାଣିଗ୍ରାହୀଙ୍କୁ ପାଛୋଟି ନେଇ ସୁନ୍ଦର ସହଯୋଗ କରିଥିବା ଜଣାପଡିଛି । ୨୦୨୬ ଏସ ଆଇ ଆର ରେ ଜଣେ ଶତାୟୁ ମହିଳା ମୂକସାକ୍ଷୀ ଭାବେ ରହିଥିବା ଗୌରବ ସାଉଁଟି ସ୍ଥାନୀୟ ଅଧିକାରୀ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି । ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୦ ଟି ଯାକ ପାର୍ଟରେ ଏପରି ସୁନ୍ଦର ଶୃଙ୍ଖଳିତଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇସାରିଥିଛି ।

